ବୈଚ୍ୟିତ୍ରମୟ ଲୋକ ସଂସ୍କୃତିର ଅନନ୍ୟ କ୍ଷେତ୍ର ବଲାଙ୍ଗିର

  • ଲୋକ ଉତ୍ସବ ଅବସରରେ ଆୟୋଜିତ ହେଲା ସଂପାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଲୋକ ଜୀବନ ବେଶ ସରସ ଓ ଚଞ୍ଚଳ । ଏଠାକାର ବୈଚ୍ୟିତ୍ରମୟ ଲୋକ ସଂସ୍କୃତି ବଲାଙ୍ଗିରକୁ ସମଗ୍ର ବିଶ୍ୱ ଦରବାରରେ ପ୍ରଦାନ କରିଛି ଏକ ଭିନ୍ନ ପରିଚୟ । ବୈଚ୍ୟିତ୍ରମୟ ଲୋକ ସଂସ୍କୃତିର ଅନନ୍ୟ କ୍ଷେତ୍ର ବଲାଙ୍ଗିର ଏବଂ ବଲାଙ୍ଗିର ସମଗ୍ର ବିଶ୍ୱକୁ ଆଲୋକିତ କରୁଛିି ନିଜସ୍ୱ ମହିମାରେ ବୋଲି ବଲାଙ୍ଗିର ଲୋକ ଉତ୍ସବ ପରିପ୍ରେକ୍ଷୀରେ ଆୟୋଜିତ ସଂପାନରେ ଯୋଗ ଦେଇଥିବା ବକ୍ତାମାନେ ମତ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ, ଏକବିଂଶତମ ଲୋକ ଉତ୍ସବର ଦ୍ୱିତୀୟ ଦିନରେ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ବଲାଙ୍ଗିରର ଲୋକ ସଂସ୍କୃତି ଓ ଐତିହ୍ୟ ଉପରେ ଏକ ସଂପାନ ଆୟୋଜିତ ହୋଇଥିଲା । ସଂପାନ ସମିତିର ସହଅଧ୍ୟକ୍ଷ ଡ. ସଂଜୟ କୁମାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ସ୍ୱାଗତ ଭାଷଣ ଦେଇଥିଲେ କମିଟିର ଅଧ୍ୟକ୍ଷ ରବିନ୍ଦ୍ର କୁମାର ଦଲାଇ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସଂଜୟ କୁମାର ଶତପଥି ଏବଂ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ବଲାଙ୍ଗିରର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ । ଏହି ଅବସରରେ ବିଶିଷ୍ଟ ନାଟ୍ୟତତ୍ତ୍ୱବିଦ୍‌ ସନାତନ ଠାକୁର ଏବଂ ପ୍ରାବନ୍ଧିକ ଡ. ସନ୍ତୋଷ କୁମାର ରଥଙ୍କୁ ଯଥାକ୍ରମେ ନାଟକ ଓ ପ୍ରବନ୍ଧ ସମ୍ମାନରେ ସମ୍ମାନିତ କରାଯାଇଥିଲା । ମାନପତ୍ର ପାଠ କରିଥିଲେ ଅଧ୍ୟାପିକା ମନ୍ଦାକିନୀ ମେହେର ଏବଂ ଛାତ୍ରୀ ମାମିନା ମେହେର । ଉକ୍ତ ସଂପାନରେ ବଲାଙ୍ଗିରର ଲୋକ ସଂସ୍କୃତି ଓ ଐତିହ୍ୟ ଉପରେ ପ୍ରବନ୍ଧ ପାଠ କରିଥିଲେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଲୋକ ଗବେଷକ ଡୋଳାମଣି ମାଝି, ଟିଟିଲାଗଡ ଡିଏଭି ମହାବିଦ୍ୟାଳୟର ଛାତ୍ରୀ ସୁନିତା ନାଏକ, କେଭି ଡିଗ୍ରୀ ମହାବିଦ୍ୟାଳୟର କଂଟାବାଞ୍ଜିର ଛାତ୍ରୀ ପ୍ରିୟଦର୍ଶିନୀ ପ୍ରଧାନ ଏବଂ ଛାତ୍ର ଅର୍ଜୁନ ମହାକୁଡ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ରୀ ବର୍ଷା ସାହୁ, ଖଡିଆଲ ମହାବିଦ୍ୟାଳୟର ଛାତ୍ର କ୍ଷେତ୍ରିୟ ସିକା, ଗୁରୁଶ୍ରୀ ଡ. ଘାସିରାମ ମିଶ୍ର, ଡ. ଅଜିତ କୁମାର ଭୋଇ, ଡ. କୌତୁକ ପନ୍ଦର । ନିଜସ୍ୱ ବକ୍ତବ୍ୟରେ ସମ୍ବର୍ଦ୍ଧିତ ପ୍ରତିଭା ଦ୍ୱୟ ଡ. ସନ୍ତୋଷ କୁମାର ରଥ ଏବଂ ସନାତନ ଠାକୁର ବଲାଙ୍ଗିରର ଲୋକ ସଂସ୍କୃତି ଓ ଲୋକ ଐତିହ୍ୟର ଗଭୀର ତାତ୍ତ୍ୱିକ ଆଲୋଚନା କରିବା ସହ ବଲାଙ୍ଗିରର ଲୋକ ଜୀବନର ଏକ ଉନ୍ନତ ଓ ଉଚ୍ଚ ପରଂପରା ରହିଛି ଏବଂ ତାହା ଦ୍ୱାରା ଅନେକ ଲୋକ କିମ୍ବଦନ୍ତି ଏବଂ ମିଥ୍‌ ଆଦି ଗଢି ଉଠିଛି । ସେ ସବୁର ସଂଗ୍ରହ ଏବଂ ଗବେଷଣା ଏ ସମୟର ଏକାନ୍ତ ଆବଶ୍ୟକତା ବୋଲି କହିଥିଲେ । ମୁଖ୍ୟ ଅତିଥି ପ୍ରଫେସର ଶତପଥି ନିଜସ୍ୱ ଅଭିଭାଷଣରେ ପଶ୍ଚିମାଞ୍ଚଳର, ବଲାଙ୍ଗିରର ଲୋକ ଜୀବନ ଓ ଲୋକ ସାହିତ୍ୟ ଉପରେ ଆଲୋଚନା କରି ତାହା ଉପରେ ଏକ ମାର୍ମିକ ବାସ୍ତବଧର୍ମି ଚିତ୍ର ପ୍ରଦାନ କରିଥିଲେ । ସଭାରେ ବିଶ୍ୱ ବିଦ୍ୟାଳୟମାନେ ଲୋକ ଜୀବନ, ଲୋକ ସଂସ୍କୃତି ଏବଂ ଲୋକ ସାହିତ୍ୟ ଉପରେ ଅଧିକରୁ ଅଧିକ ଗବେଷଣା କରିବା ଏ ଉପରେ ଏକ ନିର୍ଦ୍ଦିଷ୍ଟ ବିଭାଗ ଖୋଳିବା ଉପରେ ମତ ପ୍ରକାଶ ପାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ଲୋକ ସଂସ୍କୃତି ସମ୍ପର୍କିତ ନିଜସ୍ୱ ଅନୁଭୁତି କହିବା ସହ ଏହି ଉପରେ ଅଧିକରୁ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ । ଉତ୍ସବ ପ୍ରାରମ୍ଭରେ ପ୍ରଭାକର ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ନାଗରିକମାନେ କଳାହାଣ୍ଡି କୁଳପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ମିଶ୍ର, ସଭ୍ୟ ଅରୁଣ ଖୁଆସ, ଜୟକୃଷ୍ଣ ମିଶ୍ର, ଅର୍ଜୁନ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ସଭାରେ ବିଶିଷ୍ଟ ଗାଳ୍ପିକା ଗାୟତ୍ରୀ ସରାଫ, ଝାରସୁଗୁଡା ଜିଲ୍ଲା ସାହିତ୍ୟ ଏକାଡେମୀ ସଭ୍ୟ ଡ. ଶିିବ ପ୍ରିୟା ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଭାଗିରଥି ମିଶ୍ର, ସନ୍ଦିପ କୁମାର କୁଅଁର, ସଂଗୀତା ଦାଶ, ପଞ୍ଚାନନ ମିଶ୍ର, ଗୋରେଖନାଥ ସାହୁଙ୍କ ସହ କେଭି ଡିଗ୍ରୀ ମହାବିଦ୍ୟାଳୟ କଣ୍ଟାବାଞ୍ଜି ଏବଂ ଡିଏଭି ମହାବିଦ୍ୟାଳୟ ଟିଟିଲାଗଡର ସ୍ନାତକୋତ୍ତର ବିଭାଗ ଛାତ୍ରଛାତ୍ରୀମାନଙ୍କ ସହ ଶତାଧିକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ସଭ୍ୟ ଡ. ଲଳିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.