csstore

ଗଣ୍ତାବାହାଲିରେ ନୂଆଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମ

ଗଣ୍ଡାବାହାଲି, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଅବସରରେ ଗଣ୍ତାବାହାଲିଠାରେ ନୂଆଖାଇ ଭେଟ୍‌ଘାଟ୍‌ ବହୁ ଆଡମ୍ବର ସହକାରେ ମହାସମାରୋହରେ ପାଳିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କ୍ୟାବିନେଟ ମନ୍ତ୍ରୀ ଯୋଜନା ଓ ସମନ୍ୱୟ ବିଭାଗ ଓଡ଼ିଶା ସରକାର ରାଜେନ୍ଦ୍ର ଢୋଲକିଆ ଯୋଗଦାନ କରି ନୂଆଖାଇ ଏକ ଶାନ୍ତି ସଦ୍‌ଭାବନା ଏବଂ ଭାଇଚାରାର ପର୍ବ ଭାବରେ ସାରା ବିଶ୍ୱକୁ ବାର୍ତ୍ତା ଦେଇଥାଏ ବୋଲି ମତ ପୋଷଣ କରିଥିଲେ । ଗଣ୍ତାବାହାଲି ଏକ କେନ୍ଦ୍ରସ୍ଥଳୀ ହିସାବରେ ଉକ୍ତ ସ୍ଥାନରେ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା ଏବଂ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ରାମଗଡର ବିକାଶ ତଥା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ମନ୍ତ୍ରୀଙ୍କୁ ବରିଷ୍ଠ ନାଗରିକ କମିଟି ତଥା ଅଞ୍ଚଳବାସୀ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ସମାରୋହରେ ମୁଖ୍ୟବକ୍ତା ବିଭାଗୀୟ ମୁଖ୍ୟ ଇଂରାଜୀ ବିଭାଗ ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ ତଥା ଧର୍ମଗଡ ସାହିତ୍ୟ ସଂସଦର ସଭାପତି ଲିଙ୍ଗରାଜ ପାତ୍ର ଯୋଗଦାନ‌ କରି ନୂଆଖାଇର ମହତ୍ତ୍ଵ ଓ ଜଣେ ମାନବ ହିସାବରେ ସମାଜରେ କର୍ତ୍ତବ୍ୟ କ’ଣ ତାହା ଉପରେ ମତ ରଖିଥିଲେ । ସମ୍ମାନୀତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସର୍ବେଶ୍ଵର ଜାଲ, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ଜିଲ୍ଲା ପରିଷଦ ସଭ୍ୟା ଯାଜ୍ଞସେନୀ କଟା, ସରପଞ୍ଚ କୈଶଲ୍ୟା ମେହେର, ସମିତି ସଭ୍ୟା ସସ୍ମିତା ମେହେର ଯୋଗଦାନ‌ କରିଥିଲେ । ନୂଆଁଖାଇ ଭେଟ୍‌ଘାଟ୍‌ କମିଟିର ସଭାପତି ଗଙ୍ଗାରାମ ମେହେରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ‌। ଯୁବ ଅଧ୍ୟାପକ ଗୁପ୍ତେଶ୍ୱର ମେହେର ସ୍ୱାଗତ ଅଭିଭାଷଣ ତଥା ମଞ୍ଚ ପରିଚାଳନା କରିଥିଲେ । ପ୍ରଥମେ ପଞ୍ଚାୟତ ହାଇସ୍କୁଲ ଗଣ୍ତାବାହାଲିର ଛାତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ପରିବେଷଣ ହୋଇଥିବା ବେଳେ ଯୁବ ଶିକ୍ଷକ ଯଜ୍ଞେଶ୍ଵର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟ ଶେଷପରେ ନୂଆଁଖାଇ ଭେଟ୍‌ଘାଟ୍‌ ମଞ୍ଚରେ ବଲାଙ୍ଗିର, ଟିଟିଲାଗଡ଼ରୁ ଆସିଥିବା ଜେ.ଏସ.ଆର୍ ଡେନ୍ସ ଏକାଡେମୀର କଳାକାରମାନେ ପାରମ୍ପରିକ ନୃତ୍ୟ ସହିତ ଢୋଲ ନିସାନ୍‌ରେ ମଞ୍ଚକୁ ଦୁଲକେଇ ହଜାର ହଜାର ଦର୍ଶକଙ୍କ ମନ ମୋହି ଥିଲେ ।

jayashree
Leave A Reply

Your email address will not be published.