ଜଳଛାୟା ପ୍ରକଳ୍ପ ଦୁର୍ନୀତି : ଅଧିକାରୀମାନଙ୍କୁ ଥାନା ପଠାଇଲେ ଜିଲ୍ଲାପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚାଷୀମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଲକ୍ଷ୍ୟରେ ଜଳଛାୟା ପ୍ରକଳ୍ପରେ ବର୍ଷକୁ କୋଟି କୋଟି ଟଙ୍କାର ଅନୁଦାନ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି । କିନ୍ତୁ ଅଧିକାଂଶ ସ୍ଥାନରେ ଚାଷୀ ଆତ୍ମ ନିର୍ଭରଶୀଳ ହେବ କଣ, ଜଳଛାୟା ଅଧିକାରୀ, କମିଟିର ସଂପାଦକମାନଙ୍କୁ ଧରି ମିଥ୍ୟା ବିଲ ଭାଉଚର କରି ଅନୁଦାନରେ ଆସୁଥିବା ଅର୍ଥ ଭାଗବାଣ୍ଟି ଖାଇ ଦେଉଥିବାର ନଜିର ଥିବାବେଳେ ଏହାର କୌଣସି ତଦନ୍ତ ମଧ୍ୟ ହେଉ ନାହିଁ ବୋଲି ଅଭିଯୋଗ ହେଉଛି । ଚାଷୀମାନଙ୍କ ଅଭିଯୋଗ ଅନୁସାରେ ଚାଷୀମାନଙ୍କ ଜମିରେ ଫାର୍ମ ଫଣ୍ଡ, ଜମି ମରାମତି, ଗୁହାଳ, ଛେଳି, ଗାଈ ଯୋଗାଇ ଦେବାକୁ ଆସୁଥିବା ଟଙ୍କା ସବୁ ଗାଏବ ହୋଇଯାଉଛି । ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ତାରପୁରୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ କୁକ୍ରିପାଲି ଗାଁର ୨୫ ଜଣ ଚାଷୀଙ୍କୁ ଝାରବନ୍ଧ ଜଳଛାୟା ପ୍ରକଳ୍ପ ଜରିଆରେ ପ୍ରତ୍ୟେକ ଚାଷୀଙ୍କୁ ୨୦୨୧ ମସିହା ଡିସେମ୍ବର ମାସରେ ଛେଳି କିଣିବା ପାଇଁ ୨୫ ହଜାର ଟଙ୍କା ଲେଖାଁଏ ଚାଷୀଙ୍କ ବ୍ୟାଙ୍କ ଏକାଉଣ୍ଟକୁ ଦିଆଯାଇଥିଲା । ପରେ ଜଳଛାୟା ଅଧିକାରୀ ଓ ଗ୍ରାମର ଜଳଛାୟା କମିଟି ସଂପାଦକ କିଶନ ରାଉତ ଚଞ୍ଚକତା କରି ଚାଷୀଙ୍କ ଦସ୍ତଖତ ନେଇ ଛେଳି କିଣି ଦିଆଯିବ କହି ୬ ଲକ୍ଷ ୨୫ ହଜାର ଟଙ୍କା ଚାଷୀଙ୍କ ଏନକାଉଣ୍ଟରୁ ଉଠାଇ ଆଣିବା ପରେ ଚାଷୀଙ୍କୁ କିଣି ଦିଆଯାଇ ନଥିଲା । ଅନେକ ଆପତ୍ତି ଅଭିଯୋଗ କଲାପରେ ମଧ୍ୟ କେହି ନ ଶୁଣିବାରୁ ଗତ ଜୁଲାଇ ୨୫ ତାରିଖ ଝାରବନ୍ଧଠାରେ ବରଗଡ ଜିଲ୍ଲା ଜିଲ୍ଲାପାଳ ଶ୍ରୀମତୀ ମନିଷା ବାନାର୍ଜୀଙ୍କ ଜନ ଶୁଣାଣିରେ ଚାଷୀମାନେ ପୁଣି ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ସେଠାରେ ଉପସ୍ଥିତ ଥିବା ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ ଜଳଛାୟା ଅଧିକାରୀ ଓ କମିଟି ସଂପାଦକଙ୍କୁ ଝାରବନ୍ଧ ଥାନାରେ ଅଟକ ରଖିଥିଲେ । ଥାନାରେ ଚାଷୀ, ଜଳଛାୟା ପ୍ରକଳ୍ପ ଅଧିକାରୀ, କମିଟି ସଂପାଦକଙ୍କ ମଧ୍ୟରେ ଆପୋଷ ବୁଝାମଣା ହେବାପରେ ୩ ଦିନ ପରେ ଚାଷୀଙ୍କୁ ୨୫ ହଜାର ଟଙ୍କା ଲେଖାଁଏ ଫେରସ୍ତ ଦିଆଯାଇଥିଲା । ଏ ସମାଧାନର ମଧ୍ୟସ୍ଥି ସାଜିଥିବା ଜଣେ ଜିଲ୍ଲା ପରିଷଦ ସଦସ୍ୟ ଓ ଜଣେ ପୋଲିସ ଅଧିକାରୀ ପୁଣି ପ୍ରତି ଚାଷୀଙ୍କଠାରୁ ୨୫ ଶହ ଟଙ୍କା ହିସାବରେ ସର୍ବମୋଟ ୬୨,୫୦୦ଟଙ୍କା ମାଗି ଭାଗବଣ୍ଟା କରି ନେଇଥିବାର ଚର୍ଚ୍ଚା ହେଉଛି । ଏହାର ପ୍ରତିବାଦରେ ଆସନ୍ତା ୨୩ ତାରିଖ ଦିନ ଖଟିଖିଆ ସଂଘ ତରଫରୁ ଝାରବନ୍ଧ ବ୍ଲକ ଘେରାଉ ଡାକରା ଦିଆଯାଇଛି ।

Leave A Reply

Your email address will not be published.