୧୦ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପିଏଲ୍‌ଆଇ ସ୍କିମ୍‌ କାର୍ୟ୍ୟକାରୀ କରିବା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

• ଏହାଦ୍ୱାରା ଭାରତର ଉତ୍ପାଦନ ଦକ୍ଷତା ଓ ରପ୍ତାନୀ ବଢିବ ଏବଂ ଏହା ଆତ୍ମନିର୍ଭର ଭାରତ ଗଠନରେ ସହାୟକ ହେବ

ନୂଆଦିଲ୍ଲୀ, (ପିଆଇବି) : ଆତ୍ମନିର୍ଭର ଭାରତ କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ଦେଶର ୧୦ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲ୍‌ଆଇ ସ୍କିମ୍‌) କାର୍ୟ୍ୟକାରୀ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଏହାଦ୍ୱାରା ଭାରତର ଉତ୍ପାଦନ ଦକ୍ଷତା ଓ ରପ୍ତାନୀ କାରବାର ବୃଦ୍ଧି ପାଇବ । ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏହି ସ୍କିମ୍‌ କାର୍ୟ୍ୟକାରୀ ହେବ ସେଗୁଡିକ ହେଲା- ଆଡଭାନ୍ସ କେମିଷ୍ଟ୍ରି ସେଲ୍‌ (ଏସିସି) ବ୍ୟାଟେରୀ, ଇଲେକ୍ଟ୍ରୋନିକ୍‌/ଟେକ୍ନୋଲଜି ଉତ୍ପାଦ, ଅଟୋମୋବାଇଲ ଓ ଅଟୋ ଯନ୍ତ୍ରାଂଶ, ଔଷଧପତ୍ର, ଟେଲିକମ ଓ ଟେଲିଯୋଗାଯୋଗ ଉତ୍ପାଦ, ଏମଏମ୍‌ଏଫ୍‌ ବର୍ଗର ବୟନ ସାମଗ୍ରୀ ଏବଂ ଟେକ୍ନିକାଲ ଟେକ୍ସଟାଇଲ, ଖାଦ୍ୟପଦାର୍ଥ, ଅତିଦକ୍ଷ ସୌର ପିଭି ମଡ୍ୟୁଲ୍ସ, ଏୟାର କଣ୍ଡିସନ୍ସ ଏବଂ ଏଲ୍‌ଇଡି ଭଳି ହ୍ୱାଇଟ ଗୁଡ୍‌ସ ଓ ସ୍ୱତନ୍ତ୍ର ଧରଣର ଇସ୍ପାତ । ଏଥିରେ କେବଳ ଏସିସି ବ୍ୟାଟେରୀ କ୍ଷେତ୍ରରେ ଏହି ଯୋଜନାକୁ ନୀତି ଆୟୋଗ ଏବଂ ଭାରୀ ଶିଳ୍ପ ଉଦ୍ୟୋଗ ବିଭାଗ କାର୍ୟ୍ୟକାରୀ କରିବେ । ଅନ୍ୟ ୯ଟି କ୍ଷେତ୍ରରେ ସଂପୃକ୍ତ ମନ୍ତ୍ରଣାଳୟ ବା ବିଭାଗ ଦ୍ୱାରା ଏହା କାର୍ୟ୍ୟକାରୀ ହେବ । ଏଥିପାଇଁ ମୋଟ ୧୪୫୯୮୦ କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟ ଅନୁମୋଦନ ଲାଭ କରିଛି । ପାଞ୍ଚବର୍ଷ ମଧ୍ୟରେ ଏହିସବୁ ଉଦ୍ୟୋଗରେ ସଂପୃକ୍ତ ଅର୍ଥ ଖର୍ଚ୍ଚ କରାଯିବ ।

Leave A Reply

Your email address will not be published.