ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର-ଖୋର୍ଦ୍ଧା ରେଳ ଲାଇନ୍ କାମରେ ଅହେତୁକ ବିଳମ୍ବ ହୋଇ ଚାଲିଥିବା ବେଳେ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଏବେ ବଲାଙ୍ଗିର-ଖୋର୍ଦ୍ଧା ରେଳ ଲାଇନ୍ ସଂଘର୍ଷ ସମିତିି ଗଠିତ ହୋଇଯାଇଛି । ବିଗତ ଦିନରେ ଲୋୟର୍ ସୁକ୍ତେଲ୍ ଓ ବଲାଙ୍ଗିର ବାଏପାସ୍ କାମକୁ ତ୍ୱରାନ୍ୱିତ କରିବା ପାଇଁ ଲଢେଇ କରି ସଫଳତାର ଦ୍ୱାରଦେଶରେ ପହଂଚାଇ ପାରିଥିବା ଗୋପାଳଜୀ ପାଣିଗ୍ରାହୀ ଏବେ ଏହି ବଲାଙ୍ଗିର-ଖୋର୍ଦ୍ଧା ରେଳ ଲାଇନ୍ ସଂଘର୍ଷ ସମିତିର ଅଧ୍ୟକ୍ଷ ପଦବୀରେ ରହିଥିବା ବେଳେ ନିକଟରେ ଏହି ସମିତିର ସଭ୍ୟମାନେ ବୌଦ୍ଧ ଓ ସୋନପୁର ଯାଇ ସେଠାରେ ବଲାଙ୍ଗିର-ଖୋର୍ଦ୍ଧା ରେଳ ଲାଇନ୍ କାମ ତ୍ୱରାନ୍ୱିତ କରାଯିବା ଉଦ୍ଦେଶ୍ୟରେ ସଭା ଆୟୋଜନ କରି ସଂଘର୍ଷ ସମିତିକୁ ବଳିଷ୍ଠ କରିଥିବା ସୂଚନା ମିଳିଛି । ତେବେ ଆସନ୍ତା ୧୧ ତାରିଖ ଦିନ ସ୍ଥାନୀୟ ସାମ୍ବାଦିକ ଭବନରେ ଏହି ସଂଘର୍ଷ ସମିତିର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।