oom

ବେଆଇନ ଜମି ହଡପ ଏବଂ ଆକ୍ରମଣ ମାମଲା : ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଫେରାଦ ହେଲେ ପୀଡିତା

jsmm
  • ନ୍ୟାୟ ନ ମିଳିଲେ, ଥାନା ଘେରାଉ – ଆଦିବାସୀ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବୁରୋମାଲ ଗ୍ରାମର ୬ ଜଣ ମହିଳା ତାଙ୍କର ଜମି ହଡପ କରାଯିବା ସହିତ ସେମାନଙ୍କୁ ଅସଦାଚରଣ ଓ ଆକ୍ରମଣର ଲିଖିତ ଅଭିଯୋଗ ନେଇ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଫେରାଦ ହେଇଛନ୍ତି । ଏ ସଂପର୍କରେ କଣ୍ଟାବାଞ୍ଜି ଥାନାରେ ବାରମ୍ବାର ଅଭିଯୋଗ ସତ୍ୱେ ନା ମାମଲା ଦର୍ଜ କରାଯାଉଛି ନା ଦୋଷୀଙ୍କୁ ଗିରଫ କରାଯାଉଛି ବୋଲି ମହିଳାଗଣ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସମ୍ବନ୍ଧରେ ଏସଡିପିଓଙ୍କ ସହ କଥା ହେବାପରେ ମାମଲାକୁ ଗୁରୁତ୍ୱର ସହ ନିଆଯିବା ନେଇ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି ।

ସୂଚନାରୁ ପ୍ରକାଶ ଯେ, ଗତ ୯ ଜାନୁଆରୀ ଦିନ କଣ୍ଟାବାଞ୍ଜିର ଦୁଇ ଜଣ ଜମି ବେପାରୀ ଗୁଣ୍ଡା ପଠାଇ ପୀଡିତାମାନଙ୍କୁ ଜୋର ଜବରଦସ୍ତ ଜମିରୁ ବେଦଖଲ କରିବା ପାଇଁ ବଳ ପ୍ରୟୋଗ କରିଥିଲେ । ମହିଳାମାନେ ଅରାଜି ହେବାରୁ ସେମାନଙ୍କୁ ଅସଦାଚରଣ କରିବା ସହ ମାରି ଦେବାକୁ ଧମକ ଦେଇଥିଲେ । ପୀଡିତାମାନେ ୧୪ ଜାନୁଆରୀ ଦିନ କିଛି ଗୁଣ୍ଡାଙ୍କ ନାମ ଓ ତାଙ୍କ କାର୍ଯ୍ୟକଳାପ ସଂକ୍ରାନ୍ତରେ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ଥାନା ଅଧିକାରୀ ଏ ଉପରେ କର୍ଣ୍ଣପାତ କରି ନଥିଲେ । ଖବର ପାଇବା ପରେ ଗୁଣ୍ଡାମାନେ ଜମି ହଡପ କରିବା ସହ ଏମାନଙ୍କୁ ସପରିବାର ମାରି ଦେବାକୁ ଧମକ ଦେଇଥିବା ବେଳେ ଥାନା ଅଧିକାରୀ ସେମାନଙ୍କୁ ଗିରଫ କରିବା ଦୂରେ ଥାଉ ସେମାନଙ୍କ ବିରୁଦ୍ଧରେ ମାମଲା ଦର୍ଜ କରୁ ନଥିବା ପୀଡିତାମାନେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଘଟଣା ଆଦିବାସୀ ସଂଘକୁ ପହଞ୍ଚି ଥିବା ବେଳେ ସଂଘ ଘଟଣାକୁ ଗୁରୁତ୍ୱର ସହ ନିଆଯାଇ ଦୋଷୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛି । ନଚେତ ଆଦିବାସୀମାନେ ଥାନା ଘେରାଉ କରିବା ସହ ନିଜର ସୁରକ୍ଷା ପାଇଁ ଅସ୍ତ୍ର ଶସ୍ତ୍ର ହାତକୁ ନେବାକୁ ବାଧ୍ୟ ହେବେ ବୋଲି କହିଛି । ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଘଟଣାରେ ପୀଡିତା ଧନମତୀ ମାଝୀ, ସେବତୀ ମାଝୀ, ପୁତନା ମଲ୍ଲିକ, ଦେମତୀ ମାଝୀ, ଧିରେ ମାଝୀ ଓ ଜୁମୋବତୀ ମାଝୀଙ୍କ ସହିତ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରୀ ସଭାପତି ବନଲତା ମାଝୀ ଓ ନାରୀନେତ୍ରୀ ଗେଲନ୍ତି ସମରଥ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.