ଷଷ୍ଠ ଦିନରେ ବରଗଡ ଧନୁଯାତ୍ରା ମହୋତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର ହୀରକ ଜୟନ୍ତୀ ସମାରୋହର ଆଜି ଷଷ୍ଠ ଦିନରେ ଲକ୍ଷାଧିକ ଦର୍ଶକଙ୍କ ସମାଗମ ହୋଇଛି । ସହରର ୫ କିଲୋମିଟର ପରିଧି ମଧ୍ୟରେ ଅନୁଷ୍ଠିତ ହେଉଥିବା ଏହି ମୁକ୍ତାକାଶ ମଞ୍ଚରେ ପ୍ରତ୍ୟେକ ଲୋକ ନିଜକୁ ଅଭିନୟରେ ସାମିଲ କରିଥାନ୍ତି । ମଥୁରାନଗରୀ ଓ ଗୋପପୁର ମଧ୍ୟରେ ଯମୁନା ନଦୀରେ ବ୍ୟାପ୍ତ ଏହି ଅଭିନୟ । ଏଥିରେ ଓଡ଼ିଆ ଲୋକ କଳାର ପ୍ରସାର ପାଇଁ ପ୍ରତ୍ୟେକ ଜିଲ୍ଲାର ଲୁପ୍ତପ୍ରାୟ କଳା ଓ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସୁଯୋଗ ଦିଆଯାଇଥାଏ । ସେହିପରି ଭାରତର ବିଭିନ୍ନ ପ୍ରାନ୍ତରୁ ଲୋକ କଳାକାରମାନେ ମଧ୍ୟ ଏଥିରେ ସାମିଲ ହୋଇଥାନ୍ତି । ଆଜି ଷଷ୍ଠ ଦିନରେ ମହାରାଜା କଂସଙ୍କ ଦ୍ଵାରା ରଂଗ ସଭାର ଆୟୋଜନ ହୋଇଥିଲା । ଏଥିରେ ରାଜ ଦରବାରରେ ଆସନ୍ନ ଯୁଦ୍ଧ ପ୍ରସ୍ତୁତି ପାଇଁ ରାଜନ୍ୟ ବର୍ଗଙ୍କ ସହିତ ମହାରାଜା କଂସ ଆଲୋଚନା କରିଥିଲେ । ସେହିପରି ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ମଧ୍ୟ ଜନତା ଦରବାରରେ ମହାରାଜା କଂସଙ୍କ ଉତ୍ତର ଦେଇଥିଲେ । ଅପରପକ୍ଷରେ ଗୋପପୁରରେ ଗୋପାଙ୍ଗନା ଦହି ବିକା ଓ ଶ୍ରୀକୃଷ୍ଣଙ୍କ ବସ୍ତ୍ର ହରଣ ଦୃଶ୍ୟମାନ ଅଭିନୟ ହୋଇଥିଲା । ଧନୁଯାତ୍ରା ମହୋତ୍ସବ ପରିପ୍ରେକ୍ଷୀରେ ପ୍ରଚାର ପ୍ରସାର କମିଟି ପକ୍ଷରୁ ଆଜି ଚିତ୍ରଶିଳ୍ପୀମାନଙ୍କ ଏକ କର୍ମଶାଳାର ଆୟୋଜନ ହୋଇଥିଲା । ସ୍ୱେଚ୍ଛାସେବୀ ସଙ୍ଗଠନ ନିଷ୍ଠା ପରିବାର ତରଫରୁ ମେଗା ରକ୍ତଦାନ ଶିବିର ମହାରାଜା କଂସଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଥିଲା । ଏହା ୫ ଦିନ ବ୍ୟାପୀ ଚାଲିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.

error: Content is protected !!