ଖପ୍ରାଖୋଲ ବ୍ଲକରେ ଗାଈ ଗୁହାଳ ଯୋଜନା ବାଟବଣା ଅଭିଯୋଗ

  • ଗାଈ ଗୁହାଳ ଯୋଜନାରେ ଯୋଗ୍ୟ ହିତାଧିକାରୀ ଦୟା ଛତ୍ରିଆଙ୍କୁ ମିଳୁନି ଗାଈ ଗୁହାଳ

ପାଟଣାଗଡ଼, (ଗୋରେଖନାଥ ବରିହା) : ଏକ ଦାଦନ ପ୍ରବଣ ଉପାନ୍ତ ଅଂଚଳରେ ବାହାର ରାଜ୍ୟକୁ ଯାଇ ଦାଦନ ଖଟି ନିର୍ଯ୍ୟାତନାର ଶିକାର ହେବା ଅପେକ୍ଷା ନିଜ ଭିଟା ମାଟିରେ ସ୍ୱାଭିମାନର ସହ ବଂଚିବା ପାଇଁ ସରକାର ଗରିବ ଜନସାଧାରଣଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମାଳ ମାଳ ଯୋଜନା କରୁଥିବା ବେଳେ କେହି ଜଣେ ଏଠି ନିଜ ଭିଟା ମାଟିରେ ଆତ୍ମ ନିର୍ଭରଶୀଳ ହେବାକୁ ଗାଈ ପାଳନ କରି ଜୀବନ ଜୀବିକା ନିର୍ବାହ କରିବାକୁ ଚେଷ୍ଟା କରିଥିବା ବେଳେ ସରକାରଙ୍କ ଯୋଜନା ହିତାଧିକାରୀମାନଙ୍କ ଠାରୁ ଦୂରରେ ରହିଯାଇଛି । ସରକାର ଗାଈର ସୁରକ୍ଷା ପାଇଁ ଗୁହାଳ ନିର୍ମାଣ ନିମନ୍ତେ ଏମଜିଏନଆରଇଜିଏ ଯୋଜନାରେ ଟଙ୍କା ଯୋଗାଇ ଦେଇଥାନ୍ତି । କିନ୍ତୁ ଅନେକ ସ୍ଥାନରେ ଗାଈ ରଖି ଥିବା ଚାଷୀଙ୍କୁ ଗାଈ ଗୁହାଳ ମିଳୁ ନଥିବା ବେଳେ ଯୋଜନାର ବ୍ୟତିକ୍ରମ ଦେଖାଦେଇଛି । ଚଂଚକତା କରି ଗାଈ ରଖି ନ ଥିବା ଲୋକେ ଗୁହାଳ ହାତେଇ ନେଉଥିବା ଅଭିଯୋଗ ହେଉଛି । ଏମିତି ଏକ ଅଭିଯୋଗ ହୋଇଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରପଦର ପଂଚାୟତ ସର୍ଗିପାଲି ଗ୍ରାମରୁ । ଅଭିଯୋଗ ଅନୁସାରେ ସର୍ଗିପାଲି ଗ୍ରାମର ଦୟା ଛତ୍ରିଆ ନିଜ ଗାଁରେ ବାସ କରି ଦଶଟି ଗାଈ ରଖି ତାଙ୍କର ରୋଜଗାର କରି ପରିବାର ଚଳାଉଛନ୍ତି । ଗାଈ ଗୁହାଳ ନ ଥିବାରୁ ପଲିଥିନ ତଳେ ଆଣ୍ଠୁଏ କାଦୁଅରେ ଅତି ଦୟନୀୟ ଅବ୍ୟବସ୍ଥା ମଧ୍ୟରେ ଗାଈ ରହୁଥିବା କହିଛନ୍ତି । ଏଠାରେ ପ୍ରଶ୍ନ ଉଠେ ଗୁହାଳ ଯୋଜନା କାହା ପାଇଁ ? ଖପ୍ରାଖୋଲ ବ୍ଲକରେ ସମ୍ପୂର୍ଣ୍ଣ ଭାବେ ଗୁହାଳ ଯୋଜନା ଦିଗ ହରା ହୋଇପଡିଛି । ଅନ୍ୟ ପଟେ ଗାଈ ରଖି ନଥିବା ଲୋକମାନେ ଚଂଚକତା କରି ବିଭାଗୀୟ ଅଧିକାରୀଙ୍କୁ ହାତକରି ଗୁହାଳ ହାତେଇ ନେଉ ଥିବାର ଅଭିଯୋଗ ହେଉଛି । ଅନେକ ଥର ପଲ୍ଲୀସଭା, ଗ୍ରାମସଭାରେ ନାମ ଲେଖାଇ ଥିଲେ ମଧ୍ୟ ତାହା ସେତିକିରେ ସୀମିତ ରହିଯାଇଛି ବୋଲି ଦୟା କ୍ଷୋଭର ସହିତ କହିଛନ୍ତି । ସରପଂଚ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଜଣାଇ ଥିଲେ ମଧ୍ୟ କୌଣସି ଫଳ ମିଳୁ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଏ ନେଇ ଖପ୍ରାଖୋଲ ପ୍ରାଣୀ ସମ୍ପଦ ବିକାଶ ଅଧିକାରୀ ସୁଜିତ କୁମାର ଶଥପଥୀଙ୍କୁ ପଚାରିବାରୁ ଦୟା ଛତ୍ରିଆ ୧୦ଟି ଗାଈ ରଖିଛନ୍ତି । ସେ ଗୁହାଳ ପାଇବା ଯୋଗ୍ୟ, ହେଲେ ବ୍ଲକ ପ୍ରଶାସନକୁ ସୁପାରିଶ କରିବା ପରେ ମଧ୍ୟ ଗୁହାଳ ମିଳୁନଥିବା ଏକ ଦୁର୍ଭାଗ୍ୟ ଜନକ ବୋଲି କହିବା ସହ ଆଉ ଥରେ ଆବଶ୍ୟକ କାଗଜାତ ପ୍ରସ୍ତୁତ କରି ବ୍ଲକକୁ ପଠାଇବା ପାଇଁ କହିଥିଲେ । ଗାଈ ପାଳକ ଦୟା ଛତ୍ରିଆ ପାଇଁ ସରକାରଙ୍କ ଗାଈ ଗୁହାଳ ଯୋଜନା ଦୂରରେ ରହିଯାଇଛି ବୋଲି ମତପ୍ରକାଶ ପାଇଛି । ଯଥାଶୀଘ୍ର ଦୟାଙ୍କୁ ପ୍ରଶାସନ ପକ୍ଷରୁ ଗୁହାଳ ଯୋଗାଇ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.