ଖପ୍ରାଖୋଲ, (ଅଶୋକ ବାଗ) : ଧଣ୍ଡାମୁଣ୍ଡାରୁ ବୁଢ଼ୀବାହାଲ ଦେଇ ଖପ୍ରାଖୋଲ ପାଟଣାଗଡ଼ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ଆଜି ଦିନ ୧୧ଟା ବେଳେ ଭାରସାମ୍ୟ ହରାଇ ଗୋଟିଏ କାର ଗଛରେ ପିଟି ହୋଇ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡାର ଆଶୁତୋଷ ଦାସ, ତାଙ୍କ ସ୍ତ୍ରୀ ସମୀକ୍ଷା ମହାପାତ୍ର, ପୁଅ ସାରାଂଶ ଦାସ ବଲାଙ୍ଗିର ବାହାଘରକୁ ଆସିଥିଲେ । ଗତକାଲି ବାହାଘର ସରିଥିବାରୁ ସେମାନେ ଆଜି ସକାଳୁ ତାଙ୍କ ଶ୍ୱଶୁର ସୁରେଶ ମହାପାତ୍ରଙ୍କ ସହ ଗୋଟିଏ କାର ନଂ ( ୨୨ ବିଏଚ୍ ୬୬୧୫ ଏ) ଯୋଗେ ବାହାରି ହରିଶଙ୍କର ବୁଲିବା ପାଇଁ ଯାଉଥିଲେ । କରଲାବହାଲି ଓ ବୁଢ଼ୀବାହାଲ ମଝିରେ ଥିବା ବୁଲାଣିରେ ଗାଡିଟି ଭାରସାମ୍ୟ ହରାଇ ଗୋଟିଏ ବମୁର ଗଛରେ ପିଟି ହୋଇଥିଲା । ଏହି ଦୁର୍ଘଟଣାରେ ସମସ୍ତେ ଗଭୀର ଆହତ ହୋଇଥିବା ବେଳେ ଏଗାର ମାସର ପୁଅ ସାରାଂଶ ଭଲରେ ଥିବା ଜଣାଯାଇଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପାଟଣାଗଡ଼ ଡାକ୍ତରଖାନା ଓ ପରେ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଖପ୍ରାଖୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟିଥିବା ଗାଡିକୁ ଜବତ କରିବା ସହିତ ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ କି ଆଶୁତୋଷ ଦାସ କଲିକତା ସ୍ଥିତ ଟିସିଏସ୍ରେ କାମ କରୁଥିବା ଜଣାପଡିଛି ।