csstore

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟରେ ହାକାଥନ ଓ କୋଡ଼ିଙ୍ଗ ପ୍ରଶିକ୍ଷଣ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟରେ ହାକାଥନ ଓ କୋଡ଼ିଙ୍ଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଚାରିଦିନ ଧରି କ୍ୱେଷ୍ଟ ଆଲିଆନ୍ସ ଓ ମୋ ସ୍କୁଲ ଅଭିଯାନର ମିଳିତ ଉଦ୍ୟମରେ ହାକାଥନ ଓ କୋଡ଼ିଙ୍ଗର ପ୍ରଶିକ୍ଷକ ମନୋଜ କୁମାର ବୀରାଙ୍କ ପଥ ପ୍ରଦର୍ଶନ ତଥା ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ଏବଂ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତତ୍ତ୍ୱାବଧାନରେ ଚାଲିଥିଲା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ପୂର୍ବରୁ ବିଦ୍ୟାଳୟର କୋଡ କ୍ଲବ ଜରିଆରେ ଏହି ଶିକ୍ଷଣ କାର୍ଯ୍ୟକ୍ରମ ଚଳି ଆସୁଥିବା ବେଳେ କେତେକ ଭିନ୍ନ କୌଶଳ ତଥା ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ପୂର୍ବକ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରଶିକ୍ଷକ ଅତି ସରଳ, ସରସ ଓ ସୁନ୍ଦର ଭାବରେ ସମ୍ପନ୍ନ କରିଥିଲେ । କୋଡିଂ ବିଷୟରେ ମୌଳିକ ଜ୍ଞାନ ବାଣ୍ଟିବା ସହିତ ବର୍ଜ୍ୟବସ୍ତୁରୁ କାର୍ଡ, ମେଗାଜିନ/ମିନିଜିନ, ସୌଖୀନ ଦ୍ରବ୍ୟ ତଥା ଅତ୍ୟାବଶ୍ୟକୀୟ ସାମଗ୍ରୀ ତିଆରି କରିବାର କୌଶଳ ଶିଖାଇଥିଲେ । ସୃଜନଶୀଳତା, ଜଟିଳ ଚିନ୍ତନ ଓ ମାନସିକ ଅଲୋଡ଼ନ ମାଧ୍ୟମରେ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ସମ୍ଭବ ବୋଲି ବିଭିନ୍ନ ଉଦାହରଣ ଛଳରେ ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହ ତାହାର ପ୍ରୟୋଗ ମାଧ୍ୟମରେ ସେମାନେ କିପରି ସହଜରେ ନିଜର ତଥା ସମାଜର ଉନ୍ନତି ସାଧନ କରିପାରିବେ ସେ ସମ୍ବନ୍ଧରେ ବିଶେଷ ଆଲୋଚନା କରିଥିଲେ । ଏହି ଚାରି ଦିନିଆ ପ୍ରଶିକ୍ଷଣରେ ପିଲାମାନେ ଦଳଗତ ଭାବେ ତିଆରି କରିଥିବା କାର୍ଯ୍ୟକ୍ଷମ ମଡେଲଗୁଡ଼ିକ ସମସ୍ତଙ୍କୁ ବେଶ ଆକୃଷ୍ଟ କରିଥିଲା । ପ୍ରଶିକ୍ଷଣ ଶେଷ ଦିବସରେ ଶ୍ରୀମତୀ ମହାପାତ୍ର ପିଲାଙ୍କୁ ଦୈନନ୍ଦିନ ଜୀବନର କିଛି ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟ କାମନା କରିଥିଲେ ।

jayashree
Leave A Reply

Your email address will not be published.