jsm

ଓଡ଼ିଶା ବିଧାନସଭା ଶୀତ ଅଧିବେଶନ ନେଇ ସର୍ବଦଳୀୟ ବୈଠକ

csstore

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଥିବା ଷୋଡ଼ଶ ବିଧାନସଭାର ଏକାଦଶ ଅଧିବେଶନ ପାଇଁ ଆଜି ପୂର୍ବାହ୍ନରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଜ୍ଞାନ ଓ କାରିଗରୀ, ସରକାରୀ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ସଦସ୍ୟ ସୁଦାମ ମାର୍ଣ୍ଡି ଏବଂ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ଉପସ୍ଥିତ ରହି ବିଧାନସଭା ଅଧିବେଶନର ସୁପରିଚାଳନା ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

ଏହି ଅଧିବେଶନରେ ରାଜ୍ୟର ୨୦୨୨-୨୩ ମସିହାର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହୋଇ ପାରିତ ହେବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି । କୋଭିଡ୍‌ କଟକଣା ପ୍ରତ୍ୟାହାର କରାଯାଇଥିବା ଦୃଷ୍ଟିରୁ ଗୃହରେ ସଦସ୍ୟମାନେ ସ୍ୱାଭାବିକ ଭାବେ ନିଜ ନିଜ ସ୍ଥାନରେ ବସିବେ ଏବଂ ପ୍ରେସ୍‌ ଗ୍ୟାଲେରୀକୁ କୋଭିଡ୍‌ ପୂର୍ବ ବର୍ଷ ଭଳି ଗଣମାଧ୍ୟମ ପ୍ରତିନିଧିମାନେ ଆସିପାରିବେ । ଏଥି ସହିତ ଅସୁସ୍ଥତା କାରଣରୁ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଗୃହ କାର୍ଯ୍ୟରେ ଯୋଗଦେବାକୁ ଚାହୁଁଥିବା ସଦସ୍ୟମାନେ ଦରଖାସ୍ତ ଜରିଆରେ ଜଣାଇଲେ ତାଙ୍କୁ ସେହି ସୁବିଧା ଯୋଗାଇଦେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ବାଚସ୍ପତି ଆରୁଖ କହିଛନ୍ତି ।

yuvodaya
Leave A Reply

Your email address will not be published.