ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟରେ ‘ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟରେ ‘ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ହାଇସ୍କୁଲର ସଭାପତି ପ୍ରୀତମ ମେହେର ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଯୋଗ ଦେଇଥିଲେ । ପ୍ରଥମେ ନିଶାମୁକ୍ତ ଭାରତ ଅଭିଯାନ ପାଇଁ ଶପଥ ପାଠ କରାଯାଇଥିଲା । ଶ୍ରୀ ମେହେର ବର୍ତ୍ତମାନ ଯୁବ ପିଢି ନିଶାଗ୍ରସ୍ତ ହୋଇ କିଭଳି ଅସାମାଜିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି ସେ ବିଷୟରେ ଛାତ୍ର ଛାତ୍ରୀମାନଙ୍କୁ ଅବଗତ କରିଥିଲେ । ଏଥିରୁ ନିବୃତ୍ତ ହେବା ପାଇଁ ଛାତ୍ର ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ – ଏହାର ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଛାତ୍ର ଛାତ୍ରୀମାନଙ୍କୁ ଅବଗତ କଲେ । ବର୍ତ୍ତମାନ ପରିବେଶ ସୁରକ୍ଷା ପାଇଁ ସଚେତନତା ଦରକାର । ଏଥିପାଇଁ ଛାତ୍ରଛାତ୍ରୀ ସଂକଳ୍ପ କରିବା ପାଇଁ ଉପଦେଶ ଦେଇଥିଲେ । ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅଁଳା ଚାରା ପ୍ରଦାନ କରାଯାଇଥିଲା । ପ୍ରଧାନ ଶିକ୍ଷକ ତରଣୀସେନ ସାହୁ ସଭାପତି ଓ ପ୍ରକୃତି ବନ୍ଧୁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସହଯୋଗ କରିଥିଲେ ।

Leave A Reply

Your email address will not be published.