୭୮ କିଲୋ ଗଞ୍ଜେଇ ଜବତ, ୫ ମହିଳାଙ୍କ ସମେତ ୯ ଗିରଫ

ଗୋଚ୍ଛାପଡା : ଫିରିଙ୍ଗିଆ ପୁଲିସ ଗତକାଲି ୭୮ କିଲୋ ଗଞ୍ଜେଇ ଓ ଏକ ଅଟୋରିକ୍ସା ଜବତ କରିବା ସହ ୮ ଜଣଙ୍କୁ ଗିରଫ କରିଛି । ଗିରଫ ମାନଙ୍କ ମଧ୍ୟରେ ୫ ଜଣ ମହିଳା ରହିଛନ୍ତି । ସୂଚନା ଅନୁଯାୟୀ, କାଶିନିପଦରରୁ ଫୁଲବାଣୀ ଆଡକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୁଲିସ ଚଢ଼ାଉ କରିଥିଲା । ସେହି ରାସ୍ତା ଦେଇ ଯାଉଥିବା ଏକ ଅଟୋ ରିକ୍ସା (ଓଡି ୧୨ ବି ୬୭୨୬)କୁ ଅଟକାଇ ଯାଞ୍ଚ କରିବାରେ ସେଥିରୁ ୭୮ କିଲୋ ୭୦୦ ଗ୍ରାମ ଗଞ୍ଜେଇ ମିଳିଥିଲା ।

ପୁଲିସ ଗଞ୍ଜେଇ ସହ ଅଟୋ ଜବତ କରିଛି । ଏହି ଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ୫ ଜଣ ମହିଳାଙ୍କ ସମେତ ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ, ଅଟୋ ରିକ୍ସାର ଡ୍ରାଇଭର ରାଜେଶ କୁମାର ସାହୁ, କାଶିନିପଦରର ସୁବ୍ରତ ଦିଗାଲ, ଅଭିରାମ ଦିଗାଲ, ମାଳତୀ ଦିଗାଲ, ପ୍ରମିଳା ଦିଗାଲ, କୌଶଲ୍ୟା ଦିଗାଲ, ରୀନା ଦିଗାଲ, ପାର୍ବତୀ ଦିଗାଲ ଓ ବୌଦ୍ଧ ଜିଲ୍ଲା ବଘିଆପଡାର ମନୋଜ କହଁର । ଫିରିଙ୍ଗିଆ ଥାନାରେ ୫୧/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.