pakka

ଖଲିଆପାଲି ମହିମାପୀଠରେ ମାଘମେଳା ଆରମ୍ଭ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସନ୍ଥକବି ଭୀମ ଭୋଇଙ୍କ ସାଧନା, ସିଦ୍ଧି ଓ ସମାଧିପୀଠ ଖଲିଆପାଲିଠାରେ ଆଜିଠାରୁ ପବିତ୍ର ମାଘମେଳା ଆରମ୍ଭ ହୋଇଯାଇଛି । ଭୀମ ଭୋଇ ସମାଧିପୀଠ ଟ୍ରଷ୍ଟ ଓ ମାଘମେଳା କମିଟିର ମିଳିତ ଆନୁକୂଲ୍ୟରେ ୫ଦିନ ଧରି ହେବାକୁ ଥିବା ମାଘମେଳା ଆରମ୍ଭ ହୋଇଯାଇଛି । ଜଗତ ଭଗତଙ୍କ ମଙ୍ଗଳ ପାଇଁ ମହିମାଧର୍ମ ସମର୍ପିତ । ସେଥିପାଇଁ ବିଶ୍ୱକଲ୍ୟାଣ ପାଇଁ ମହିମା ସାଧୁମାନେ ଅଲେଖ ନିରଂଞ୍ଜନଙ୍କୁ ଡାକ ଦେଉଛନ୍ତି । ଖଳିଆପାଲିରେ ହଜାର ଭକ୍ତ ଓ ସାଧୁଙ୍କ ସମାବେଶ ହେଉଛି । ମହିମାଧର୍ମର ଦ୍ୱିତୀୟପୀଠ ଖଲିଆପାଲିରେ ସନ୍ଥକବି ଭୀମ ଭୋଇଙ୍କ ଜୀବିତାବସ୍ଥା ସମୟରୁ ମାଘମେଳା ଅବସରରେ ଗୁରୁପୂଜନ ହୋଇଆସୁଛି । ମାଘମାସ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀରେ ଭୀମ ଭୋଇ ଓ ତାଙ୍କର ଆଧ୍ୟାତ୍ମିକ ସଙ୍ଗୀନି ମା’ ଅର୍ଣ୍ଣପୂର୍ଣ୍ଣାଙ୍କୁ ଭକ୍ତମାନେ ବେଦୀକାରେ ବସାଇ ୧୦୮ ଜଳପୂର୍ଣ୍ଣ କୁମ୍ଭ ରଖି ପାଦଧୌତ କରି ଗୁରୁପୂଜନ କରାଯାଉଥିଲା । ଗୁରୁପୂଜନର ଏହା ଏକ ଅନନ୍ୟ ପରମ୍ପରା ରହିଆସିଛି । ଆଜି ମଧ୍ୟ ସେହି ପରମ୍ପରା ରହିଆସିଛି । ଭୀମ ଭୋଇଙ୍କ ଦେହାନ୍ତ ପରେ ମହିମାଧର୍ମର ଭକ୍ତଙ୍କ ଉଦ୍ୟମରେ ଏକ ସମାଧି ମନ୍ଦିର ନିର୍ମାଣ କରାଯାଇଛି । ତେବେ ଅନେକ ବର୍ଷ ପୀଠଟି ଅବହେଳିତ ହୋଇ ପଡିରହିଲା, ପରେ ୧୯୯୯ ମସିହାରେ ସ୍ଥାନୀୟ ଲୋକ ଓ ଜିଲ୍ଲା ପ୍ରଶାସନର ଉଦ୍ୟମରେ ଭୀମ ଭୋଇ ସମାଧିପୀଠ ଟ୍ରଷ୍ଟ ଗଠନ କରାଯାଇ ମାଘମେଳାକୁ ଜାକଜମକ୍‌ରେ ଆୟୋଜନ କରାଯାଉଛି । ଚତୁର୍ଦ୍ଦଶୀ ଦିନ ଟ୍ରଷ୍ଟ ପକ୍ଷରୁ ଏକ ସାରସ୍ୱତ ସମାରୋହ କରାଯାଉଛି । ଶନିବାର ଦିନ ଏହି ସାରସ୍ୱତ ମାଘମେଳା ହେବ । ଟ୍ରଷ୍ଟର ଅଧ୍ୟକ୍ଷା ଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଳ ନରୱଣେ ଏଥିରେ ସଭାପତିତ୍ୱ କରିବେ । ମୁଖ୍ୟ ଅତିଥି ରୂପରେ ସୋନପୁର ବିଧାୟକ ତଥା ଅର୍ଥ, ସଂସଦୀୟ ବ୍ୟାପାର ଓ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାହାରୀ, ସମ୍ମାନିତ ଅତିଥି ଭାବରେ ପଶ୍ଚିମଓଡିଶା ବିକାଶ ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଡ. ଅଜିତ କୁମାର ମିଶ୍ର, ସୋନପୁର ଏସ୍‌ପି ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଂଜନ କୁଅଁର ଓ ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଟ୍ରଷ୍ଟର ମେନେଜିଂ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ ସୂଚନା ଦେଇଛନ୍ତି । ପ୍ରକାଶ୍ୟ ଯେ, ଖଲିଆପାଲିର ଏହି ପୀଠକୁ ରାଜ୍ୟ ସରକାର ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଛନ୍ତି । ଏଠାରେ କଲ୍ୟାଣ ମଣ୍ଡପ, ଭଜନ ମଣ୍ଡପ, ପର୍ଯ୍ୟଟକଙ୍କ ପାଇଁ ଅତିଥି ଗୃହ, ଭୀମ ଭୋଇଙ୍କ ବ୍ୟବହୃତ ଜିନିଷର ସୁରକ୍ଷା ପାଇଁ ଏକ ମ୍ୟୁଜିୟମ, ଦୋକାନ ଗୃହ, ପାନୀୟଜଳ ଯୋଗାଣ ଇତ୍ୟାଦି ନିର୍ମାଣ କରାଯାଇଛି । ସନ୍ଥକବିଙ୍କ ଲିଖିତ ପାଣ୍ଡୁଲିପିଗୁଡିକୁ ଇନଟାକ ପକ୍ଷରୁ ସୁରକ୍ଷିତ କରାଯାଇଛି । ମନ୍ଦିରକୁ ରଙ୍ଗ କରାଯାଇ ସୁନ୍ଦର କରାଯାଇ ସାମନାରେ ଏକ ସୁନ୍ଦର ବଗିଚା ଓ ଲନ ସୃଷ୍ଟି କରାଯାଇଛି । ବାବା, ମାତା ଓ ମହିମା ସାଧୁଙ୍କ ପାଇଁ ସ୍ୱତନ୍ତ୍ର ଆବାସ ସ୍ଥଳୀ ମଧ୍ୟ କରାଯାଇଛି । ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଘମେଳା ହେବାକୁ ଯାଉଛି । ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀରେ ଭକ୍ତଙ୍କ ଦର୍ଶନ ପାଇଁ ସମାଧିମନ୍ଦିରକୁ ନୀତିକାନ୍ତି ସହିତ ଖୋଲାଯିବ ବୋଲି ପୀଠର ମୁଖ୍ୟ ସନ୍ୟାସୀ ବାବା କହିଛନ୍ତି । ପ୍ରତିବର୍ଷ ଓଡିଶା ତଥା ବାହାର ରାଜ୍ୟ ଓ ବିଦେଶୀ ପର୍ଯ୍ୟଟକ ମଧ୍ୟ ମାଘମେଳାରେ ଯୋଗ ଦେଇଥାନ୍ତି । ଚଳିତବର୍ଷ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି । ମାଘମେଳାରେ ଯୋଗ ଦେଉଥିବା ସମସ୍ତ ଭକ୍ତଙ୍କ ପାଇଁ ଅନ୍ନପ୍ରସାଦର ମଧ୍ୟ ବ୍ୟବସ୍ଥା କରାଯାଉଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସାରସ୍ୱତ ସମାରୋହରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ । ଟ୍ରଷ୍ଟର ପ୍ରଥମ ଉପାଧ୍ୟକ୍ଷ ତଥା ଅବସରପ୍ରାପ୍ତ ଆଏଏସ ପ୍ରେମାନିଧି ସେଠଙ୍କୁ ଭୀମ ଭୋଇ ସ୍ମୃତି ସମ୍ମାନ, ବାବା ରମେଶ ଦାସଙ୍କୁ ଭୀମ ଭୋଇ ମହିମା ସମ୍ମାନ, କବୟିତ୍ରୀ ଚନ୍ଦ୍ରାବତୀ ପାଣ୍ଡେଙ୍କୁ ଭୀମ ଭୋଇ କଳା ସମ୍ମାନ, ସାହିତ୍ୟିକ ପ୍ରଦୀପ କୁମାର ପଣ୍ଡାଙ୍କୁ ଭୀମ ଭୋଇ ସାହିତ୍ୟ ସମ୍ମାନ, ପଞ୍ଚାନନ ଜଗଦଲଙ୍କୁ ଭୀମ ଭୋଇ ଯୁବ ପ୍ରତିଭା ସମ୍ମାନ ଓ ସୁଶ୍ରୀ ଜିତା ପାତ୍ରଙ୍କୁ ଭୀମ ଭୋଇ କ୍ରୀଡା ସମ୍ମାନ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.

six − 4 =