ଇମ୍ପେରିଆଲ କ୍ଲାସିକ ୨୦୨୩ ଉଦ୍‌ଯାପିତ

  • ଗଞ୍ଜାମର ବ୍ରଜବନ୍ଧୁ ହେଲେ ଚମ୍ପିଆନ ଅଫ ଚମ୍ପିଆନ୍ସ
  • ବଲାଙ୍ଗିରର କଲ୍ୟାଣି ହେଲେ ମିସ୍ ଇମ୍ପେରିଆଲ କ୍ଲାସିକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ହଲ୍‌ଠାରେ କଳିଙ୍ଗ ବଡି ବିଲ୍ଡିଂ ସଂଘ ଦ୍ୱାରା ଆୟୋଜିତ ଇମ୍ପେରିଆଲ କ୍ଲାସିକ ୨୦୨୩ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଗଞ୍ଜାମର ବ୍ରଜବନ୍ଧୁ ସୁଆର ପୁରୁଷ ବିଭାଗରେ ଚମ୍ପିଆନ ଅଫ ଚମ୍ପିଆନ୍ସ ବିବେଚିତ ହୋଇଥିବା ବେଳେ ବଲାଙ୍ଗିରର କଲ୍ୟାଣି ଦାସ ମିସ୍‌ ଇମ୍ପେରିଆଲ କ୍ଲାସିକ ଆକ୍ଷା ଅର୍ଜନ କରିଛନ୍ତି । କେନ୍ଦ୍ରୀୟ ପୋଲିସ ବଳର କମାଣ୍ଡେଣ୍ଟ ଅଫିସର ପବନ କୁମାର ତିୱାରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।

କଳିଙ୍ଗ ବଡି ବିଲ୍ଡିଂ ଓ ଫିଟନେସ୍‌ ସଂଘର ସାଙ୍ଗଠନିକ ସଂପାଦକ ବାଳକୃଷ୍ଣ ବାଗଙ୍କ ପରିଚାଳନା ତଥା ଜିଲ୍ଲା ସଭାପତି ଗୋପାଳ ବାଗଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ପ୍ରାୟ ୧୫୦ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରେ ୧୧ଟି ବର୍ଗରେ ପ୍ରତିଯୋଗିତା ହୋଇଥିଲା । ଦ୍ୱିତୀୟ ଦିନ ସକାଳୁ ସଂଘ ପକ୍ଷରୁ ପ୍ରତିଯୋଗୀମାନେ ଏକ ଶୋଭାଯାତ୍ରାରେ ବାହାରି ସମାଜକୁ ସୁସ୍ଥ ଶରୀରର ବାର୍ତ୍ତା ଦେଇଥିଲେ । ପରେ ପରେ ସମସ୍ତ ପ୍ରତିଯୋଗୀଙ୍କ ଓଜନ ଓ ଉଚ୍ଚତା ମାପ କରି ପୁରୁଷ ବିଭାଗରେ ୯ଟି ଭେଟରାନଙ୍କ ପାଇଁ ଗୋଟିଏ ବର୍ଗ ନିର୍ଦ୍ଧାରିତ କରାଯାଇଥିଲା । ମହିଳାମାନଙ୍କ ପାଇଁ ଫିଟନେସ୍‌ ଟେଷ୍ଟ ହୋଇଥିଲା । ତନ୍ମଧ୍ୟରୁ ଗଞ୍ଜାମର ବ୍ରଜବନ୍ଧୁ ସୁଆର ଚମ୍ପିଆନ ଅଫ ଚମ୍ପିଆନ୍ସ, ସମ୍ବଲପୁରର ଶଙ୍କର ମେହେର ରନର୍ସ ଅପ, ସମ୍ବଲପୁରର ଅନିଲ ବାଗ ମୋଷ୍ଟ ମସ୍କୁଲାର ଓ କଳାହାଣ୍ଡିର ଦେବେନ ନାଏକ ମୋଷ୍ଟ ଇମ୍ପେରିଆଲ ବିବେଚିତ ହୋଇଥିଲେ । ସେହିପରି ମହିଳା ବିଭାଗରେ ବଲାଙ୍ଗିରର କଲ୍ୟାଣି ଦାସ ମିସ୍‌ ଇମ୍ପେରିଆଲ ଆଖ୍ୟା ଅର୍ଜନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ଟ୍ରକ ସଂଘ ସଭାପତି ବିରେନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ଏମ କେ ସ୍ୱାଇଁ, ଜିଲ୍ଲା ସଂପାଦକ ସନ୍ତୋଷ ମହାନ୍ତି, ସହ ସଂପାଦକ ନିଶାନ୍ତ ବହିଦାର, ଅମିତାଭ ପରିଡା, ରାକେଶ ପରିଡା, ସୌରଭ ସାହୁ, ରାଜୀବ ମହାନ୍ତି, ଦେବାଶିଷ ପାତ୍ର ଓ ଦୀପୁ ସାହୁ ପ୍ରମୁଖ ସଂଘର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.