jayashree

ଆଜି ପବିତ୍ର ଗଣେଶ ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଗଣେଶ ପୂଜା । ପ୍ରତି ବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ମହାଆଡମ୍ବରରେ ଗଣେଶ ପୂଜା ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ପାଳନ କରିଥାନ୍ତି । ‘ଓଁ ଗଣେଶ ବିଘ୍ନେଶ ଗିରିଜାନନ୍ଦନ ପ୍ରଭୋ, ମମ ବିଘ୍ନ ବିନାଶାୟ ଗଣାଧିପତୟେ ନମଃ’ ଏହି ମନ୍ତ୍ର ଆଜି ଚାରି ଆଡେ ପ୍ରକମ୍ପିତ ହେଉଛି । ସମସ୍ତ ଶିଶୁଙ୍କ ମୁହଁରେ ଏହି ମନ୍ତ୍ର । ସମସ୍ତ ସ୍କୁଲ, କଲେଜ ବିଭିନ୍ନ ଶିକ୍ଷା ଅନୁଷ୍ଠାରେ ଗଣେଶ ପୂଜାକୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ । ଭଗବାନ ଗଣେଶ ବିଘ୍ନହର୍ତ୍ତା ଓ ସମୃଦ୍ଧିର ପ୍ରତିକ ତେଣୁ ସମସ୍ତ ସ୍ଥାନରେ ଗଣେଶଙ୍କୁ ପୂଜା କରାଯାଏ । ସମସ୍ତ ଶିଶୁମାନେ ଏହି ଗଣେଶ ପୂଜା ଦିନ ଖଡି ଛୁଇଁ ନିଜ ପାଠପଢା ଆରମ୍ଭ କରିଥାନ୍ତି । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇର ଠିକ୍‌ ପୂର୍ବ ଦିନ ଗଣେଶ ଚତୁର୍ଥୀ ପଡିଥାଏ । ଯିଏ ଯେଉଁଠି ଥାଆନ୍ତୁ ନା’ କାହିଁକି ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ତେଣୁ ଗଣେଶ ପୂଜା ଦିନ ଗାଁ ଠାରୁ ସହର ପର୍ଯ୍ୟନ୍ତ ପ୍ରବଳ ଜନ ସମାଗମ ଦେଖାଯାଇଥାଏ । ଗଣେଶ ପୂଜା ପୂର୍ବରୁ ଗଣେଶଙ୍କ ବିଭିନ୍ନ ପ୍ରକାରର ମୂର୍ତ୍ତୀ ତିଆରି କରି କାରିଗରମାନେ ବିକ୍ରି କରିଥାନ୍ତି । ନିଜ ମନ ପସନ୍ଦର ମୂର୍ତ୍ତୀ କାରିଗରଙ୍କ ଠାରୁ କିଣି ଭକ୍ତମାନେ ବେଶ ଆନନ୍ଦ ଉଲ୍ଲାସରେ ପୂଜା କରିଥାନ୍ତି । ଗଣେଶ ପୂଜା ମୁଖ୍ୟତଃ ୧୦ ଦିନ ପର୍ଯ୍ୟନ୍ତ କରାଯାଇଥାଏ । ପୂଜା ପରେ ଗଣେଶଙ୍କ ମୂର୍ତ୍ତୀକୁ ବିଭିନ୍ନ ବାଦ୍ୟ ବଜାଇ ‘ଗଣପତି ବାପ୍ପା ମୋରିଆ, ଅଗଲେ ବରଷ ଫିର ଲୋଟ କେ ଆ’ କହି ଆନନ୍ଦ ଉଲ୍ଲାସରେ ବିସର୍ଜନ କରିଥାନ୍ତି । ତେବେ ଦୁଇ ବର୍ଷ କାଳ କରୋନା ମହାମାରୀ କାରଣରୁ ସମସ୍ତ ପ୍ରକାର ପୂଜା ପର୍ବ ଫିକା ପଡି ଯାଇଥିଲା । ଚଳିତ ବର୍ଷ କରୋନା କଟକଣା କୋହଳ ହେବାରୁ ଗଣେଶ ପୂଜା ମହାଆଡମ୍ବର ସହ ଧୁମ୍‌ଧାମ୍‌ରେ ପାଳନ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଥିବାରୁ ସମସ୍ତ ଭକ୍ତଙ୍କ ମଧ୍ୟରେ ବେଶ ଆନନ୍ଦ ଦେଖା ଦେଇଛି । ଗଣେଶ ପୂଜା ନିମନ୍ତେ ଆଜି ଚାରିଆଡେ ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ତଥା ବଲାଙ୍ଗିରର ସମସ୍ତ ପଡାମାନଙ୍କରେ ଗଣେଶ ପୂଜା ଧୁମ୍‌ଧାମ୍‌ରେ ପାଳିତ ହେଉଛି ।

Leave A Reply

Your email address will not be published.