ପାଇକମାଲରେ ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

  • ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ସାଧାରଣ ସଭାରେ ସ୍ୱାଧୀନତା ସଂଗ୍ରାମୀ ଦାୟଦଙ୍କୁ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଓଡ଼ିଶା ପରିଭ୍ରମଣ କରୁଥିବା ‘ଅହିଂସା ରଥ’କୁ ପଦ୍ମପୁର ଉପଖଣ୍ଡରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ‘ଅହିଂସା ରଥ’ ପାଇକମାଲ ମୁଖ୍ୟ ଛକରେ ପହଞ୍ଚିବା ପରେ ସମ୍ବଲପୁରୀ ଡାଲଖାଇ ନାଚ ଗୀତ ସହ ମହିଳା ସଂକୀର୍ତ୍ତନ ନାଚ ଗୀତର ତାଳେ ତାଳେ ବାଦ୍ୟ ସହ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେଠାରୁ ନୃସିଂହନାଥ, କସ୍ତୁରବା ଗାନ୍ଧୀ ମାତୃ ନିକେତନ ଯିବା ବାଟରେ ମଧ୍ୟ ଭବ୍ୟ ସ୍ଵାଗତ କରାଯାଇଥିଲା । ଏହାପରେ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ପାଇକମାଲ ବିଡିଓ ଦେବାଶିଷ ସିହ୍ନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷକ ଡୋଲାମଣି ମାହାର ସଂଯୋଜନା କରିଥିଲେ । ବରଗଡ଼ ଜିଲ୍ଲା ଲୋକ ସମ୍ପର୍କ ସୂଚନା ବିଭାଗ ଅଧିକାରୀ କଲ୍ୟାଣୀ ଦାସ ‘ଅହିଂସା ରଥ’ ଉଦ୍ଦେଶ୍ୟ ଜ୍ଞାପନ କରିଥଲେ । ମୁଖ୍ୟ ଅତିଥି ଭାବେ ତହସିଲଦାର ମନୋଜ ମେହେର, ମୁଖ୍ୟ ବକ୍ତା ଅଧ୍ୟାପକ ପ୍ରଦୀପ ଦିୱାନ, ସମ୍ମାନିତ ଅତିଥି ଭାବେ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ଯୋଗ ଦେଇଥିଲେ । ସ୍ଵାଧୀନତା ସଂଗ୍ରାମୀ ଦାୟଦ ସ୍ୱର୍ଗତ ପାର୍ବତୀ ଗିରିଙ୍କ ନାତି ନିର୍ମଳ ଗିରି, ସ୍ଵାଧୀନତା ସଂଗ୍ରାମୀ ସ୍ୱର୍ଗତ ମାୟାଧର ପୁରୋହିତଙ୍କ ପୁତ୍ର ଡୋଲାମଣି ପୁରୋହିତ, ସ୍ଵାଧୀନତା ସଂଗ୍ରାମୀ ବୈରାଗୀ ରଣାଙ୍କ ପୁତ୍ର ସୁଧୀର ରଣାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ସେହିପରି ‘ଭାରତ ମାତା’ ଭୂମିକାରେ ଅଭିନୟ କରିଥିବା ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଜସ୍ମିନ ସେଠ ଓ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଅତିଥିଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ସମ୍ମାନିତ କରାଯାଇଥିଲା ।ପରିଶେଷରେ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଯମୁନା କନ୍ଧୁଣୀ ବିଦ୍ୟାଳୟ ଛାତ୍ରୀଙ୍କ ଦ୍ୱାରା ଦେଶାତ୍ମକବୋଧକ ସାଂସ୍କୃତିକ ନାଚ ଗୀତ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.