୨୬ରେ ମୁଖ୍ୟମନ୍ତ୍ରୀଙ୍କ ୫ ଘଣ୍ଟିଆ ଗଞ୍ଜାମ ଗସ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରାୟ ୧୦ ମାସ ବ୍ୟବଧାନରେ ଗଞ୍ଜାମ ଜିଲ୍ଲାକୁ ପୁଣି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ୨୬ ତାରିଖରେ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳିକାଟୁ ସମେତ କବିସୂର୍ଯ୍ୟନଗର ଓ ଛତ୍ରପୁରଠାରେ ସେ ୩ଟି ସମାବେଶରେ ଯୋଗ ଦେବେ । ହିଞ୍ଜିଳିକାଟୁ ଠାରେ ହିଞ୍ଜିଳି ଓ ଶେରଗଡ ବ୍ଲକ୍‌ ନିମନ୍ତେ କାର୍ଯ୍ୟକ୍ରମ ହେବ ।

ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୪ଟା ମଧ୍ୟରେ ହେଉଥିବା ଏ ସମସ୍ତ ସମାବେଶରେ ମିଶନ୍‌ ଶକ୍ତି ଏସ୍‌ଏଚ୍‌ଜିଙ୍କୁ ସମ୍ବର୍ଦ୍ଧନା, ମହିଳା ଗୋଷ୍ଠୀ ସଭ୍ୟାଙ୍କୁ ଆର୍ଥିକ ସହାୟତା ବାବଦକୁ ଚେକ୍‌ ବଣ୍ଟନ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ, ଗ୍ରାମକଣ୍ଠ ପଟ୍ଟା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିସହ ସମବେତ ଜନତା, ମହିଳା ଓ ଦଳୀୟ ନେତା, କର୍ମୀଙ୍କୁ ଉଦ୍‌ବୋଧନ ଦେବେ ।

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ୫ ଘଣ୍ଟିଆ ଅବଧିର ରହିବ । ରବିବାର ପୂର୍ବାହ୍ଣ ୧୧ଟା ବେଳେ କବିସୂର୍ଯ୍ୟନଗର ତହସିଲ ଅଫିସ୍‌ ନିକଟ ଅସ୍ଥାୟୀ ହେଲିପ୍ୟାଡ୍‌ରେ ହେଲିକପ୍ଟରରୁ ଅବତରଣ କରିବେ । ଏହାପରେ ମଧ୍ୟାହ୍ଣ ୧୨ଟାରେ ହିଞ୍ଜିଳିକାଟୁ ନିକଟ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପାଖ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇ କାର୍ଯ୍ୟକ୍ରମସ୍ଥଳକୁ ଯିବେ । ସେଠି ମଧ୍ୟ ସମାନ କାର୍ଯ୍ୟକ୍ରମ ରହିଛି । ହିଞ୍ଜିଳିକାଟୁ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ମଧ୍ୟାହ୍ଣ ଭୋଜନ ଓ ବିଶ୍ରାମ ପରେ ୩ଟା ୧୫ରେ ଛତ୍ରପୁର ଅନ୍‌ସ୍ଲୋ ହାଇସ୍କୁଲ ନିକଟ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରି କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପରେ ଅପରାହ୍ଣ ୪ଟାରେ ହେଲିକପ୍ଟର ଯୋଗେ ସେ ଭୁବନେଶ୍ୱର ଫେରିଯିବେ ।

Leave A Reply

Your email address will not be published.