jayashree

ବାର୍‌ହା ଫାଶରେ ପଡ଼ି ଯୁବକଙ୍କ ମୃତ୍ୟୁ, ମାସକର ଶିଶୁକୁ ଛାଡ଼ି ଚାଲିଗଲେ ବାବୁଲା

ଦଶପଲ୍ଲା : ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ଫାଶ ନେଲା ଜଣେ ଯୁବକଙ୍କ ଜୀବନ। ବାର୍‌ହା ଶିକାର ପାଇଁ ବିଛାଯାଇଥିବା ଫାଶରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଅନ୍ତର୍ଗତ ଦୁଡ଼ା ପଞ୍ଚାୟତ କନଡ଼ି ଗ୍ରାମର ବାବୁଲା ନାୟକ। ସବୁଠାରୁ ଦୁଃଖଦ କଥା, ତାଙ୍କ ଝିଅକୁ ଆଜି ମାସେ ପୂରିଛି। ସୂଚନା ଅନୁସାରେ, ବାବୁଲା ଗତକାଲି ରାତିରେ ନିକଟସ୍ଥ ନାଗେଶ୍ୱର ସାହିକୁ ନିଜ ସଙ୍ଗାତଙ୍କ ଘରକୁ ଯାଉଥିଲେ। ରାସ୍ତାରେ ବାର୍‌ହା ଶିକାର ପାଇଁ କେତେକ ଦୁର୍ବୃତ୍ତ ଫାଶ ବିଛାଇଥିଲେ। ଅନ୍ଧାରରେ ଯିବା ସମୟରେ ବାବୁଲା ସେହି ଫାଶରେ ପଡ଼ିଯାଇଥିଲେ। ଫାଶରୁ ମୁକୁଳିବା ପାଇଁ ଚେଷ୍ଟା କରିବା ସହ ଚିତ୍କାର କରିଥିଲେ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ କେହି ପହଞ୍ଚି ନଥିବା ଜଣାପଡ଼ିଛି। ଶେଷରେ ଫାଶରେ ଛଟପଟ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଦଶପଲ୍ଲା ମେଡିକାଲକୁ ପଠାଯାଇଛି। ଅନ୍ୟପଟେ, ଦଶପଲ୍ଲା ବନାଞ୍ଚଳରେ ବେଆଇନ ବନ୍ୟଜନ୍ତୁ ଶିକାର ବଢ଼ୁଥିବା ନେଇ ଅଭିଯୋଗ ହେଉଛି। ବନ ବିଭାଗର ନଜର ଏଡ଼ାଇ ଶିକାରୀମାନେ ଜଙ୍ଗଲରେ ଫାଶ ବିଛାଉଥିବାରୁ ଏଭଳି ଅଘଟଣ ଘଟୁଥିବା କୁହାଯାଉଛି। ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବେଆଇନ ଶିକାର ରୋକିବାକୁ ବନ ବିଭାଗର ତତ୍ପରତା ଉପରେ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.