csstore

ତୁରେକେଲା ଥାନା ମହନିଲହ ବେଲବାଂଜି ସଂରକ୍ଷିତ ଜଂଗଲରୁ ନରକଙ୍କାଳ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ

  • ସାଇଂଟିଫିକ୍‌ ଟିମ୍‌ ଓ ପୋଲିସର ଅନୁସଂଧାନ ଜାରି

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ମହନିଲହ ବେଲବାଂଜି ସଂରକ୍ଷିତ ଜଂଗଲରୁ ଏକ ନର କଙ୍କାଳ ତୁରକେଲା ପୋଲିସ ଶନିବାର ଦିନ ଉଦ୍ଧାର କରିଛି । ମୃତକଙ୍କ କୌଣସି ପରିଚୟ ଜଣାପଡି ନାହିଁ । ଘଟଣାସ୍ଥଳରେ ବଲାଙ୍ଗିର ସାଇଂଟିଫିକ ଟିମ୍‌ ଓ ତୁରେକେଲା ପୋଲିସ ପହଂଚି ଅଧିକ ଅନୁସଂଧାନ ଜାରି ରଖିଥିବା ଖବର ମିଳିଛି ।

ମିଳିଥିବା ସୂଚନା ମୁତାବକ ତୁରେକେଲା ରେଳ ଷ୍ଟେସନଠାରୁ ଅନତି ଦୂରରେ ଥିବା ମହନିଲହ ବେଲବାଂଜି ଜଂଗଲକୁ ସେହି ଗାଁର ଲୋଚନ ଗଡତିଆ ଏବଂ ଅନ୍ୟ ଜଣେ ଶନିବାର ସକାଳୁ ନିଜ ଛେଳି ଚରାଇବାକୁ ଯାଇଥିଲେ । ଛେଳି ଚରାଇବା ମଧ୍ୟରେ ଜଂଗଲରେ ମୁଣ୍ଡ ଗଣ୍ଡି ଅଲଗା ଅଲଗା ହୋଇ ଛିଟିକି ପଡିଥିବା ଏକ କଙ୍କାଳ ଦେଖିବାକୁ ପାଇଥିଲେ । ଏହାପରେ ତୁରେକେଲା ଥାନାକୁ ଫୋନ ଯୋଗେ ଜଣାଇଥିଲେ । ତୁରେକେଲା ପୋଲିସ ଖବର ପାଇବା ପରେ କଂଟାବାଂଜି ପୋଲିସ ଡି.ଏସ.ପି. ଲକ୍ଷ୍ମୀ ନାରାୟଣ ମାରାଣ୍ଡିଙ୍କୁ ଖବର ଦେବା ପରେ ଘଟଣାସ୍ଥଳକୁ ବଲାଙ୍ଗିର ସାଇଂଟିଫିକ ଦଳ ସହ ତୁରେକେଲା ଥାନା ଆଇ.ଆଇ.ସି. ଧର୍ମେନ୍ଦ୍ର ପ୍ରଧାନ, ସବ୍‌ ଇନ୍ସପେକ୍ଟର ଲଛିନ୍ଦ୍ର ଚଲାନ ଏବଂ ଏକ ଡିଭିଏଫ୍‌ ଟିମ୍‌ ପହଂଚି ଅଧିକ ଅନୁସଂଧାନ ଜାରି ରଖିଛନ୍ତି । ଏହି ଖବର ମିଳିବା ସୁଦ୍ଧା ଜଂଗଲରେ ପୋଲିସ ଅନୁସଂଧାନ ଜାରି ରଖିଥିଲା । ମୃତକଙ୍କ କୌଣସି ପରିଚୟ ଜଣାପଡି ନାହିଁ । ଏହା ଉପରେ ତୁରେକେଲା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି ।

jayashree
Leave A Reply

Your email address will not be published.