ବିଶ୍ୱ ବ୍ୟାଙ୍କର ନୂଆ ଆକଳନ : ଭାରତର ଜିଡିପି ଅଭିବୃଦ୍ଧି ୬.୫%କୁ କମିବ

ୱାସିଂଟନ : ଭାରତର ଜିଡିପି ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ରେ ୬.୫ ପ୍ରତିଶତକୁ ହ୍ରାସ ପାଇବ । ବିଶ୍ୱ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ସଦ୍ୟ ଆକଳନରେ ଏହା ଦର୍ଶାଯାଇଛି । ଜୁନ୍‌ରେ ବିଶ୍ୱବ୍ୟାଙ୍କ କରିଥିବା ଆକଳନ ତୁଳନାରେ ଏହା ୧ ପ୍ରତିଶତ କମ୍‌ । ଅନ୍ତର୍ଜାତୀୟ ପରିସ୍ଥିତି ଖରାପ ହେଉଥିବା କାରଣରୁ ଭାରତର ଅଭିବୃଦ୍ଧି ହ୍ରାସ ପାଇବ ବୋଲି ବିଶ୍ୱବ୍ୟାଙ୍କ ଦର୍ଶାଇଛି । ଦକ୍ଷିଣ ଏସିଆର ଅନ୍ୟାନ୍ୟ ଦେଶ ତୁଳନାରେ ଭାରତୀୟ ଅର୍ଥନୀତିର ପ୍ରଦର୍ଶନ ଭଲ ରହିଛି ବୋଲି ବିଶ୍ୱ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ(ଦକ୍ଷିଣ ଏସିଆ) ହନ୍ସ ଟିମର କହିଛନ୍ତି । ତେବେ ଚଳିତ କ୍ୟାଲେଣ୍ଡର ବର୍ଷର ଦ୍ୱିତୀୟାର୍ଦ୍ଧରେ ଅଧିକାଂଶ ଦେଶର ଅର୍ଥନୀତି ଖରାପ ରହିବ । ଭାରତର ଅବସ୍ଥା ମଧ୍ୟ ଅପେକ୍ଷାକୃତ ଖରାପ ପ୍ରଦର୍ଶନ କରିବ । ବିଶ୍ୱର ବିକଶିତ ରାଷ୍ଟ୍ରଗୁଡ଼ିକର ବାସ୍ତବ ଅଭିବୃଦ୍ଧି ମନ୍ଥର ହେବା ସହିତ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ କଠୋର ମୁଦ୍ରାନୀତି ଅବଲମ୍ବନ କରୁଥିବାରୁ ଏଭଳି ହେବ ବୋଲି ସେ କହିଛନ୍ତି । ସାମାଜିକ ସୁରକ୍ଷାଠାରୁ ଆରମ୍ଭ କରି ଡିଜିଟାଲ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଭାରତ ଭଲ କାର୍ଯ୍ୟ କରୁଛି । ତେବେ ଧାନ ଏବଂ ଗହମ ରପ୍ତାନି ଉପରେ ଭାରତ ଲଗାଇଥିବା କଟକଣା ଠାରୁ ଆରମ୍ଭ କରି ଅନ୍ୟ କେତେକ ନୀତିକୁ ସେ ସମାଲୋଚନା କରିଛନ୍ତି । ସେହିଭଳି ଭାରତରେ ମାତ୍ର ୨୦ ପ୍ରତିଶତ ମହିଳା ଶ୍ରମଶକ୍ତିରେ ସାମିଲ ହୋଇଛନ୍ତି । ତେଣୁ ଏହି ସମସ୍ୟାର ସମାଧାନ କରିବାକୁ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.