କେଭି କେଲଜରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କେଭି କଲେଜରେ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ରଙ୍କ ଅବସର ଗ୍ରହଣ ଉପଲକ୍ଷେ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ବରିଷ୍ଠ ପ୍ରାଧ୍ୟାପକ ଦିନବନ୍ଧୁ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବରିଷ୍ଠ ପ୍ରାଧ୍ୟାପକ ଦେବେନ୍ଦ୍ର କୁମାର ମେହେର, ଲୋହିତାକ୍ଷ ଯୋଷୀ ଏବଂ ଅଧ୍ୟକ୍ଷ ଶ୍ରୀ ମିଶ୍ର ମଂଚାସୀନ ଥିଲେ । ସଭାରେ ବିଦାୟୀ ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ ବିଭିନ୍ନ ଆଦର୍ଶ ଗୁଣାବଳି ବିଷୟରେ ଆଲୋଚନା କରାଯାଇଥିଲା । ଅଧ୍ୟାପକ ଅଧ୍ୟାପିକା ତଥା ଅନ୍ୟାନ୍ୟ କର୍ମଚାରୀମାନେ ବିଦାୟୀ ଅଧ୍ୟକ୍ଷଙ୍କୁ ଜଣେ ଦକ୍ଷ ଅଧ୍ୟାପକ ଅଧ୍ୟକ୍ଷ ଏବଂ ଶିକ୍ଷକ ତଥା ଛାତ୍ର ମହଲର ଆଦର୍ଶ ବୋଲି ବର୍ଣ୍ଣନା କରିଥିଲେ । ଏ ଅବସରରେ ଶ୍ରୀ ମିଶ୍ରକୁ ଉତ୍ତରୀୟ, ମାନପତ୍ର ତଥା ଉପହାର ସବୁ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଶ୍ରୀ ମିଶ୍ର ଉକ୍ତ ମହାବିଦ୍ୟାଳୟରେ ଦୀର୍ଘ ୩୭ ବର୍ଷ ଧରି ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରି ଆସିଥିଲେ । ସେ ଅଧ୍ୟକ୍ଷ ଥିବା ସମୟରେ ମହାବିଦ୍ୟାଳୟର ବହୁବିଧ ଉନ୍ନତି ସାଧିତ ହୋଇଥିଲା । ମହାବିଦ୍ୟାଳୟ ଭିତରେ ଅନେକ ନୂତନ ଗୃହ ନିର୍ମାଣ ହେବା ସହ କଲେଜର ଶୈକ୍ଷିକ ବାତାବରଣରେ ବହୁବିଧ ଉନ୍ନତି ସାଧିତ ହୋଇଥିଲା । ବିଶେଷ କରି ମହାବିଦ୍ୟାଳୟରେ ଓଡିଆ ଓ ବାଣିଜ୍ୟ ବିଭାଗରେ ସ୍ନାତକୋତ୍ତର ଶ୍ରେଣୀ ଖୋଲିବାରେ ତାଙ୍କର ପ୍ରଚେଷ୍ଟା ଥିଲା ଯଥେଷ୍ଟ । ଶ୍ରୀ ମିଶ୍ର କଲେଜ ପରିସର ଭିତରେ କେବଳ ନୁହେଁ କଂଟାବାଞ୍ଜିର ପ୍ରାୟ ସମସ୍ତ ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ଗୁଡିକର ବିଭିନ୍ନ କାର୍ଯ୍ୟକ୍ରମ ସହ ସକ୍ରିୟ ଅଂଶଗ୍ରହଣ କରୁଥିଲେ । କଂଟାବାଞ୍ଜି ସମ୍ବାଦ ସାହିତ୍ୟ ଘରର ସେ ଥିଲେ ଜଣେ ନିୟମିତ ସଦସ୍ୟ । ତାଙ୍କର ଅନେକ ଲେଖା ଜୁଗାର ଆଦି ପତ୍ର ପତ୍ରିକାରେ ପ୍ରକାଶିତ ହୋଇଥାଏ । ସେ ଜଣେ ସୁବକ୍ତା ଏବଂ ସଂଗଠକ ଭାବରେ ମଧ୍ୟ ଅଂଚଳରେ ବେଶ ପରିଚିତ ଥିଲେ । ନିଜ ଅଭିଭାଷଣରେ ଶ୍ରୀ ମିଶ୍ର କଲେଜରେ ଭୋଗିଥିବା, ଦେଖିଥିବା ଅନେକ ଘଟଣା ଗୁଡିକର ସ୍ମୁତିଚାରଣ କରିବା ସହ କେଭି ମହାବିଦ୍ୟାଳୟର ସର୍ବବିଧ ଉନ୍ନତି ଓ ପ୍ରଗତି ନିମନ୍ତେ ଜୀବନ ଥିବା ଯାଏଁ କାର୍ଯ୍ୟ କରିବି ବୋଲି କହିଥିଲେ । ପୂର୍ବରୁ ସ୍ନାତକୋତ୍ତର ଓଡିଆ ଓ ବାଣିଜ୍ୟ ବିଭାଗ ସହ କଂଟାବାଞ୍ଜି ଅଗ୍ରୱାଲ ସଭା ଟ୍ରଷ୍ଟ ପକ୍ଷରୁ ମଧ୍ୟ ଶ୍ରୀ ମିଶ୍ରଙ୍କୁ ବିଦାୟ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଓଡିଆ ବିଭାଗର ଛାତ୍ରଛାତ୍ରୀମାନେ ତାଙ୍କର ପ୍ରିୟ ଅଧ୍ୟକ୍ଷଙ୍କୁ ରାଜା ବେଶରେ ସଜାଇ ବିରୋଚିତ ସମ୍ମାନ ଦେଇଥିଲେ । ମହାବିଦ୍ୟାଳୟରେ ଆୟୋଜିତ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ପ୍ରଭାସିନୀ ରାଉତ ରାଏ, ସବିତା ମହାପାତ୍ର, ଅଙ୍କିତା ଦାସ, ଦୀପାଳି ଶର୍ମା, ଶୋଭନ ମହାନ୍ତି, ମନୀଷ ମହାନ୍ତି, ଲକ୍ଷଣ ବେହେରା, ଯଶୋବନ୍ତ ନାରାୟଣ ମିଶ୍ର, ନମୀତା ମିଶ୍ର, ଦିଶା ଅଗ୍ରୱାଲ, ଅନ୍ନପୂର୍ଣ୍ଣା ପଣ୍ଡା, ପଲ୍ଲଭୀ ଯୋଶୀ, ସୁନିତା ସବର, ଡ. ସଂଜୟ କୁମାର ମିଶ୍ର, କରୁଣାକର ନାଏକ, ରାଜେଶ କୁମାର ମହାନ୍ତି, କ୍ଷୀରୋଦ୍ର ମେହେର, କ୍ରୀଷ୍ଣା ମେହେର, ଦିଗାମ୍ବର ନାଗ, ମଳୟ ନାଗଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ଶେଷରେ ଅଧ୍ୟାପକ ଡ. ସଞ୍ଜୟ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

9 − 3 =

error: Content is protected !!