ନିରାପଦ ମାତୃତ୍ୱ ଦିବସ ପାଳିତ : ମାତୃ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ କୋରାପୁଟ, ସୋନପୁର ଓ କନ୍ଧମାଳ ଜିଲ୍ଲା ପୁରସ୍କୃତ
ଭୁବନେଶ୍ୱର, (କେପିଏନ୍ଏସ୍) : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ଜାତୀୟ ନିରାପଦ ମାତୃତ୍ୱ ଦିବସ ୨୦୨୩ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଭାଗୀୟ ସଚିବ ଶାଲୀନି ପଣ୍ଡିତ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କୁ ସେମାନଙ୍କର ପରିଶ୍ରମ ନିମନ୍ତେ ପ୍ରଶଂସା କରିବା ସହିତ ମିଳିତ ଉଦ୍ୟମ ଫଳରେ ମାତୃ ମୃତ୍ୟୁ ହାର ହ୍ରାସ କ୍ଷେତ୍ରରେ ରାଜ୍ୟ ସଫଳତା ହାସଲ କରିଛି ବୋଲି କହିଛନ୍ତି । ମାତୃ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଜାରି ରହିଥିବା ସମସ୍ତ ଯୋଜନାଗୁଡିକୁ ସଠିକ୍ ଭାବରେ ତଦାରଖ କରିବା ସହ କାର୍ଯ୍ୟରତ ମାନବ ସମ୍ବଳଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ ଓ ଭଲ କାମ କରୁଥିବା କର୍ମଚାରୀମାନଙ୍କୁ ପ୍ରଶଂସିତ ଏବଂ ସମ୍ମାନିତ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ଜିଲ୍ଲାର ନିଜସ୍ୱ ସମସ୍ୟା ରହିଛି, ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରୁଥିବା ଅଧିକାରୀ ବା କର୍ମଚାରୀମାନେ ହିଁ ଉକ୍ତ ଅଞ୍ଚଳର ସମସ୍ୟାର ସବୁଠାରୁ ଭଲ ସମାଧାନ ବାହାର କରିପାରିବେ ତେଣୁ ସମସ୍ୟା ସମାଧାନ କରିବାରେ ସକ୍ରିୟ ଅଂଶଗ୍ରହଣ ପାଇଁ ବିଭାଗୀୟ ସଚିବ ଶ୍ରୀମତି ପଣ୍ଡିତ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡାକ୍ତର ବୃନ୍ଦା ଡି. ମାତୃ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଉଲ୍ଲେଖନୀୟ କାର୍ଯ୍ୟ କରି ପୁରସ୍କାର ପାଇଥିବା ଜିଲ୍ଲାମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ମାତୃ ମୃତ୍ୟୁ ହାର ହ୍ରାସ କରିବା ଲକ୍ଷ୍ୟ ହାସଲ ପାଇଁ
ସମସ୍ତଙ୍କୁ ଅଧିକ ଦୃଢ଼ ଏବଂ ସଙ୍ଗଠିତ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି ନିର୍ଦ୍ଦେଶକ ପରିବାର କଲ୍ୟାଣ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି ଯେ, ବିଶ୍ୱରେ ପ୍ରତ୍ୟେକ ଦିନ ୮୦୦ ମହିଳା ପ୍ରସବ ସମୟରେ ମୃତ୍ୟୁବରଣ କରୁଛନ୍ତି କିନ୍ତୁ ଏଥିମଧ୍ୟରୁ ଅଧିକାଂଶ ମୃତ୍ୟୁକୁ ଏଡାଯାଇପାରିବ । ପ୍ରତ୍ୟେକ ମହିଳାଙ୍କର ଶିଶୁ ଜନ୍ମ ସମୟରେ ଜୀବିତ ରହିବାର ଅଧିକାର ଅଛି ତେଣୁ ଗୁଣାତ୍ମକ ମାତୃ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ଅଧିକ ଜରୁରୀ । ଡା. ପାଣିଗ୍ରାହୀ ପ୍ରକାଶ କରିଛନ୍ତି ଯେ, ୨୦୩୦ ମସିହା ସୁଦ୍ଧା ମାତୃ ମୃତ୍ୟୁ ହାର ୭୦କୁ ହ୍ରାସ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସମସ୍ତଙ୍କ ସହଯୋଗରେ ଏହି ଲକ୍ଷ୍ୟ ହାସଲ ସମ୍ଭବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଏହି ଅବସରରେ ମାତୃ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଯୋଜନାଗୁଡିକର ଉତ୍ତମ କାର୍ଯ୍ୟାନ୍ୱୟନ କରିଥିବାରୁ କୋରାପୁଟ ଜିଲ୍ଲାକୁ ପ୍ରଥମ, ସୋନପୁର ଜିଲ୍ଲାକୁ ଦ୍ୱିତୀୟ ଓ କନ୍ଧମାଳ ଜିଲ୍ଲାକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି । ମାତୃ ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟକୁ ମିଳିଥିବା ସଫଳତା ସମ୍ପର୍କିତ ପୁସ୍ତିକା ‘ଆଜିର ସଂକଳ୍ପ: ନିରାପଦ ମାତୃତ୍ୱ’ ଉନ୍ମୋଚିତ ହୋଇଛି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ସଚିବ ଡାକ୍ତର ପଣ୍ଡା, ନିର୍ଦ୍ଦେଶକ ସ୍ୱାସ୍ଥ୍ୟସେବା, ନିର୍ଦ୍ଦେଶକ ଜନ ସ୍ୱାସ୍ଥ୍ୟ, ନିର୍ଦ୍ଦେଶକ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ, ପିଡି ଓସାକ୍ସ ତଥା ସ୍ୱାସ୍ଥ୍ୟ ବିଭାଗର ବହୁ ବରିଷ୍ଠ ଡାକ୍ତର, ଅତିରିକ୍ତ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ଏବଂ ବିଭାଗୀୟ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ରାଜ୍ୟର ସମସ୍ତ ଜିଲ୍ଲା
ମୁଖ୍ୟ ଚିକିତ୍ସାଳୟର ନିର୍ଦ୍ଦେଶକ, କର୍ମଚାରୀ ଏବଂ କୋଅର୍ଡିନେଟର ଆଣ୍ଡ ନୋଡାଲ ଅଫିସର ସେଂଟର ଅଫ୍ ଏକ୍ସିଲେନ୍ସ ମାତୃ ସ୍ୱାସ୍ଥ୍ୟ, ଏସ୍ସିବି ମେଡିକାଲ କଲେଜ୍ , କଟକ ମଧ୍ୟ ଭରଚୁଆଲ ମୋଡରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୟୁନିସେଫ, ପିରାମିଲ୍ ହେଲଥ୍, ଜାପାଇଗୋ,ସି-ଥ୍ରୀ,ଆଇଡିଏଫ୍,ୟୁଏନ୍ଏଫପିଏ ଭଳି ସହଭାଗୀ ସଙ୍ଗଠନମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଅତିରିକ୍ତ ନିର୍ଦ୍ଦେଶକ ମାତୃସ୍ୱାସ୍ଥ୍ୟ ଡାକ୍ତର ମୂରଲୀପାଢ଼ୀ
ଧନ୍ୟବାଦ ଅର୍ପଣ କରିଥିଲେ ।