ଭାଲୁ ଆକ୍ରମଣରେ ଜଣେ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଭେଜାଙ୍ଗୀ ୱାଡା ପଞ୍ଚାୟତ ଅନ୍ତର୍ଗତ ଏମପିଭି ୨୦ ଗ୍ରାମରେ ଏକ ବଣୁଆ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗ୍ରାମର ବିପିନ ବାରୋଇଙ୍କ ୫୮ ବର୍ଷୀୟ ପୁତ୍ର ଜଗଦୀଶ ବାରୋଇ ସବୁଦିନ ଭଳି ଆଜି ପ୍ରାତଃ ସାଢେ ପାଞ୍ଚଟା ସମୟରେ ପ୍ରାତଃ ଭ୍ରମଣ କରିବା ପାଇଁ ବାହାରିଥିଲେ । ଭେଜାଙ୍ଗୀ ୱାଡାଠାରୁ କାଲିମେଳା ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଜଙ୍ଗଲରୁ ହଟାତ ଏକ ମା’ ଭାଲୁ ତାର ଦୁଇ ଛୁଆକୁ ଧରି ଜଗଦୀଶଙ୍କ ଆଡକୁ ମାଡି ଆସିଥିଲେ । ଜଗଦୀଶ ନିଜକୁ ବଞ୍ଚାଇବା ପାଇଁ ଭାଲୁଙ୍କ ସହିତ କିଛି ସମୟ ଲଢ଼ିଥିଲେ । ହେଲେ ବିଫଳ ହୋଇଥିଲେ । ତାଙ୍କୁ ମା’ ସହ ଦୁଇ ଛୁଆ ଭାଲୁ ଆକ୍ରମଣ କରି କ୍ଷତ ବିକ୍ଷତ କରି ଛାଡି ଚାଲି ଯାଇଥିଲେ । ରାସ୍ତାରେ ପ୍ରାତଃ ଭ୍ରମଣରେ ବାହାରିଥିବା ଲୋକମାନେ ତାଙ୍କୁ ଉଦ୍ଧାର କରି ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ପରିବାର ପକ୍ଷରୁ ଘଟଣା ସ୍ଥଳେ ପହଞ୍ଚି ତୁରନ୍ତ ତାଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଉପସ୍ଥିତ ଥିବା ଡାକ୍ତର ମୁକ୍ତି କାନ୍ତ ମଲ୍ଲିକ ତାଙ୍କର ତୁରନ୍ତ ଚିକିତ୍ସା କରିଥିଲେ । ବର୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର ଶ୍ରୀ ମଲ୍ଲିକ କହିଛନ୍ତି । ହେଲେ ତାଙ୍କ ହାତ ଗୋଡ଼ ମୁହଁରେ ଆଘାତ ଲାଗିଥିବା ସୂଚନା ମିଳିଛି ।

Leave A Reply

Your email address will not be published.