
ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁରର ବରିଷ୍ଠ ଆଇନଜୀବୀ ଲଳିତ ପ୍ରହରାଜଙ୍କ ଆଜି ତଳସାଗରପଡା ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ସେ ଜଣେ ବିଜ୍ଞ ବ୍ୟକ୍ତି ତଥା ଆଇନ ବିଶାରଦ ଥିଲେ । ମ. ରାମପୁର ଓକିଲ ସଂଘର ପ୍ରତିଷ୍ଠାତା ସଦସ୍ୟ ରହି ଅନେକ ସାଧାରଣ ଲୋକଙ୍କୁ ଆଇନ ସେବା ଯୋଗାଇ ଆସୁଥିଲେ । ସେ କଳାହାଣ୍ଡି ଜିଲ୍ଲା ବିଜେପିର ଜିଲ୍ଲା ଉପସଭାପତି ଭାବେ ରହି ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ଜିଲ୍ଲା ମୁଖ୍ୟାଳୟରେ ପୂର୍ବରୁ ଚାଲୁଥିବା ବେଳେ ମ. ରାମପୁରରେ ଏହାର ପ୍ରତିଷ୍ଠା ପାଇଁ ହୋଇଥିବା ଆନ୍ଦୋଳନରେ ସେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏହା କାର୍ଯ୍ୟକାରୀ ହୋଇଥିଲା । ତାଙ୍କ ବିୟୋଗ ଖବର ପାଇବା ପରେ ମ. ରାମପୁର ଓକିଲ ସଂଘ ପକ୍ଷରୁ ଏକ ଶୋକସଭା କରିବା ସହିତ ତାଙ୍କର ଶେଷ ଦର୍ଶନ ପାଇଁ ବରିଷ୍ଠ ଓକିଲ ଜୟ କୁମାର ସିଂହ ଦେଓ, ସପନ ପଟ୍ଟନାୟକ, ଅଶ୍ୱିନୀ କୁମାର ପଣ୍ଡା, ପ୍ରଶାନ୍ତ ପଣ୍ଡା, ଆଶିଷ ମିଶ୍ର, ବିଶ୍ୱମ୍ବର ରଣା, ଜିତେଶ ମହାପାତ୍ର, ପ୍ରଦୀପ ପ୍ରହରାଜ ପ୍ରମୁଖ ତାଙ୍କ ଘରକୁ ଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପଦ୍ମ ଲୋଚନ ମିଶ୍ର, ବରିଷ୍ଠ ଆଇନଜୀବୀ ସୁବାସ ଆଚାର୍ଯ୍ୟ, ସତ୍ୟଜିତ ଚାଟାର୍ଜୀ ମଧ୍ୟ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ପ୍ରହରାଜ ଅବିବାହିତ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପରିବାର ବର୍ଗ ଉପସ୍ଥିତ ରହିଥିଲେ । ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି ।