
ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର ଓ କର୍ମଚାରୀ ଚିକିତ୍ସାରେ ଅବହେଳା କରୁଥିବା ଯୋଗୁଁ ବାଉଁଶୁଣୀ ଚିକିତ୍ସାଳୟର ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ବାଉଁଶୁଣୀ ଡାକ୍ତରଖାନାର ସ୍ୱାସ୍ଥ୍ୟସେବାରେ ଅନିୟମିତତା ହେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଅଭିଯୋଗକୁ ଭିତ୍ତିକରି ତଦନ୍ତ ପାଇଁ ଜଣେ ଅଧିକାରୀଙ୍କୁ ପଠାଇ ଥିଲେ । ସମ୍ପୃକ୍ତ ଅଧିକାରୀ ତଦନ୍ତ ପାଇଁ ବାଉଁଶୁଣୀ ଡାକ୍ତରଖାନା ପହଞ୍ଚିଥିଲେ । ମାତ୍ର ସେଠାରେ ଜଣେ ବି ଡାକ୍ତର କି ଅନ୍ୟ କର୍ମଚାରୀ ଉପସ୍ଥିତ ନଥିଲେ । ଅଭିଯୋଗର ପ୍ରମାଣ ପାଇବା ପରେ ଜିଲ୍ଲାପାଳ ଶ୍ରୀ ସାହୁ ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।