ମହୋଦଧି ଆରତୀ ବାର୍ଷିକ ଉତ୍ସବର ପ୍ରସ୍ତୁତି ବୈଠକ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ୨୦୨୩ ମସିହା ଜାନୁଆରୀ ମାସ ୬ ତାରିଖରେ ବାର୍ଷିକ ମହୋଦଧି ଆରତୀ ଉତ୍ସବ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କରୋନା ପାଇଁ ଦୁଇ ବର୍ଷ ବନ୍ଦ ରହିବା ପରେ ଆଗାମୀ ଜାନୁଆରୀ ୬ ତାରିଖ ପୌଷ ପୂର୍ଣ୍ଣିମା ତିଥିରେ ଏହାକୁ ପାଳନ ପାଇଁ ତୀର୍ଥରାଜ ଶ୍ରୀ ମହୋଦଧି ଆରତୀ ପରିଚାଳନା ସମିତି ଓଡ଼ିଶା ପକ୍ଷରୁ ଅନୁରୋଧ କରାଯାଇଛି । ତେଣୁ ଏହାକୁ ଏକ ଭବ୍ୟ ପରିବେଶରେ ଆୟୋଜନ କରିବାକୁ ସମସ୍ତେ ସହଯୋଗ କରିବାକୁ ସେ ମତ ଦେଇଥିଲେ । ସମିତିର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ସମସ୍ତଙ୍କୁ ସ୍ୱାଗତ ସହ ମହୋଦଧି ଶ୍ରୀମନ୍ନାରାୟଣ ଭଗବାନଙ୍କ ନିବାସ ସ୍ଥାନ ଜଳ, ଜୀବର ଜୀବନ ହୋଇଥିବାରୁ ବିଶ୍ୱ କଲ୍ୟାଣକାରୀ ଭାବନା ନେଇ ବିଗତ ୧୬ ବର୍ଷ ଧରି ପବିତ୍ର ମହୋଦଧି ଆରତୀ କାର୍ଯ୍ୟକ୍ରମ ଆସ୍ଥା ଓ ବିଶ୍ୱାସର ସହ ବିଧିପୂର୍ବକ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ସମୁଦ୍ର ତଟରେ କରାଯାଉଛି । ଏଥିରେ ପୂଜ୍ୟପାଦ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଜୀ ମହାରାଜ, ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମେତ ବହୁ ସାଧୁ ସନ୍ଥ ଯୋଗ ଦେଇଥାନ୍ତି ବୋଲି କହିଥିଲେ । ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆରତୀ ସ୍ଥଳ ପରିଷ୍କାର ପରିଛନ୍ନ କରିବା, ଉଠା ଦୋକାନ ମାନଙ୍କୁ ଉଠାଇବା, ବ୍ୟାରିକେଡ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ପାନୀୟ ଜଳ, ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଆଶୁ ଚିକିତ୍ସା ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ତଟରକ୍ଷୀ ମାନଙ୍କ ଦ୍ୱାରା ସୁରକ୍ଷା ବ୍ୟବସ୍ଥା, ପ୍ରଚାର ପ୍ରସାର ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ରାମଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ରାଉତ, ସମିତିର ସଦସ୍ୟ ବ୍ରହ୍ମଚାରୀ ସୂୟାସ ପ୍ରଶାନ୍ତ, ଗୋବିନ୍ଦ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.