ଛତ୍ରପୁର ସାହିତ୍ୟ ସଂସଦ ଆନୁକୂଲ୍ୟରେ ଶାରଦୀୟ ସାରସ୍ଵତ ସମାରୋହ -୨୦୨୨ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସାହିତ୍ୟ ସଂସଦ ଆନୁକୂଲ୍ୟରେ ଶାରଦୀୟ ସାହିତ୍ୟ ସମାରୋହ- ୨୦୨୨ ଅନୁଷ୍ଠିତ ହୋଇଯାଇଛି । ସଭାପତି ବ୍ରଜମୋହନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଆସରରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ସମାଜ ଓ ସାହିତ୍ୟ ତଥା ଶାରଦୀୟ ପୂଜାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ତଥା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା ଯୋଗଦେଇ ସାହିତ୍ୟ ଓ ସମାଜ ମଧ୍ୟରେ ରହିଥିବା ଅଭେଦ୍ୟ ସଂପର୍କକୁ ଆଲୋଚନା କରିଥିଲେ । ରାଜନୀତି ବିଜ୍ଞାନର ଦାର୍ଶନିକମାନଙ୍କର ବିଭିନ୍ନ ତତ୍ତ୍ୱ ଉପରେ ଦୃଷ୍ଟିପାତ କରି ଉତ୍ତର ଆଧୁନିକତାର ଉତ୍ସ ସମ୍ପର୍କରେ ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ଫୁଲବାଣୀ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଡ଼.ସୁଜିତ କୁମାର ପଣ୍ଡା ଯୋଗଦେଇ ଐତିହାସିକ ବିବର୍ତ୍ତନ ମଧ୍ୟରେ ଶାକ୍ତ ପରମ୍ପରାକୁ ଆଲୋଚନା କରିବା ସହିତ ସାହିତ୍ୟ ଉପରେ ଏହାର ପ୍ରଭାବକୁ ପ୍ରତିପାଦନ କରିଥିଲେ । ପାରଳାଖେମୁଣ୍ଡିର କୃଷ୍ଣଚନ୍ଦ୍ର ଗଜପତି, ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼. ଅଜୟ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାହିତ୍ୟର ସମାଜତତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।

ଦ୍ୱିତୀୟ ପର୍ଯ୍ୟାୟରେ ସଂସଦର ସମ୍ପାଦକ ଦିଲ୍ଲୀପ କୁମାର ପଲେଇ କବିତା ଆବୃତ୍ତି ଆସରକୁ ସଂଯୋଜନା କରିଥିଲେ । କବି ସୋମନାଥ ସାହୁ, ବ୍ରଜମୋହନ ଆଚାର୍ଯ୍ୟ, ପ୍ରଶାନ୍ତ ଶତପଥୀ, ସୁଜିତ କୁମାର ପଣ୍ଡାଙ୍କ ସମେତ ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ପଣ୍ଡିତ ନୀଳକଣ୍ଠ କଲେଜର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!