ଆକାଶଦୀପ ବାଣ ଖସିପଡି ଗୋପବନ୍ଧୁଙ୍କ ଷଠିଘରେ ଅଗ୍ନିକାଣ୍ଡ

ସାକ୍ଷୀଗୋପାଳ : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘରେ ଦୀପାବଳୀ ସନ୍ଧ୍ୟାରେ ଆକଷ୍ମିକ ଅଗ୍ନିକାଣ୍ଡ ଘଟିଛି । ଦୀପାବଳୀ ଅବସରରେ ଏହି ଅଘଟଣକୁ ନେଇ ଗ୍ରାମବାସୀମାନେ ଦୁଃଖ ପ୍ରକାଶ କରିଛନ୍ତି । ଘରର ଗୋଟିଏ ବଖରା ଅଗ୍ନିକାଣ୍ଡରେ ଜଳିଯାଇଥିବା ବେଳେ, ଅନ୍ୟ ବଖରା ଗୁଡ଼ିକୁ ମଧ୍ୟ ନିଆଁ ବ୍ୟାପିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ନିଆଁ ଯୋଗୁଁ ଘରର ଚାଳଛପର କୁହୁଳିବା ଦେଖି ଗ୍ରାମବାସୀମାନେ ନିଆଁ ଲିଭାଇବାରେ ଲାଗିଥିଲେ । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ । ନିଆଁ ବ୍ୟାପିଯିବା ଭୟରେ ପଡୋଶୀଙ୍କ ଚାଳ ଛପର ନଡା କାଢି ଦିଆଯାଇଥିଲା । ଦୀପାବଳୀ ସନ୍ଧ୍ୟାରେ କିଛି ଦୂରରେ ଉଡୁଥିବା ଗୋଟିଏ ଆକାଶଦୀପ ବାଣ ଚାଳ ଉପରେ ଖସିପଡି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହା ଏକ ଦୁର୍ଘଟଣା ବୋଲି ସେ କହିଛନ୍ତି । ଏବେ ଐତିହ୍ୟ ଗ୍ରାମରେ ଗୋପବନ୍ଧୁଙ୍କ ଷଠିଘର ବିପଦ ମୁକ୍ତ । ତେବେ ଏହାର ସଂରକ୍ଷଣ କାମ କରୁଥିବା ଓବିସିସି ଅଧିକାରୀମାନେ ପହଞ୍ଚିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଅଧକ୍ଷ ଶ୍ରୀ ପଣ୍ଡା କହିଛନ୍ତି ।

Leave A Reply

Your email address will not be published.