jayashree

ପ୍ରାଣୀ ସଂପଦ ବିକାଶ ବିଭାଗ ତରଫରୁ ବିଶ୍ୱ ଅଣ୍ଡା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ବିଶ୍ୱ ଅଣ୍ଡା ଦିବସ ସାମ୍ବାଦିକ ଭବନ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଆଇଏଏସ୍‌ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଅଣ୍ଡାର ମହତ୍ୱ ତଥା ବଲାଙ୍ଗିର ଜିଲ୍ଲା କିପରି ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ସ୍ୱାବଳମ୍ବି ହୋଇପାରିଛି ତା’ ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌର ପାଳିକା ଅଧ୍ୟକ୍ଷା ଲିକା ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଅଣ୍ଡା କିପରି ଏକ ପରିପୂର୍ଣ୍ଣ ସୁଷମ ଖାଦ୍ୟ ସେ ବିଷୟରେ ଆଲୋକପାତ କଲେ ଓ ସରକାରଙ୍କ ତରଫରୁ ମାଗଣାରେ ଶିଶୁ, ଗର୍ଭବତୀ ମହିଳା ଓ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦିଆଯାଉଥିବା କହି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଚିକିତ୍ସାଧିକାରୀ ଡା. ସ୍ନେହଲତା ସାହୁ ଅଣ୍ଡାର ବିଭିନ୍ନ ପୋଷକ ତଥ୍ୟ ତଥା ଅଣ୍ଡା କିପରି ଏକ ପରିପୂର୍ଣ୍ଣ ସୁଷମ ଖାଦ୍ୟ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଏହାକୁ କିପରି ସମସ୍ତ ବର୍ଗ ଓ ବୟସର ଲୋକମାନେ ବ୍ୟବହାର କରିବେ ତା’ ମଧ୍ୟ ବୁଝାଇ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଓଡିଶା ସରକାରଙ୍କ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଯୁଗ୍ମ ନିର୍ଦ୍ଦେଶକ (ଯୋଜନା) ଭାବେ କାର୍ଯ୍ୟରତ ଡ. ଚିତ୍ତ ରଂଜନ ମଲ୍ଲିକ ସରକାରଙ୍କ ବିଭିନ୍ନ ରିହାତିଯୁକ୍ତ ଲାଭଜନକ କୁକୁଡା ଚାଷ ଯୋଜନା ବିଷୟରେ ଚାଷୀମାନଙ୍କୁ ଅବଗତ କରାଇଥିଲେ । ଏ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ. ସନ୍ତୋଷ କୁମାର ପଣ୍ଡା ସଭାପତିତ୍ୱରେ ସମ୍ପାଦନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶେଷ ଭାଗରେ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ବ୍ୟବସାୟିକ ପ୍ରୟାସ ଉପରେ ଡ. ସଂଗ୍ରାମ ସିଂ ନାଏକ, ଏଭିଏଏସ୍‌, ଏମ୍‌ଭିୟୁ ଲୋଇସିଂହା ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକରୁ ଅଗ୍ରଣୀ କୁକୁଡା ପାଳକ ଚାଷୀମାନେ ଯୋଗଦାନ କରିଥିଲେ ତଥା ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଉପଖଣ୍ଡସ୍ତରୀୟ ଅଧିକାରୀ, ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଓ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.