‘ପିଲାଙ୍କ ଗାନ୍ଧୀ’ ସଂପର୍କରେ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଗାନ୍ଧୀ ଶାନ୍ତି ଫାଉଣ୍ଡେସନ ତରଫରୁ ‘ପିଲାଙ୍କ ଗାନ୍ଧୀ’ ସଂପର୍କରେ ଆଲୋଚନାଚକ୍ର ସେକ୍ଟର ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ସଭାପତିତ୍ୱ ଓ ଫାଉଣ୍ଡେସନର ସଭ୍ୟ ରବି ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଚାରପତି ତଥା ଗାନ୍ଧୀ ପିସ ଫାଉଣ୍ଡେସନର ଓଡିଶା ସଭାପତି ମନୋରଞ୍ଜନ ମହାନ୍ତି ମୁଖ୍ୟଅତିଥି ଓ ଜାତୀୟ ଗାନ୍ଧୀ ସ୍ମାରକନିଧିର ଟ୍ରଷ୍ଟି ଡଃ ବିଶ୍ବଜିତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗାନ୍ଧିଙ୍କ ଜୀବନୀ ଓ ସତ୍ୟର ପ୍ରୟୋଗ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ମହାନ୍ତି ଗାନ୍ଧୀଙ୍କ ଆତ୍ମକଥା ଓ ନିଜର ଅଭିଜ୍ଞତାକୁ ଭିତ୍ତି କରି କହିଲେ ଯେ, ଯେତେ ଅଧିକ ଲୋକଙ୍କ ନାମ ମନେରଖିବ ଜୀବନରେ କେବେ ହାରିବନି, ଅଧିକ ଭାଷା ଶିଖିଲେ ସଫଳତା ମିଳେ ଓ ଯିଏ ନିଜ ଧର୍ମକୁ ଭଲ ଭାବେ ଜାଣିଥିବ ଓ ଅନ୍ୟ ଧର୍ମକୁ ସମ୍ମାନ ଦେଉଥିବ, ସେଭଳି ବ୍ୟକ୍ତି ଜୀବନରେ କେବେ ହାରିବନି । ମୁଖ୍ୟବକ୍ତା ଡଃ ବିଶ୍ବଜିତ ତାଙ୍କ ବକ୍ତବ୍ୟରେ ସ୍ବାଧୀନତା ସଂଗ୍ରାମରେ ଗାନ୍ଧୀଙ୍କ ବାନରସେନା ଓ ମୁଷିକ ସେନାଙ୍କ ଅବଦାନ, ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଭାରତଛାଡ ଆନ୍ଦୋଳନ ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସଭାପତିତ୍ବ କରୁଥିବା ଶ୍ରୀମତୀ ମହାପାତ୍ର ସ୍ବାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ଓ ଆବାହକ ଶ୍ରୀ ଦାସ ବିଚାରପତି ଶ୍ରୀ ମହାନ୍ତିଙ୍କ ରାଉରକେଲା ସହ ଯୋଗସୂତ୍ର ସଂପର୍କରେ କହିଥିଲେ । ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ସଂପର୍କିତ ଏକ ଗୀତର ଅବଧିରେ ଶିକ୍ଷକ ଅନିରୁଦ୍ଧ ସାହୁ ଗାନ୍ଧୀଙ୍କ ଚିତ୍ର ଆଙ୍କିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭ୍ୟ ସର୍ବଶ୍ରୀ ରାଜକିଶୋର ମିଶ୍ର, ବିଷ୍ଣୁପ୍ରସାଦ ଅଗ୍ରୱାଲ, ଭାରତ ବିକାଶ ପରିଷଦର ଅନୁପମ ଗୁପ୍ତା, ରାଜା ମହାନ୍ତି, ନମିତା ମହାନ୍ତି ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.