ଆତଙ୍କରାଜ ଶେଷ ହୋଇ ଦେଶର ଟିକସ ବ୍ୟବସ୍ଥା ସ୍ୱଚ୍ଛ ଓ ପାରଦର୍ଶୀ ହୋଇଛି: ପ୍ରଧାନମନ୍ତ୍ରୀ

• ସଚ୍ଚୋଟ ଟିକସଦାତାଙ୍କ ସମ୍ମାନ ପ୍ରତି ଗୁରୁତ୍ୱାରୋପ କରିବା ସବୁଠୁ ବଡ଼ ସଂସ୍କାର
• ଆୟକର ଟିକସ ଆପିଲେଟ ଟ୍ରିବ୍ୟୁନାଲର କଟକ ବେଞ୍ଚ କାର୍ୟ୍ୟାଳୟ ତଥା ଆବାସିକ ପରିସରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ଆୟକର ଟିକସ ଆପିଲେଟ ଟ୍ରିବ୍ୟୁନାଲର କଟକ ବେଞ୍ଚ କାର୍ୟ୍ୟାଳୟ ଓ ଆବାସିକ ପରିସରକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବେଞ୍ଚ ଏଣିକି କେବଳ ଓଡ଼ିଶାର ନୁହେଁ ପୂର୍ବ ଏବଂ ଉତ୍ତର ପୂର୍ବ ଭାରତର ଲକ୍ଷ ଲକ୍ଷ ଟିକସଦାତାଙ୍କୁ ଆଧୁନିକ ସୁବିଧା ଯୋଗାଇ ଦେବ ଏବଂ ଏହି କ୍ଷେତ୍ରରେ ଥିବା ସମସ୍ତ ବକେୟା ମାମଲା ସମାଧାନ କରିବାରେ ସହାୟକ ହେବ ।
ପ୍ରଧାନମନ୍ତ୍ରୀ ଆଜି କହିଥିଲେ ଯେ ଦେଶ ଆଜି ଟିକସ ଆତଙ୍କବାଦରୁ ଟିକସ ସ୍ୱଚ୍ଛତାରେ ପହଞ୍ଚିଛି । ସରକାରଙ୍କର ସଂସ୍କାର, ପ୍ରଦର୍ଶନ ଓ ରୂପାନ୍ତରଣ ଆଭିମୁଖ୍ୟ କାରଣରୁ ଏହି ପରିବର୍ତ୍ତନ ସମ୍ଭବ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଥିଲେ। ପ୍ରଯୁକ୍ତି ସହାୟତାରେ ନିୟମ ଏବଂ ପ୍ରକ୍ରିୟାରେ ସଂସ୍କାର ଅଣାଯାଇଛି ବୋଲି ସେ କହିଥିଲେ। ସେ କହିଥିଲେ, “ଆମେ ସ୍ପଷ୍ଟ ଉଦ୍ଦେଶ୍ୟ ନେଇ ପ୍ରଦର୍ଶନ କରୁଛୁ ଏବଂ ସମାନ ସମୟରେ ଟିକସ ପ୍ରଶାସନର ଅବଧାରଣାକୁ ବଦଳାଉଛୁ” ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ସମ୍ପତ୍ତି ନିର୍ମାତାମାନଙ୍କର ସମସ୍ୟା ଯେତେବେଳେ ହ୍ରାସ ପାଇଥାଏ, ସେମାନେ ସୁରକ୍ଷା ପାଇଥାନ୍ତି, ତା’ପରେ ଯାଇ ଦେଶର ବ୍ୟବସ୍ଥା ପ୍ରତି ସେମାନଙ୍କର ଆସ୍ଥା ବୃଦ୍ଧି ପାଇଥାଏ । ସେ ଆହୁରି କହିଥିଲେ ଯେ ବୃଦ୍ଧି ପାଉଥିବା ଏହି ବିଶ୍ୱାସ କାରଣରୁ ଅଧିକରୁ ଅଧିକ ସହଯୋଗୀ ଟିକସ ବ୍ୟବସ୍ଥା ସହ ଯୋଡ଼ି ହେବା ଲାଗି ଆଗେଇ ଆସୁଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଟିକସ ହ୍ରାସ ଏବଂ ପ୍ରକ୍ରିୟାକୁ ସରଳ କରାଯିବା ସହିତ ସଚ୍ଚୋଟ ଟିକସଦାତାଙ୍କ ସମ୍ମାନ ରକ୍ଷା କରିବା ଏବଂ ସେମାନଙ୍କୁ ସୁରକ୍ଷା ଦେବା ଲାଗି ବଡ଼ ସଂସ୍କାର ଅଣାଯାଇଛି ।
ଦାଖଲ ହୋଇଥିବା ଆୟକର ରିଟର୍ଣ୍ଣକୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସକୁ ନେବା ସରକାରଙ୍କ ଚିନ୍ତାପ୍ରକ୍ରିୟାର ଅଂଶବିଶେଷ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଯାହାର ଫଳସ୍ୱରୂପ ଆଜି ଦେଶରେ ଦାଖଲ କରାଯାଉଥିବା ୯୯.୭୫ ପ୍ରତିଶତ ଆୟକର ରିଟର୍ଣ୍ଣ ବିନା ଆପତ୍ତିରେ ଗ୍ରହଣ କରାଯାଉଛି । ସେ କହିଥିଲେ ଦେଶର ଟିକସ ବ୍ୟବସ୍ଥାରେ ଏହା ଏକ ବଡ଼ ପରିବର୍ତ୍ତନ ।
ଶ୍ରୀ ମୋଦୀ କହିଥିଲେ ଯେ ଦୀର୍ଘ ଦିନର ଗୋଲାମୀ ଟିକସଦାତା ଓ ଟିକସଗ୍ରହିତାଙ୍କ ମଧ୍ୟରେ ସମ୍ପର୍କକୁ ଶୋଷିତ ଓ ଶୋଷଣକାରୀରେ ପରିବର୍ତ୍ତିତ କରିଦେଇଥିଲା । ଗୋସ୍ୱାମୀ ତୁଳସୀଦାସଙ୍କ ଉକ୍ତିକୁ ଉଦ୍ଧାର କରି ସେ କହିଥିଲେ, “ବରସତ ହରସତ ସବ ଲଖେଁ, କରସତ ଲଖେ ନ କୋୟ ତୁଲସୀ ପ୍ରଜା ସୁଭାଗ ସେ, ଭୂପ ଭାନୂ ସୋ ହୋୟ” ଅର୍ଥାତ ଯେତେବେଳେ ବାଦଲ ବର୍ଷିଥାଏ, ସମସ୍ତେ ଲାଭ ପାଇଥାନ୍ତି; କିନ୍ତୁ ଯେତେବେଳେ ବାଦଲ ସୃଷ୍ଟି ହୋଇଥାଏ, ସୂର୍ୟ୍ୟ ଜଳ ଶୋଷି ନେଇଥାନ୍ତି, ସେତେବେଳେ କାହାକୁ ଅସୁବିଧାରେ ପକାଇନଥାନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ସାଧାରଣ ଲୋକଙ୍କ ଠାରୁ ଟିକସ ସଂଗ୍ରହ କରିବା ସମୟରେ ପ୍ରଶାସନ ସେମାନଙ୍କ ପ୍ରତି ଅସୁବିଧା ସୃଷ୍ଟି ନକରୁ; କିନ୍ତୁ ଯେତେବେଳେ ସେହି ଅର୍ଥ ନାଗରିକଙ୍କ ନିକଟରେ ପହଞ୍ଚୁଛି, ଲୋକମାନେ ନିଜ ଜୀବନରେ ତା’ର ଲାଭ ପାଆନ୍ତୁ । ସେ କହିଥିଲେ, କିଛି ବର୍ଷ ଧରି ସରକାର ଏହି ଦୂରଦୃଷ୍ଟି ନେଇ ଆଗକୁ ଚାଲିଛନ୍ତି ଏବଂ ଆଜିର ଟିକସଦାତା ସମ୍ପୂର୍ଣ୍ଣ ଟିକସ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଏବଂ ସ୍ୱଚ୍ଛତା ଦେଖିପାରୁଛି । ସେ କହିଥିଲେ ଏବେ ଟିକସଦାତାଙ୍କୁ ରିଫଣ୍ଡ ପାଇବା ଲାଗି ଅଧିକ ବର୍ଷ ଅପେକ୍ଷା କରିବାକୁ ପଡ଼ୁନାହିଁ ଏବଂ ସେ କିଛି ସପ୍ତାହ ମଧ୍ୟରେ ରିଫଣ୍ଡ ପାଇପାରୁଛନ୍ତି। ବିଭାଗ ବହୁଦିନର ବିବାଦକୁ ନିଜଆଡ଼ୁ ସମାଧାନ କରୁଛି ଓ ଆୟକର ଲଗାତାର ଭାବେ ହ୍ରାସ ପାଉଛି, ଏହି କାରଣରୁ ଟିକସଦାତା ଟିକସ ବ୍ୟବସ୍ଥାରେ ଅଧିକ ପାରଦର୍ଶିତାର ଅନୁଭବ କରିପାରୁଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ପାଞ୍ଚ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ ଉପରେ କୌଣସି ଆୟକର ଲାଗୁ ନହେବା କାରଣରୁ ଆଜି ନିମ୍ନ ମଧ୍ୟବିତ୍ତ ଯୁବ ପିଢ଼ି ଅଧିକ ଲାଭ ପାଇପାରୁଛି । ଚଳିତ ବର୍ଷ ବଜେଟରେ ଆୟକରର ନୂଆ ବିକଳ୍ପ ପ୍ରଦାନ କରାଯିବା କାରଣରୁ ଟିକସଦାତାଙ୍କ ଜୀବନ ସହଜ ହୋଇପାରିଛି । ସେ କହିଥିଲେ ଯେ ବିକାଶଧାରାକୁ ଦ୍ରୁତ ଗତିରେ ଆଗେଇ ନେବା ଏବଂ ଭାରତକୁ ଅଧିକ ନିବେଶ ଅନୁକୂଳ କରିବା ଲାଗି କର୍ପୋରେଟ ଟିକସ କ୍ଷେତ୍ରରେ ଐତିହାସିକ ହ୍ରାସ କରାଯାଇଛି । ଉତ୍ପାଦନ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ଲାଗି ନୂଆ ଘରୋଇ ଉତ୍ପାଦନ କମ୍ପାନୀଗୁଡ଼ିକ ପାଇଁ ଟିକସ ଦରକୁ ୧୫ ପ୍ରତିଶତ ମଧ୍ୟରେ ସୀମିତ ରଖାଯାଇଛି । ଭାରତର ଇକ୍ୟୁଟି ବଜାରରେ ନିବେଶ ବଢ଼ାଇବା ଲାଗି ଲାଭାଂଶ ବିତରଣ ଟିକସକୁ ଉଚ୍ଛେଦ କରାଯାଇଛି । ଜିଏସଟି ମଧ୍ୟ ଟିକସ ପରିଧିକୁ କମାଇଛି ଏବଂ ଅଧିକାଂଶ ଦ୍ରବ୍ୟ ଓ ସେବା ପାଇଁ ଟିକସ ଦର ହ୍ରାସ ପାଇଛି । ଆବେଦନ କରିବାର ସୀମା ଆଇଟିଏଟିରେ ୩ଲକ୍ଷରୁ ୫୦ ଲକ୍ଷ ଟଙ୍କା ଏବଂ ସୁପ୍ରିମକୋର୍ଟରେ ୨ କୋଟି ଟଙ୍କାକୁ ବଢ଼ାଇ ଦିଆଯାଇଥିବା ଯୋଗୁ ବିବାଦର ବୋଝ ହ୍ରାସ ପାଇଛି ଯାହାକି ଦେଶରେ ବ୍ୟବସାୟିକ ସୁଗମତାରେ ସୁଧାର ଆଣିଛି ।
ସାରା ଦେଶରେ ଆଇଟି ଆପିଲେଟ ଟ୍ରିବ୍ୟୁନାଲର ବେଞ୍ଚଗୁଡ଼ିକୁ ଭର୍ଚୁଆଲ ଶୁଣାଣି ପାଇଁ ଆଧୁନିକୀକରଣ କରାଯିବା ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହିତ ସେ କହିଥିଲେ ଯେ ପ୍ରଯୁକ୍ତିର ଯୁଗରେ ସମ୍ପୂର୍ଣ୍ଣ ବ୍ୟବସ୍ଥାର ଆଧୁନିକୀକରଣ କରିବା ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି ନ୍ୟାୟପାଳିକା କ୍ଷେତ୍ରରେ ପ୍ରଯୁକ୍ତିର ଅଧିକ ଉପଯୋଗ ଦେଶର ନାଗରିକମାନଙ୍କୁ ଅଧିକ ନୂଆ ସୁବିଧା ପ୍ରଦାନ କରିବା ଆରମ୍ଭ କରିଛି ।

Leave A Reply

Your email address will not be published.