ପ୍ରଫେସର୍‌ ଚିତ୍ତରଞ୍ଜନ ଦାସଙ୍କ ଶତବାର୍ଷିକୀ ଆସନ୍ତା ୨୨ ଓ ୨୩ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ବହୁ ମୁଖରେ ଓଡିଶାର ସକ୍ରେଟିସ ଭାବେ ଅବହିତ ଅଦ୍ୱିତୀୟ ପ୍ରତିଭାବାନ ଚିନ୍ତକ, ଶୀର୍ଣ୍ଣ ତନୁରେ ବିଶାଳ ହୃଦୟ ବହନ କରିଥିବା ପ୍ରଫେସର୍ ଚିତ୍ତରଞ୍ଜନ ଦାସ (ଚିତ୍ତଭାଇ)ଙ୍କ ଜନ୍ମ ଶତବାର୍ଷିକୀ ଗତ ଅକ୍ଟୋବର ୩ ତାରିଖକୁ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ସେକ୍ଟର ୭ ସ୍ଥିତ ପ୍ରଗତି ଉତ୍କଳ ସଂଘ ଠାରେ ସେହି ପରମ ପୂଜନୀୟଙ୍କୁ ଶ୍ରଦ୍ଧାଞ୍ଜଳି ଓ ପ୍ରଣିପାତ ଜଣାଇ ପୂର୍ବବର୍ଷ ପରି ଚଳିତ ବର୍ଷ ଆସନ୍ତା ୨୨ ଓ ୨୩ ତାରିଖ ଦୁଇଦିନ ଧରି ତାଙ୍କ ଜୟନ୍ତୀ ପାଳନ ସହ ଆଲୋଚନା ଅନୁଷ୍ଠିତ ହେବ । ୨୨ ତାରିଖ ସଂଧ୍ୟା ୬ଟା ୪୫ ମିନିଟ୍‌ରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଆରଏସପି ମାନବ ସମ୍ବଳ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ବେଳେ ଚିତ୍ତଭାଇଙ୍କ ପ୍ରିୟ ଓ ଏକାଡେମୀ ପୁରସ୍କାରପ୍ରାପ୍ତ ପୁସ୍ତକ ‘ଜୀବନ ବିଦ୍ୟାଳୟ’କୁ ନେଇ ଆଲୋଚନା କରିବେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ରାଜୀବ ପାଣି ଓ ଖଣ୍ଡଗିରି ଭୁବନେଶ୍ୱର ସ୍ଥିତ ଓଡିଶାର ପ୍ରଥମ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ରବିନ୍ଦ୍ର ନାଥ ପାଢୀ । ଦ୍ୱିତୀୟ ଦିବସ ୨୩ ତାରିଖ ଦିବା ୧୦ଟା ୧୫ ମିନିଟ୍‌ରେ ହେବାକୁ ଥିବା ଆଲୋଚନାଚକ୍ରରେ ରବିନ୍ଦ୍ର ନାଥ ପାଢୀ ମୁଖ୍ୟ ଅତିଥି ଓ ଆଲୋଚନାଚକ୍ରରେ ପ୍ରଫେସର୍ ପ୍ରଭାତ ମଲ୍ଲିକ, ପ୍ରଫେସର୍‌ ଭବେଶ ଚନ୍ଦ୍ର ସାହୁ ଓ ଡ. ନଗେନ ଦାସ ଯୋଗଦେଇ ଯଥାକ୍ରମେ ‘ଓଡିଶାର ସକ୍ରେଟିସ ଚିତ୍ତଭାଇ’, ‘ଋଷି ଚେତନାର ମନୀଷା’ ଓ ‘ମଣିଷ ଲୋଡୁଥିବା ମଣିଷ’ ସଂପର୍କରେ ଆଲୋଚନା କରିବେ । ଏହି ଅବସରରେ ସ୍ୱ ଶତବାର୍ଷିକୀ ବକ୍ତୃତା ଆଧାରରେ ଲିଖିତ କେତେକ ପ୍ରବନ୍ଧର ସଂକଳନ ‘ଆଉ ଏକ ସକାଳ’ ଭାଗ ୩ର ଲୋକାର୍ପଣ କରିବେ ସଂଘର ସଭାପତି ତଥା ଆରଏସପି ସହର ସେବା ତଥା ସାମାଜିକ ଉତ୍ତର ଦାୟିତ୍ଵ ବିଭାଗର ମୁଖ୍ୟ ଅଜୟ କୁମାର ନାୟକ । ଏହାଛଡ଼ା ଚିତ୍ତଭାଇଙ୍କ ରଚନାବଳୀର ବିକ୍ରି ଓ ପ୍ରସାର ଉଦ୍ଦେଶ୍ୟରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ । ଏଥିପାଇଁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାହିତ୍ୟିକପ୍ରେମୀ ଯୋଗ ଦେବା ପାଇଁ କାର୍ଯ୍ୟକ୍ରମର ମୁଖ୍ୟ ଆବାହକ ଭାରତଭୂଷଣ ମହାନ୍ତି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

error: Content is protected !!