- ଶୋଭାଯାତ୍ରା, ସଭା, ସମ୍ମାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲିକିବ ତାଳପଦରର ଖଗେଶ୍ୱର ମଣ୍ଡପ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପରବାସୀ କୁଟୁମ୍ ଓ ଉତାଲଗଡ ନାଟ୍ୟ ସଂସଦର ମିଳିତ ଆୟୋଜନରେ ଆଗାମୀ ୪ ସେପ୍ଟେମ୍ବର ରବିବାର ଦିନ ନୂଆଁଖାଇ ଭେଟ୍ଘାଟ୍ ବିଜେପୁର ବ୍ଲକର ତାଳପଦର ଗ୍ରାମରେ ଅନୁଷ୍ଠିତ ହେବ । ସାହିତ୍ୟପ୍ରାଣ କବି ଖଗେଶ୍ୱର ସେଠଙ୍କ ନାମରେ ନାମିତ ଖଗେଶ୍ୱର ମଣ୍ଡପ ଦୁଲୁକି ଉଠିବ । ଉକ୍ତ ଦିନ ସାଂସ୍କୃତିକ ଶୋଭାଯାତ୍ରା, ନୂଆଁଖାଇ ଭେଟ୍ଘାଟ୍ ସଭା, ସମ୍ବର୍ଦ୍ଧନା ପର୍ବ, କବିତା ଆବୃତି, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିକୁ ନେଇ ଦିନବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଅବସରରେ ବହିପସରା ତଥା ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ପ୍ରଦର୍ଶିତ ହେବ । ଚଳିତ ବର୍ଷ ସାହିତ୍ୟରେ ବରଗଡରୁ ଶିବଶଙ୍କର ପୂଝାରୀ, ସାହିତ୍ୟ ଅନୁଷ୍ଠାନ ଭାବରେ ବଲାଙ୍ଗିରର ତହଁକ ଅନୁଷ୍ଠାନ, ସମାଜସେବାରେ ବରଗଡର ସଂକଳ୍ପ ପରିବାର, କଳାରେ ଭବାନୀପାଟଣାରୁ ପରମେଶ୍ୱର ମୁଣ୍ଡ, ଚାଷରେ ନୂଆପଡାରୁ ଇନ୍ଦ୍ରମଣି ପାଣିଗ୍ରାହୀ ଓ ଯୁବପ୍ରତୀଭା ବଲାଙ୍ଗିରରୁ ସୁଜିତ କୁମାର ଶତପଥୀଙ୍କୁ ପରବାସୀ ସମ୍ମାନ ଏବଂ ସମ୍ବଲପୁରରୁ ରତନ କୁମାର ପୂଜାହାରୀଙ୍କୁ ସଂଜୀବ ବଣିଆଁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ ବୋଲି ଜଣାଯାଇଛି । ଏନେଇ ଏକାଧିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ଅନୁଷ୍ଠାନର କର୍ମକର୍ତ୍ତାମାନେ ବିଭିନ୍ନ କମିଟି ଓ ସବକମିଟି ଗଠନ କରି ବ୍ୟାପକ ପ୍ରସ୍ତୁତି ଚଲାଇଛନ୍ତି । ସର୍ବଶ୍ରୀ ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, କପିଲେଶ୍ୱର ଖମାରୀ, ସୁଶାନ୍ତ ମିଶ୍ର, ହୃଦମଣି ସାହୁ, ସର୍ଜନ ପଧାନ, ଉମାକାନ୍ତ ଭୋଇ, ଉମେଶ ଭୋଇଙ୍କ ସମେତ ଉଭୟ ଅନୁଷ୍ଠାନର କର୍ମକର୍ତ୍ତାମାନେ ନିଜ ନିଜ ବିଭାଗୀୟ କାମରେ ପ୍ରସ୍ତୁତି ଚଲାଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମଗ୍ର ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ କବି, ସାହିତ୍ୟିକ, କଳାକାର ପ୍ରମୁଖ ଯୋଗଦାନ କରିବେ ବୋଲି ଜଣାପଡିଛି ।