ଶ୍ରଦ୍ଧା ଅନୁଷ୍ଠାନ ପକ୍ଷରୁ ଦୀପାବଳୀ ଉତ୍ସବ ପାଳିତ

ରାଉରକେଲା, (କେପିଏନ୍‌ଏସ୍‌) : ସବୁ ବର୍ଷ ପରି ଏବର୍ଷ ମାନସିକ ଭିନ୍ନକ୍ଷମମାନଙ୍କ ସହିତ ସେମାନଙ୍କର ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟମାନେ ତଥା ଅତିଥିଙ୍କ ଗ୍ରହଣରେ ଶ୍ରଦ୍ଧା ଅନୁଷ୍ଠାନ ପରିସରରେ ଦୀପାବଳୀ ଉତ୍ସବ ପାଳିତ ହୋଇଯାଇଛି । ଶ୍ରଦ୍ଧାର ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ ଏ ବର୍ଷ ମଧ୍ୟ ଅନ୍ତେବାସୀମାନେ ନିଜ ହାତରେ ଦୀପ, ମହମବତୀ ଦୀପାବଳୀ ଉପଲକ୍ଷେ ତିଆରି କରିଛନ୍ତି । ଆନୁମାନିକ ୨ ହଜାର ଟଙ୍କାର ଏହା ବଜାରରେ ଏବଂ ନିଜ ସମ୍ପର୍କିୟ ତଥା ପାଖଆଖର ଲୋକମାନଙ୍କୁ ବିକ୍ରି କରାଯାଇଛି । କିନ୍ତୁ ନିଜ ହାତ ତିଆରି କଳାକୃତିକୁ ନିଜେ ଉପଯୋଗ କରି ଆନନ୍ଦ ପାଇବାକୁ ସବୁ ବର୍ଷ ଅପେକ୍ଷା କରିଥାନ୍ତି ଏହି ଦିବ୍ୟାଙ୍ଗ ମାନେ । ତେଣୁ ଆଜି ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ” ଦୀପାବଳୀ ଉତ୍ସବ ଆସ ପାଳିବା” ଶ୍ରଦ୍ଧା ଅନୁଷ୍ଠାନର ଦୀପକ ସେବାଶ୍ରମଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସସ୍ମିତା ଜେନା, ରାଉରକେଲା ରାଉଣ୍ଡ ଟେବୁଲ ୧୯୪ର ଅଧ୍ୟକ୍ଷ ଗଗନଦୀପ ସାଲୁଜା, ରାଉରକେଲା ଲେଡି ସର୍କଲ ୧୨୦ର ଅଧ୍ୟକ୍ଷା ଜଗଜିତ ଆରୋରା, ଗୌରବ ବାଗାଡିଆ, ଅଭିଜିତ ମହାନ୍ତି ଓ ଅନ୍ନଦା ଅନୁଷ୍ଠାନର ଗଣେଶ ଜୟସ୍ୱାଲ, ନଳିନୀ ରାୟ ପ୍ରମୁଖ ଯୋଗଦେଇ ଦୀପ ମହମବତୀ କିଣିବା ସହ ଅନ୍ତେବାସୀଙ୍କୁ ପ୍ରୋତ୍ସାହନ ସ୍ୱରୂପ ଉପହାର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରଦ୍ଧାର ସଭାପତି ପଶୁପତିନାଥ ଚାଟାର୍ଜୀ, ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ, ଶିକ୍ଷୟିତ୍ରୀ ପ୍ରିତି ବାରିକ, ସୁଜାତା ରାଉତ, ସୁକୁମାର ପାଣ୍ଡବ, ପ୍ରଭାତୀ ପ୍ରଧାନ, ଧୀରେନ୍ଦ୍ର କୁମାର ଓଝା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଞ୍ଜୟ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.