ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ

ରାଉରକେଲା, (କେପିଏନ୍‌ଏସ୍‌) : ଲାଠିକଟା ବ୍ଲକର ୧୩ଟି କ୍ଲଷ୍ଟରକୁ ନେଇ ଜଲଦା ସରକାରୀ ହାଇସ୍କୁଲ ଠାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଲାଠିକଟା ବ୍ଲକ ଶିକ୍ଷାଧିକାରୀ ଦେବେନ୍ଦ୍ର ସାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ତିଳକ ସିଂହ ଓ ସମିତି ସଭ୍ୟା ନୈନା ଭଞ୍ଜ ଓ ଲାଠିକଟା ବ୍ଲକ ସହ ଶିକ୍ଷାଧିକାରୀ ଶରତ କୁମାର ପତି ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ସଚଳା ପଣ୍ଡା ଓ ଡ. ଦେବେନ୍ଦ୍ର ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୩ଟି କ୍ଲଷ୍ଟର ଯଥା ଜଲଦା, ହାତିବନ୍ଧା, ଗର୍ଜନ, ସୋନାପର୍ବତ, ରାମଜୋଡି, ଲାଠିକଟା, ବେଦବ୍ୟାସ, କଲୁଙ୍ଗା, ବୀରକେରା, ବିରଡା, ଟାଇଁସର, ବଡଦଲକିଓ ଯୋଡାକୁଦର କ୍ଲଷ୍ଟରରୁ ପ୍ରାୟ ୨୮୦ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ବିତର୍କ, ସାଧାରଣଜ୍ଞାନ, ବକ୍ତୃତା, ସଂଗୀତ, ସୃଜନାତ୍ମକ ଲିଖନ, ଅଭିନୟ, ନୃତ୍ୟ, ଚାରୁକଳା ଓ ଶିଳ୍ପକଳା ଆଦି ପ୍ରତିଯୋଗିତା କରାଯାଇଥିଲା । ଏଥିରେ ବିଚାରକ ଭାବେ ବରିଷ୍ଠ ଶିକ୍ଷକ ଶାନ୍ତନୁ ମୁଦାଲି, ଭାସ୍କର ନନ୍ଦ, ବୃନ୍ଦାବନ ଜେନା, ଅଭୟ ସାହୁ, ତ୍ରିନାଥ ବିଶୋଇ, କାର୍ତ୍ତିକ ଚନ୍ଦ୍ର ମିଶ୍ର ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ଦ୍ୱିତୀୟ ପର୍ଯ୍ୟାୟ ତଥା ଉଦ୍‌ଯାପନୀ ଉତ୍ସବରେ ହୃଷିକେଶ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି, ଲାଠିକଟାର ପ୍ରାକ୍ତନ ଶିକ୍ଷାଧିକାରୀ ପ୍ରଦୀପ କୁମାର ରଥ ମୁଖ୍ୟବକ୍ତା, ଏବିଇଓ ଶରତ କୁମାର ପତି ଓ ଜଲଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ମହନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଶିଶୁମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଶକ୍ତିର ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମ ବହୁ ଉପାଦେୟତା ହୋଇଥାଏ । ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ହେବା ସହ ସେମାନଙ୍କ ମାନସିକ ଶକ୍ତି ଦୃଢ ହୋଇଥାଏ । ସୂଚନା ଯୋଗ୍ୟ ଯେ, ଏହି ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ସଫଳତା ହାସଲ କରିଥିବା ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାପାଇଁ ସୁଯୋଗ ମିଳିବ । ଏହି କାର୍ଯ୍ୟକ୍ରମରେ ସିଆରସିସି, ବହୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ତଥା ବ୍ଲକ କାର୍ଯ୍ୟାଳୟର କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଂଯୋଜିକା ସଚଳା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.