ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଐତିହ୍ୟ ସଂପନ୍ନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଯାହା ଉତ୍କଳମଣିଙ୍କ ହାତ ଗଢା କାରଖାନା ରୂପେ ସର୍ବତ୍ର ପରିଚିତ ତାହା ଦିନେ ଜାତୀୟ ବିଦ୍ୟାଳୟର ମାନ୍ୟତା ପାଇଥିଲା ଏବଂ ସେତେବେଳେର ନାମକରଣ ଥିଲା ସତ୍ୟବାଦୀ ଜାତୀୟ ବନ ବିଦ୍ୟାଳୟ । କ୍ଷୋଭ ଓ ପରିତାପର ବିଷୟ ଜାତୀୟ ବନ ବିଦ୍ୟାଳୟ ନାମକୁ କିପରି ପରିବର୍ତ୍ତନ କରାଯାଇ, କେବେଠାରୁ କାଗଜ କଲମରେ ସରକାରୀ ସ୍ତରରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଲେଖା ଯାଉଛି ଯାହାପାଇଁ ଅଂଚଳବାସୀ, ପୁରାତନ ଛାତ୍ରମାନେ ଓ ଅବସରପ୍ରାପ୍ତ ଶିକ୍ଷକମାନେ ଅସନ୍ତୁଷ୍ଟ ପ୍ରକାଶ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରୁ ଅତିତରେ ଅବସର ନେଇଥିବା ଶିକ୍ଷକ ଅଶୋକ ପ୍ରଧାନ, ବନମାଳି ବେହେରା, ହରିବନ୍ଧୁ ପ୍ରଧାନ, ପ୍ରସନ୍ନ ରଥ, ପ୍ରଭାତ ଚନ୍ଦ୍ର ରଥ ସମେତ ବିଦ୍ୟାଳୟରୁ ନିକଟରେ ପଦୋନ୍ନତି ପାଇ ଅନ୍ୟତ୍ର ଯୋଗ ଦେଇଥିବା ଶ୍ରୀମତୀ ଭବମ୍ ପ୍ରଧାନ, ବିଜୟ କୁମାର ପରିଡା, ସତ୍ୟବାଦୀ ଦାଶ ଓ ପ୍ରଶାନ୍ତ କୁମାର ତ୍ରିପାଠୀ ବିଦ୍ୟାଳୟ ପରିସରରେ ଏକଜୁଟ ହୋଇ ସତ୍ୟବାଦୀ ଜାତୀୟ ବନ ବିଦ୍ୟାଳୟ ନାମକରଣକୁ ପୁନଃ ଉଦ୍ଧାର କରାଯିବାକୁ ପ୍ରସ୍ତାବ ଦେଇଥିଲେ । ଉପସ୍ଥିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ତଥା ଅବସରପ୍ରାପ୍ତ ଅଣଶିକ୍ଷକ କର୍ମଚାରୀ ନକୁଳ ସାହୁ, ଲୀନା ମହାପାତ୍ର ଓ ବସନ୍ତ କୁମାର ମହାନ୍ତି ପ୍ରମୁଖ ପୂର୍ଣ୍ଣ ସହମତି ଦେଇଥିଲେ । ଶେଷରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ନାମକୁ ପରିବର୍ତ୍ତତ କରି ରାଜ୍ୟ ସରକାର ଏହାର ଗୌରବମୟ ଗାରିମାକୁ ଅକ୍ଷୁର୍ଣ୍ଣ ରଖିବେ ଯାହା ନାମକରଣ ଥିଲା ଜନ ମାନସରେ ସତ୍ୟବାଦୀ ବନ ବିଦ୍ୟାଳୟ । ସରକାରଙ୍କ ଦୃଷ୍ଟି ଆକର୍ଷଣ ସ୍ୱରୂପ ଉକ୍ତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିବର୍ତ୍ତେ ସତ୍ୟବାଦୀ ବନ ବିଦ୍ୟାଳୟ ନାମକରଣ ବିଜ୍ଞପ୍ତି ଜାରି କରି ଦୃଷ୍ଟି ଆକର୍ଷଣ କରାଇବାକୁ ପ୍ରେସ୍ ମିଡିଆ ଜରିଆରେ ସମୂହ ଅବସରପ୍ରାପ୍ତ ଶିକ୍ଷକ ଓ ସ୍ଥାନାନ୍ତରଣ ହୋଇଥିବା ଶିକ୍ଷକମାନେ ଏବଂ ଅବସରପ୍ରାପ୍ତ ଅଣଶିକ୍ଷକ କର୍ମଚାରୀ ବୃନ୍ଦ ଅନୁରୋଧ କରିଛନ୍ତି ।