ବାଲେଶ୍ୱର : ବାଲେଶ୍ୱର ସହର ଫକୀରମୋହନ ନଗରରେ ବସବାସ କରୁଥିବା ଇଂ. ସନ୍ତୋଷ କୁମାର ଆଚାର୍ଯ୍ୟ ଓ ପ୍ରିୟମ୍ବଦା ମହାପାତ୍ରଙ୍କ କନ୍ୟା ଦିବ୍ୟାଂଶୀ ୨ବର୍ଷ ୫ମାସର ହୋଇଥିବା ବେଳେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ସେ ଶରୀରର ୧୪ଟି ଅଙ୍ଗର ନାମ ସହିତ ଏଟୁ ଜେଡ୍ର ଅନୁରୂପ ଶବ୍ଦ, ଜାତୀୟ ସଙ୍ଗୀତ, ୨ଟି ହିନ୍ଦୀ, ଗୋଟିଏ ଇଂଲିଶ ରାଇମ୍ସ, ଦୁଇଟି ସଂସ୍କୃତ ମନ୍ତ୍ର (ବକ୍ରତୁଣ୍ଡ ଓ ତ୍ରୟୋମ୍ବକମ୍) ଓ ୧୦ଟି ପ୍ରାଣୀଙ୍କ ଶବ୍ଦ କରିପାରୁଛନ୍ତି । ତାଙ୍କର ଏସବୁର ଏକ ଭିଡିଓ ଗତ ନଭେମ୍ବର ୪ ତାରିଖରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ସାଇଟ୍ରେ ଅପଲୋଡ୍ କରାଯାଇଥିଲା । ନଭେମ୍ବର ୭ ତାରିଖରେ ଏହି ରେକର୍ଡ ହାସଲ କରିଥିବା ବେଳେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଚିଫ୍ ଏଡିଟର ଡ. ବିଶ୍ୱରୂପ ରୟ ଚୌଧୁରୀ ଗତ ନଭେମ୍ବର ୧୮ ତାରିଖରେ ଦିବ୍ୟାଂଶୀଙ୍କ ନିକଟକୁ ମେଡାଲ ଓ ମାନପତ୍ର ପଠାଇଥିବା ଜଣାପଡ଼ିଛି । ଦିବ୍ୟାଂଶୀ ମାତ୍ର ୮ମାସର ହୋଇଥିବା ବେଳେ ତାଙ୍କର ହାବଭାବରୁ ମା’ ବାପା ୟୁ-ଟ୍ୟୁବ୍ରୁ ଭିଜୁଆଲାଇଜେଶନ୍ ମେଥଡ୍ ଡାଉନଲୋଡ୍ କରି ଝିଅକୁ ଦେଖାଉଥିଲେ । ଦିବ୍ୟାଂଶୀ ଏସବୁ ଜିନିଷକୁ ଦେଖି ମନେରଖିବା ସହ କହିବା ଆରମ୍ଭ କରିଥିଲେ । ୨ବର୍ଷ ୫ମାସର ହୋଇଥିବା ବେଳେ ଏସବୁର ଭଡିଓ ପ୍ରସ୍ତୁତ କରି ପ୍ରଥମଥର ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ସାଇଟ୍ରେ ଅପଲୋଡ୍ କରିଥିଲେ । ଆଗକୁ ଏସିଆ ବୁକ୍ ଅଫ୍ ରେକର୍ଡ ପାଇଁ ଦିବ୍ୟାଂଶୀଙ୍କୁ ପ୍ରସ୍ତୁତ କରାଯାଉଛି । ଏବେ ଦିବ୍ୟାଂଶୀଙ୍କୁ ୨ବର୍ଷ ୬ମାସ । କିଛିଦିନ ମଧ୍ୟରେ ୩୦ଟି ଜିଲ୍ଲର ନାମ, ୧୨ ମାସ, ୬ ଋତୁ, ସପ୍ତାହର ନାମ ସହ ଜାତୀୟସ୍ତରୀୟ ୧୨ଜଣ ମହାପୁରୁଷଙ୍କୁ ଚିହ୍ନଟ କରିବାରେ ସାମର୍ଥ୍ୟ ହାସଲ କରିଥିବା ତାଙ୍କ ବାପା ଇଂ. ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।
Prev Post