୨୦୨୨ରେ ଜଳ ସମ୍ପଦ ବିଭାଗ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା

  • ଦେଓ ମଧ୍ୟମ ସଂପୂର୍ଣ୍ଣକରଣ ଓ ସୁବର୍ଣ୍ଣରେଖା ପ୍ରକଳ୍ପରେ ଅତିରିକ୍ତ ଜନସେଚନ ସୁବିଧା
  • ୪୪ଟ ବୃହତ ଉଠା ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ
  • ଗଙ୍ଗାଧର ମେହେର ଲିଫ୍ଟ କେନାଲ ପ୍ରକଳ୍ପ ଓ କାନୁପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୨୦୨୨ ମସିହାରେ ରାଜ୍ୟ ଜଳସଂପଦ ବିଭାଗକୁ ବିଭିନ୍ନ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ମିଳିଛି । ସେସବୁ ମଧ୍ୟରେ ରହିଛି ମୟୁରଭଞ୍ଜ ଜିଲ୍ଲାର ଦେଓ ଜଳସେଚନ ପ୍ରକଳ୍ପର ସଂପୂର୍ଣ୍ଣକରଣ କାର୍ଯ୍ୟ । ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଅଗଷ୍ଟ ୧୨ ତାରିଖରେ ଲୋକାର୍ପିତ କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ଶୁକୁରୁଳି ବ୍ଲକ ଏବଂ କେନ୍ଦୁଝର ଜିଲ୍ଲାର ସାହାଡାପଦା ବ୍ଲକର ମୋଟ ୧୦୦ଟି ଗ୍ରାମର ୯୯୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା କରାଯାଇପାରିଛି । ସେହିପରି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପରେ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟାରମ୍ଭ କରାଯାଇଥିବା ୬୯,୯୩୩ ହେକ୍ଟର ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ୫୨,୪୮୦ ହେକ୍ଟର ଜମିକୁ କେନାଲ ଯୋଗେ ଜଳସେଚନ ସୁବିଧା କରାଯାଇଛି । ଗତ ଅଗଷ୍ଟ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ସିଷ୍ଟମରେ ଅତିରିକ୍ତ ୧୭,୧୨୧ ହେକ୍ଟର ଅଞ୍ଚଳକୁ ଜଳସେଚନ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ସେହିପରି ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳରେ ଅବଶିଷ୍ଟ କାର୍ଯ୍ୟକୁ ସଂପୂର୍ଣ୍ଣ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ମର୍ଶାଘାଇ, ଗରଦପୁର ଏବଂ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଏବଂ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକର ମୋଟ ୬୪ଟି ଗ୍ରାମର ୬୦୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା କରାଯାଇପାରିଛି ।

ଆହୁରି ମଧ୍ୟ ବରଗଡ ଜିଲ୍ଲା ଗଙ୍ଗାଧର ମେହେର ଲିଫ୍ଟ କେନାଲ ପ୍ରକଳ୍ପ ନିର୍ମାଣରେ ଅଗ୍ରଗତି ଘଟିଛି । ସ୍ଥାନୀୟ କୃଷକମାନଙ୍କ ଅନୁରୋଧକୁ ବିଚାରକୁ ନିଆଯାଇ ଆଉ ୫୭୫୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା କରାଯିବା ପାଇଁ ନିଷ୍ପତ୍ତି ନିଆଯିବା ପରେ ଏଥିପାଇଁ ଅତିରିକ୍ତ କାମ ବାବଦକୁ ୧୭୭.୧୦ କୋଟି ଟଙ୍କା ଖର୍ଚ୍ଚ ବରାଦ କ୍ୟାବିନେଟ୍‌ ଦ୍ୱାରା ଅନୁମୋଦନ ଲାଭ କରିଛି । ଏହାକୁ ମିଶାଇ ଗଙ୍ଗାଧର ମେହେର ଲିଫ୍ଟ କେନାଲ ପ୍ରକଳ୍ପରେ ମୋଟ ସେଚାଂଚଳ ୨୫,୬୦୦ରୁ ୩୧,୩୫୦ ହେକ୍ଟକୁ ବୃଦ୍ଧି ପାଇଛି । ସେହିପରି ପୁନର୍ବାସ ଓ ଥଇଥାନ ସମସ୍ୟା ଦୂର ପରେ କାନୁପୁର ଜଳସେଚନ ପ୍ରକଳ୍ପର ହେର୍ଡ ୱାର୍କ ଏବଂ କେନାଲ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଘଟିଛି ।

Leave A Reply

Your email address will not be published.

error: Content is protected !!