ଜାଣିଶୁଣି ଅଜଣା : ଡିସେମ୍ବର ୨୧ରେ ଦୁଇଦିନିଆ ଗୋପାଳନ ସମ୍ମିଳନୀ ପାଇଁ ଅଂଟା ଭିଡ଼ିଛି ବଲାଙ୍ଗିର ପ୍ରଶାସନ, ଅଥଚ ରାସ୍ତା ଉପରେ ମାଳ ମାଳ ବୁଲା ଗୋରୁଗାଈ ରାସ୍ତା ଦୁର୍ଘଟଣା ପାଇଁ ଆମନ୍ତ୍ରଣ ମୁଦ୍ରାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାଣିଶୁଣି ଅଜଣା । ସବୁ ଜାଣୁଛି ପ୍ରଶାସନ, ହେଲେ ନଜାଣିବା ଭଳି ଅଭିନୟରେ ବ୍ୟସ୍ତ । ରାସ୍ତା ଉପରେ ମାଳ ମାଳ ବୁଲା ଗୋରୁଗାଈ ରାସ୍ତା ଦୁର୍ଘଟଣା ପାଇଁ ଆମନ୍ତ୍ରଣ ମୁଦ୍ରାରେ । ସୂଚନାଯୋଗ୍ୟ ଯେ, ବିଗତ ସମୟରେ ରାସ୍ତା ଉପରୁ ବୁଲା ଗୋରୁଗାଈଙ୍କୁ ହଟାଇବା ପାଇଁ ବଲାଙ୍ଗିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା । ବଲାଙ୍ଗିର ମ୍ୟୁନିସିପାଲିଟି ପକ୍ଷରୁ ରାସ୍ତା ଉପରୁ ବୁଲା ଗୋରୁଗାଈ ସଂଗ୍ରହ କରାଯାଉଥିବା ବି ଦେଖିବାକୁ ମିଳିଥିଲା, କିନ୍ତୁ ସବୁ ଯୋଜନା ଫେଲ୍‌ ମାରିଥିଲା । ପୁଣି ରାସ୍ତା ଉପରେ ବୁଲା ଗୋରୁଗାଈଙ୍କ ଭିଡ଼ ପୂର୍ବଭଳି ସହିସଲାମତ୍‌ ରହିଆସିଛି । କେତେବେଳେ ରାସ୍ତା ଉପରେ ଗୋରୁଗାଈଙ୍କ ଉପରେ ଚଢ଼ି ଯାଉଛି ଗାଡ଼ି ତ’ ଆଉ କେତେବେଳେ ଛୋଟବଡ଼ ଗାଡ଼ି ଉପରକୁ ଚଢ଼ି ଯାଉଛନ୍ତି ବୁଲା ଗୋରୁଗାଈ । ଏଥିଯୋଗୁଁ ପ୍ରତ୍ୟହ ଛୋଟବଡ଼ ଦୁର୍ଘଟଣା ଲାଗିରହିଛି । ରାତ୍ରି ସମୟରେ ସହର ମଝିରେ ରାଜରାସ୍ତା ଗାଈଗୋଠ ପାଲଟିଥିବା ଦେଖିବାକୁ ମିଳୁଛି । ଲୋକେ ଖୋଲମ୍‌ଖୋଲା ଆଲୋଚନା କରୁଛନ୍ତି, ଘଟୁଥିବା ଅଧାରୁ ଅଧିକ ରାସ୍ତା ଦୁର୍ଘଟଣା ବୁଲା ଗୋରୁଗାଈଙ୍କ ଯୋଗୁଁ ଘଟୁଛି । ଏତିକି ବେଳେ ଦୁଇଦିନିଆ ଗୋପାଳନ ସମ୍ମିଳନୀ ପାଇଁ ଅଂଟା ଭିଡ଼ିଛି ବଲାଙ୍ଗିର ପ୍ରଶାସନ । ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ ନିହାତି । କିନ୍ତୁ ଏହା ପୂର୍ବରୁ ବୁଲା ଗୋରୁଗାଈଙ୍କ ପ୍ରତି ତଥା ପଥଚାରୀଙ୍କ ପ୍ରତି ବଲାଙ୍ଗିର ପ୍ରଶାସନ ଟିକେ ଅନୁକଂପା ଦେଖାଇଲେ ଉଚିତ୍‌ ହୁଅନ୍ତା ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରୁଛନ୍ତି ।

Leave A Reply

Your email address will not be published.