ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ

  • ଓଡ଼ିଶାର ଚିନାବାଦାମ ଚାଷୀଙ୍କ ପାଇଁ ଗୁଜୁରାଟ ଯାତ୍ରା ବେଶ୍‌ ସହାୟକ ହେବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
  • ସୋଆ ଏବଂ ଲାଇଭ୍‌ଲିହୁଡ ଅଲ୍‌ଟରନେଟିଭ୍‌ ପକ୍ଷରୁ ଚାଷୀଙ୍କୁ ସହଯୋଗ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚିନାବାଦାମ ଚାଷର ଉପାୟ, ଉତ୍ପାଦନ ଓ ଜ୍ଞାନକୌଶଳ ନେବାପାଇଁ ଓଡ଼ିଶାର କିଛି ଚାଷୀ ଯାଉଛନ୍ତି ଗୁଜୁରାଟ । ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ପୁରୀ ଏବଂ କଟକର ପ୍ରାୟ ୮୦ ଜଣ ଚିନାବାଦାମ ଚାଷୀ ରବିବାର ୧୦ଦିନ ପାଇଁ ଗୁଜୁରାଟ ଯାଉଛନ୍ତି । ସେଠାରେ ସେମାନେ ଚିନାବାଦାମ ଚାଷ, ଉତ୍ପାଦନ, ଜ୍ଞାନକୌଶଳ, ଚାଷର ମଡେଲ୍‌ ଏବଂ ଉତ୍ପାଦିତ ପଦାର୍ଥକୁ ବଜାରରେ କିଭଳି ବିକ୍ରି କରି ହେବ ସେ ସମ୍ପର୍କରେ ଜ୍ଞାନ ଆହରଣ କରିବେ । କୃଷି କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଲାଇଭଲିହୁଡ୍‌ ଅଲ୍‌ଟରନେଟିଭ୍‌ର ମିଳିତ ସହଯୋଗରେ ଗୁଜୁରାଟ ପରିଦର୍ଶନରେ ଯାଉଥିବା ଓଡ଼ିଶାର ଚିନାବାଦାମ ଚାଷୀଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍‌ବୋଧନ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଚାଷୀମାନେ ଗୁଜୁରାଟ କୃଷି ବିଶ୍ୱବିଦ୍ୟାଳୟ ବୁଲି ଦେଖିବେ । ଲାଇଭଲିହୁଡ୍‌ ଅଲଟରନେଟିଭ୍‌ ନେତୃତ୍ୱରେ କୃଷି ଉତ୍ପାଦକ ସଂଗଠନ (ଏଫପିଓ) ଉଦ୍ୟମରେ ଗୁଜୁରାଟ ଗସ୍ତ କରୁଥିବା ଓଡ଼ିଶାର ଚାଷୀ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳ ଗୁଜୁରାଟ ମଡେଲକୁ ଦେଖି ଅଧିକ କୁଶଳୀ ହେବେ । ଓଡ଼ିଶାର ଚିନାବାଦାମ ଚାଷୀଙ୍କ ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି କରିବା ଦିଗରେ ଏହି ଯାତ୍ରା ବେଶ୍‌ ସହାୟକ ହେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

ଏହି ଚାଷୀମାନଙ୍କ ସହ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଏଗ୍ରିକଲ୍‌ଚରାଲ୍‌ ସାଇନ୍‌ସେସ୍‌ର ୨ଜଣ ଅଧ୍ୟାପକ ମଧ୍ୟ ଗୁଜୁରାଟ ଯିବେ । ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କୁ କହିଥିଲେ, ସୋଆ ଭଳି ବିଶ୍ୱବିଦ୍ୟାଳୟ ଚାଷୀଙ୍କ ଉନ୍ନତି ନିମନ୍ତେ ଯେଉଁଭଳି ଉଦ୍ୟମ କରୁଛି ତାହା ସ୍ୱାଗତଯୋଗ୍ୟ । ଚାଷୀଙ୍କୁ ସ୍ୱାବଲମ୍ୱୀ ହେବାକୁ ପଡିବ । ଓଡ଼ିଶାର ଜମି ବେଶ୍‌ ଉର୍ବର । ଗୁଜୁରାଟର ଜମି ସେତେଟା ଉର୍ବର ନଥିବା ବେଳେ ସେଠାରେ ବର୍ଷକୁ ୪୦ ଲକ୍ଷ ଟନ୍‌ ଚିନାବାଦାମ ଉତ୍ପାଦନ ହେଉଛି । ମାତ୍ର ଓଡ଼ିଶାରେ ଉତ୍ପାଦନ ୪ ଲକ୍ଷ ଟନ୍‌ରୁ କମ୍‌ ।

ଓଡ଼ିଶାର ଚିନାବାଦାମ ବେଶ୍‌ ମିଠା ଓ ଗୁଣାତ୍ମକ । ତେଣୁ ଏହାର ଚାଷ ଏବଂ ବିକ୍ରୟ ପ୍ରକ୍ରିୟାକୁ ବଢ଼ାଇବାକୁ ପଡ଼ିବ । ୨ ତିନି ବର୍ଷ ମଧ୍ୟରେ ୪ ଲକ୍ଷ ଟନ୍‌କୁ କିଭଳି ୪୦ ଲକ୍ଷ କରିହେବ ଏବଂ ବଡ଼ ବଡ଼ ଖାଦ୍ୟ ଉତ୍ପାଦନ କମ୍ପାନୀ ଆମ ଓଡ଼ିଶାର ବାଦାମକୁ କିଣିପାରିବେ ସେ ନେଇ ଆମ ଚାଷୀମାନଙ୍କୁ ଅଧିକ କାମ କରିବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଚାଷୀମାନଙ୍କ ଏହି ପରିଦର୍ଶନକୁ ନେଇ ଗୁଜୁରାଟ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ବିଜୟ କୁମାର ସାହୁ, ଲାଇଭଲିହୁଡ ଅଲ୍‌ଟରନେଟିଭର ସିଏମ୍‌ଡି ସମ୍ୱିତ ତ୍ରିପାଠୀ ଏବଂ ନାବାର୍ଡର ଆଞ୍ଚଳିକ ନିର୍ଦ୍ଦେଶିକା ଭବ୍ୟା ଆନନ୍ଦ ପ୍ରମୁଖ ଯୋଗଦେଇ ଚାଷୀମାନଙ୍କୁ ଉନ୍ନତ ପ୍ରଣାଳୀର ଚାଷ, ବ୍ୟବସାୟ ଏବଂ ସଶକ୍ତ ହେବା ନେଇ ବିସ୍ତୃତ ଭାବେ ବୁଝାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଦଧିଚି ଏଫ୍‌ପିଓ କଣାସର ସିଇଓ ଗତିକୃଷ୍ଣ ବାହିନୀପତି ଧନ୍ୟବାଦ ଦେଇଥିଲେ । ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜରଞ୍ଜନ ନାୟକ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.

error: Content is protected !!