ଭାରତୀୟ ଜନତା ପାର୍ଟି, ପାନପୋଷ ସାଂଗଠନିକ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ଜିଲ୍ଲା ପାନପୋଷ ସାଂଗଠାନିକ ଜିଲ୍ଲାର କାର୍ୟ୍ୟକାରିଣୀ ବୈଠକ ରାଉରକେଲା, ଫର୍ଟିଲାଇଜର ସ୍ଥିତ ରଙ୍ଗିଲା ଛକ ଶୁଭମ୍ ପ୍ୟାଲେସ ପରିସରରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ନିର୍ଦ୍ଦେଶ କ୍ରମେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗେ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ତାଙ୍କ ସ୍ୱାଗତ ଅଭିଭାଷଣରେ କାର୍ଯ୍ୟକାରିଣୀ ବୈଠକର ତାତ୍ପର୍ଯ୍ୟ, ଉଦ୍ଦେଶ୍ୟ ଏବଂ ସଙ୍ଗଠନର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ସଂଗଠନକୁ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଲା ଉପସଭାପତି ସୁବ୍ରତ ପଟ୍ଟନାୟକ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିବା ବେଳେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଚିଠା ପ୍ରସ୍ତାବ ଉପରେ ଚର୍ଚ୍ଚା କରିବା ସହିତ ସର୍ବସମ୍ମତି କ୍ରମେ ପାରିତ କରିବା ପାଇଁ ଉପସ୍ଥାପନା କରିଥିଲେ । ଏହା ସର୍ବସମ୍ମତି ରୂପେ ପାରିତ କରାଯାଇଥିଲା । ଏହି ଚିଠା ପ୍ରସ୍ତାବରେ ଶାସନ ଅବସ୍ଥାରେ ସ୍ଥାଣୁତା ଆଇନ ଶୃଙ୍ଖଳାରେ ଅଧୋଗତି, ବେକାରୀ ସମସ୍ୟା, ଚାଷୀ ଓ ଚାଷ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ଶିକ୍ଷା ବ୍ୟବସ୍ଥା, ଆଦିବାସୀ- ଦଳିତଙ୍କୁ ଅଣଦେଖା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା, ମହିଳାଙ୍କ ଆର୍ଥିକ ବିକାଶରେ ବାଧକତା, ସ୍ୱାସ୍ଥ୍ୟ ସେବା ଓ ପାନୀୟଜଳ ଯୋଗାଣର ବିଫଳତା, ଓବିସି ବର୍ଗଙ୍କୁ ଅବହେଳିତ, ହକି ବିଶ୍ୱକପରେ ନିର୍ମାଣ କାମରେ ନିମ୍ନସ୍ତରତା, ସାଂସଦ ଓ ବିଧାୟକଙ୍କୁ ବିଶ୍ଵକପ ଖେଳରେ ଅଣଦେଖା, ପୌର ନିର୍ବାଚନ, ରାସ୍ତାଘାଟ ଓ ଟ୍ରାଫିକ ସମସ୍ୟା, ପୁରୁଣାପାଣିରେ ସିମେଣ୍ଟ କାରଖାନା ପ୍ରତିଷ୍ଠା, ମେଡ଼ିକାଲ କଲେଜ ସ୍ଥାପନ, କୋଏଲ ବ୍ୟାରେଜ ନିର୍ମାଣ, ରାଉରକେଲାରେ ବସ୍ତି ବାସିନ୍ଦଙ୍କୁ ପକ୍କା ଘର ପ୍ରଦାନ, ପନ୍ଦର ହଜାର ଗୃହ ନିର୍ମାଣର ପ୍ରତିଶ୍ରୁତିକୁ ପାଳନ କରିବା ସହିତ ମୁଖ୍ୟମନ୍ତ୍ରୀ ରାଉରକେଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ଆଦି ଦାବୀ କରାଯାଇଥିଲା । ଶୋକ ପ୍ରସ୍ତାବ ଆଗତ କରାଯାଇ ଜିଲ୍ଲାରେ ମୃତ୍ୟୁବରଣ କରିଥିବା କଳାବତୀ ସାହୁ, ଦେବିଶ୍ମିତା ବିଲ୍ହାର, ଶିବ ଚରଣ ସାମଲ, ଶିବ ଚରଣ ବୋଇତୀ, ଚିତ୍ତ ଦାସ, ରମେଶ ବଳ, ସୋନୁ ଚୌଧୁରୀ ଆଦିଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା- ସଂଗଠନାତ୍ମକ, ନିହାର ରାୟ – ଆନ୍ଦୋଳନାତ୍ମକ, ପ୍ରମିଳା ଦାସ ସଂଗଠନ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ବର୍ତ୍ତମାନ ପରିସ୍ଥିତିରେ ରାଜନୀତି ଉପରେ ଚର୍ଚ୍ଚା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣାରେ ଚାଉଳ ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବର୍ଦ୍ଧିତ ସହଯୋଗ, ମହିଳା ସଶକ୍ତିକରଣ ପାଇଁ ଇନ୍ଦ୍ରିୟ ଅନୁଦାନ, ୨ୟ ବ୍ରାହ୍ମଣୀ ବ୍ରିଜର ନିର୍ମାଣ, ସୁପର ସ୍ପେସିଆଲିଟ ହସ୍ପିଟାଲର ନିର୍ମାଣ, ରାଉରକେଲା ଏୟାରପୋର୍ଟ କାର୍ଯ୍ୟକ୍ଷମ, ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ନିର୍ମାଣ ଓ ଖେଳ, ହର ଘର ନଲ ସେ ଜଳ, ଜଳ ଜୀବନ ମିଶନ, କୃଷି କଲ୍ୟାଣ ଆଦି ଯୋଜନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଜିଲ୍ଲା ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

ରାଜ୍ୟ ମୁଖପାତ୍ର ତାଙ୍କ ଅଭିଭାଷଣରେ ସାଂଗଠାନିକ ଶୃଙ୍ଖଳା, ବୁଥ କମିଟି ସୁଦୃଢତା, କାର୍ଯ୍ୟକର୍ତ୍ତାଙ୍କ ବିକାଶ ଉପରେ ଆଲୋକପାତ ସହିତ ରାଜ୍ୟସରକାରଙ୍କ ଅପାରଗତା, ଭ୍ରଷ୍ଟାଚାର, ଡି. ଏମ୍‌ଏଫ୍ ଫଣ୍ଡର ଅପବ୍ୟବହାର, ମା’ ଓ ଶିଶୁଙ୍କର ଅବହେଳା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ଆଦି ଉପରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା । ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସମ୍ପାଦକ ଅଜୟ କଂସାରି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆପେକ୍ଷିତ ରାଜ୍ୟ ନେତା, ଜିଲ୍ଲା କାର୍ଯ୍ୟକର୍ତ୍ତା ଓ କାର୍ଯ୍ୟକାରିଣୀ ସଦସ୍ୟ, ମୋର୍ଚ୍ଚା ସଭାପତି, ମଣ୍ଡଳ ସଭାପତି ସାଧାରଣ ସମ୍ପାଦକ ଉପସ୍ଥିତ ଥିଲେ । ପରିଶେଷରେ ଫର୍ଟିଲାଇଜର ମଣ୍ଡଳ ସଭାପତି ସନ୍ତୋଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଓ ଜାତୀୟ ସଙ୍ଗୀତ ଗାନ କରାଯାଇ ସମାପନ କରାଯାଇଥିଲା ।

Leave A Reply

Your email address will not be published.