ରାଉରକେଲା, (ସସ୍ମିତା ପ୍ରଧାନ) : ଚକ୍ରଧରପୁର ନିକଟସ୍ଥ ମେରମେରା, ସାନି ପଦ୍ମପୁର, ଦେଓଗାଁ ଏବଂ ଚୈନପୁର ଗ୍ରାମରେ ଓଡ଼ିଆ ସମାଜର ବୁଦ୍ଧିଜୀବୀ ବର୍ଗ ଦ୍ୱାରା ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଝାଡ଼ଖଣ୍ଡ ସରକାରଙ୍କ ଦ୍ଵାରା ଓଡ଼ିଆ ଭାଷା ପ୍ରତି ଯେଉଁ ବୈମାତୃକ ମନୋଭାବ ପରିପ୍ରକାଶ କରି ଝାଡ଼ଖଣ୍ଡ ଏକାଡେମିକ କାଉନସିଲ୍ (ଜ୍ୟାକ୍)ର ପ୍ରେସ୍ ବିଜ୍ଞପ୍ତି ବାହାର କରିଛନ୍ତି ତା’ ପ୍ରତିକୁ ଦାହ ସଂସ୍କାର କରି ତୀବ୍ର ସମାଲୋଚନା ସହିତ ବିରୋଧ ପ୍ରଦର୍ଶନ କରାଯାଇଛି । ଅବିଭକ୍ତ ସିଂହଭୂମି ଜିଲ୍ଲାର ଗ୍ରାମାଞ୍ଚଳରେ ଝାଡ଼ଖଣ୍ଡ ସରକାରଙ୍କ ଏଭଳି ଓଡ଼ିଆ ଭାଷା ଉଚ୍ଛେଦ ପାଇଁ ଷଡ଼ଯନ୍ତ୍ରକୁ ଓଡ଼ିଆ ସମାଜ କଦାପି ବରଦାସ୍ତ କରିବ ନାହିଁ ବୋଲି ଓଡ଼ିଆ ଭାଷା ଭାଷୀ ମାନେ ମତପ୍ରକାଶ କରିଛନ୍ତି । କେବଳ ମକର ସଂକ୍ରାନ୍ତି ପାଇଁ ଧୀର ଗତିରେ କିନ୍ତୁ ଭିତରେ ଭିତରେ ନିଆଁ କୁହୁଳୁଛି । ଚକ୍ରଧରପୁର ଅଞ୍ଚଳରେ ଝାଡ଼ଖଣ୍ଡ ରାଜ୍ୟ ଅଳ୍ପ ସଂଖ୍ୟକ ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅଶୋକ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ସଭା କରି ଆନ୍ଦୋଳନ ତୀବ୍ରତର କରିବା ପାଇଁ ଆଞ୍ଚଳିକ ସମିତି ଗଠନ ଚାଲିଛି । ଓଡ଼ିଆ ଭାଷା ଭାଷୀ ଏହି ଅଞ୍ଚଳକୁ ବିହାର ହାତକୁ ଟେକି ଦେବା ସମୟରେ ତତ୍କାଳୀନ ବିହାର ସରକାର ଏକ ଚୁକ୍ତିନାମା ସ୍ବାକ୍ଷର କରିଥିଲେ ଏବଂ ଓଡ଼ିଆ ଭାଷାରେ ପଠନପାଠନ ସହିତ ଓଡ଼ିଆ ସଂସ୍କୃତିକୁ ବଞ୍ଚାଇ ରଖିବାର ପ୍ରତିଶୃତି ଦେଇଥିଲେ, କିନ୍ତୁ ଝାଡ଼ଖଣ୍ଡ ରାଜ୍ୟ ଗଠନ ପରେ ମଧ୍ୟ ୨୦୦୫ – ୦୬ ମସିହା ପର୍ଯ୍ୟନ୍ତ ଏମିତି ବିଭ୍ରାଟ ହୋଇ ନ ଥିଲା । ପରବର୍ତ୍ତୀ ସମୟରେ ଧୀରେ ଧୀରେ ଓଡ଼ିଆ ଭାଷା ମାରଣ ନୀତି ଲାଗୁ କରାଯାଇଛି ଏବଂ ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜଭାଷାର ମାନ୍ୟତା କେବଳ ଛଳନା ବୋଲି ସେ କହିଛନ୍ତି । ତେଣୁ ସମ୍ପୂର୍ଣ୍ଣ କୋହ୍ଲାଣ ପ୍ରମଣ୍ଡଳରେ ଏହାର ପ୍ରତିବାଦ ଆରମ୍ଭ ହୋଇସାରିଛି । ଯଦି ଯଥା ଶୀଘ୍ର ଝାଡ଼ଖଣ୍ଡ ରାଜ୍ୟ ସରକାର ନିଜ ଭୁଲକୁ ସଂଶୋଧନ କରି ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜ ଭାଷାର ଯଥୋଚିତ ସମ୍ମାନ ପ୍ରଦାନ ନ କରନ୍ତି ତେବେ ଏହି ତିନୋଟି ଜିଲ୍ଲା ମୁଖ୍ୟାଳୟରେ ଗଣଧାରଣା ସହିତ ସମ୍ପୂର୍ଣ୍ଣ ଝାଡ଼ଖଣ୍ଡ ବନ୍ଦ ମଧ୍ୟ କରାଯିବ ବୋଲି ସମସ୍ତେ ଏକ ମତ ହୋଇ ନିଜର ସମର୍ଥନ ଜଣାଇଛନ୍ତି । ତେଣୁ ରାଜ୍ୟ ସରକାର ନିଜର ନିଷ୍ପତ୍ତିକୁ ଶୀଘ୍ର ବଦଳ କରିବା ପାଇଁ ଗଣମାଧ୍ୟମକୁ ଜଣାଇ ଦିଆଯାଇଛି ।