ଗଞ୍ଜାମ ବ୍ଲକରେ ୫ମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

  • ଶିକ୍ଷା, ପାନୀୟ ଜଳ, ବ୍ଲକ ଶିକ୍ଷାଧିକାରୀଙ୍କ ଅନୁପସ୍ଥିତି ନେଇ ଜନ ପ୍ରତିନିଧିଙ୍କ ଉଦ୍‌ବେଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କନଫରେନ୍ସ ହଲ୍‌ରେ ପଞ୍ଚାୟତ ସମିତିର ୫ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କାଲ୍ୟାଣକାରୀ ଯୋଜନା ଗୁଡିକର ସଫଳ ରୂପାୟାନ କରି ଗଞ୍ଜାମ ବ୍ଲକକୁ ଜିଲ୍ଲାର ଶ୍ରେଷ୍ଠ ବ୍ଲକରେ ପରିଣତ କରିବାନେଇ ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ । ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀ ଶଙ୍କର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଗାମ୍ବର ନାୟକ ମଞ୍ଚାସୀନ ରହିଥିଲେ ।

ଗଞ୍ଜାମ ବ୍ଲକରେ ରହିଥିବା ବିଭିନ୍ନ ସ୍କୁଲରେ ଶିକ୍ଷକ ଅଭାବ ଯୋଗୁଁ ପାଠପଢ଼ାରେ ବ୍ୟାଘାତ ହେଉଥିବା, ବିଭିନ୍ନ ସ୍କୁଲରେ ଭଗ୍ନାବସ୍ଥା ହୋଇଥିଲେ ମଧ୍ୟ ବ୍ଲକ ଶିକ୍ଷାଧିକାରୀଙ୍କ ଦାୟିତ୍ୱହିନତା ଯୋଗୁଁ ଜିଲ୍ଲା ପରିଷଦ ସଭ୍ୟ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ପ୍ରମୁଖ ଜନପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିବା ସହ ଶିକ୍ଷା ବିଭାଗ ଉପରେ ବର୍ଷିଥିଲେ । ଅନ୍ୟପଟେ ବିଇଓ ବୈଠକରେ ଅନୁପସ୍ଥିତ ରହିଥିବା ବେଳେ ପୂର୍ବ ବୈଠକମାନଙ୍କରେ ଅନୁପସ୍ଥିତ ରହିଥିବା ନେଇ ନିର୍ବାଚିତ ପ୍ରତିନିଧିମାନେ କହିଥିଲେ । ଏପରିକି ବିଭିନ୍ନ ବୈଠକର ଆଳ ଦେଖାଇ ସମିତି ବୈଠକରେ ବିଇଓ ଭାଗିରଥି ବେହେରା ଅନୁପସ୍ଥିତ ରହିଥିବା ନେଇ ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ସମିତି ସଭ୍ୟା ଗୀତାଞ୍ଜଳି ବେହେରା, ସରପଞ୍ଚ ରବୀନ୍ଦ୍ର ନାଥ ବେହେରା, ସରପଞ୍ଚ ସିଦ୍ଧେଶ୍ଵର ନାହାକ, ସରପଞ୍ଚ ଅଜୟ ନାହାକ, ସମିତି ସଭ୍ୟ ଧ୍ରୁବ ଚରଣ ପଲେଇ ଓ ସମିତି ସଭ୍ୟା ମାମି ଦାସ, ସମେତ ଅନ୍ୟମାନେ ଅଭିଯୋଗ ଆଣିଥିଲେ । ବୈଠକରେ ଯେଉଁ ଅଧିକାରୀମାନେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ କରିବା ପାଇଁ ବିଧାୟକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବୈଠକରେ ପାନୀୟ ଜଳ ସମସ୍ୟା, ଜଳ ସେଚନ ସମସ୍ୟା, କୃଷି ଓ ଧାନମଣ୍ଡି ସମସ୍ୟା ଇତ୍ୟାଦି ଅଞ୍ଚଳର ସମସ୍ୟା ଉପରେ ଆଲୋଚନା ହୋଇଥିବା ବେଳେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ବା ପ୍ରକଳ୍ପରେ ମେଣ୍ଡେଜ ବଢାଇବା ପାଇଁ କାମ ନ କରି କିଛି ଲୋକଙ୍କୁ ଘରେ ବସାଇ ପଇସା ଦିଆଯାଉଛି ସେହି ବ୍ୟବସ୍ଥାକୁ ରୋକ୍‌ ଲଗେଇବା ପାଇଁ ପ୍ରତିନିଧିମାନେ ଦାବୀ କରିଥିଲେ । ଉକ୍ତ ବୈଠକରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ବିଭିନ୍ନ ବିଭାଗର ପଦାଧିକାରୀ, ଭାରପ୍ରାପ୍ତ ଜିପିଓ ଶ୍ରୀକାନ୍ତ ଗୌଡ଼ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.