jayashree

ସମ୍ଭାବ୍ୟ ବାତ୍ୟା “ଆକ୍ଵାନ” ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଜରୁରୀ କାଳୀନ ସମୀକ୍ଷା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ଭାବ୍ୟ ବାତ୍ୟା “ଆକ୍ଵାନ” ମୁକାବିଲା ସହ ବନ୍ୟା ପ୍ରଭାବିତ ଲୋକଙ୍କୁ ତ୍ୱରିତ ସହାୟତା ପ୍ରଦାନ ନେଇ ସୋମବାର ରାତ୍ରି କାଳୀନ ସମୟରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ସମୀକ୍ଷା ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବ, ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀରେ ଆବଶ୍ୟକ ବ୍ୟବସ୍ଥା ଏବଂ ପୂର୍ବ ବନ୍ୟାରେ କ୍ଷତିଗ୍ରସ୍ତଙ୍କୁ ସହାୟତା ବଣ୍ଟନ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଜିଲ୍ଲାପାଳ କହିଥିଲେ ଯେ’ ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ସମୟରେ ହୋଇଥିବା ପ୍ରବଳ ବର୍ଷା ଭଳି ପରିସ୍ଥିତି ପୁଣି ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପାହାଡ଼ିଆ ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ଆସନ୍ତାକାଲିଠାରୁ ଲୋକଙ୍କ ସ୍ଥାନାନ୍ତରଣ ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଗତଥର କ୍ଷତିଗ୍ରସ୍ତ ହୋଇନଥିବା ଅଞ୍ଚଳଗୁଡ଼ିକୁ ମଧ୍ୟ ସମାନ ଗୁରୁତ୍ୱ ଦେଇ ପ୍ରସ୍ତୁତି କରିବାକୁ କହିଥିଲେ । ଆବଶ୍ୟକ ସ୍ଥଳେ ଲୋକଙ୍କ ସ୍ଥାନାନ୍ତରଣ ପାଇଁ ଆରଟିଓଙ୍କ ସହଯୋଗରେ ଯାନବାହନ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଥିଲା । ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଓ ନିଜ ଘରେ ଅନ୍ତତଃ ୩ରୁ ୪ ଦିନ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଆଶ୍ରୟସ୍ଥଳୀଗୁଡ଼ିକର ପରିମଳ ବ୍ୟବସ୍ଥା ଓ ଶୌଚାଳୟ ସଫା ରଖିବା ସହ ସମସ୍ତ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରିବାକୁ କହିଥିଲେ । ପ୍ରତ୍ୟେକ ଆଶ୍ରୟସ୍ଥଳୀ ପାଇଁ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବା ସହ ବରିଷ୍ଠ ଅଧିକାରୀମାନେ ମଧ୍ୟ ସେଗୁଡ଼ିକ ପରିଦର୍ଶନ କରିବେ । ପ୍ରତ୍ୟେକ ଆଶ୍ରୟସ୍ଥଳୀର ପ୍ରସ୍ତୁତି ସମ୍ପର୍କରେ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା । ସ୍ଥାନୀୟ ଜନପ୍ରତିନିଧି, ପଞ୍ଚାୟତିରାଜ ସଦସ୍ୟ ଓ ପୌରସଂସ୍ଥାର କାଉନସିଲରମାନଙ୍କ ସହଯୋଗରେ ସମସ୍ତ ପ୍ରସ୍ତୁତି ଓ ସଚେତନତା କାର୍ଯ୍ୟ କରିବାକୁ ଜିଲ୍ଲାପାଳ କହିଥିଲେ । ଲୋକମାନେ ତିନି ଦିନ ପାଇଁ ଆବଶ୍ୟକ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ପାନୀୟ ଜଳ ଆଗୁଆ ମହଜୁଦ ରଖିବା ଉପରେ ମାଇକ୍‌ ଯୋଗେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ କୁହାଯାଇଥିଲା । ଦୋକାନଗୁଡ଼ିକ ସମ୍ମୁଖରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ତାଲିକା ପ୍ରଦର୍ଶନ ବାଧ୍ୟତାମୂଳକ କରାଯାଇଛି । ଗତ ବନ୍ୟାରେ ଜଳମଗ୍ନ ହୋଇଥିବା ଅଞ୍ଚଳର ପ୍ରତ୍ୟେକ ଘରେ ଏକ ନିର୍ଦ୍ଦିଷ୍ଟ ମାନର ଶୁଖିଲା ରାସନ କିଟ୍‌ ସହ ମହମବତୀ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଦୁର୍ବଳ ନଦୀବନ୍ଧ ଥିବା ସ୍ଥାନଗୁଡ଼ିକରେ ଲୋକଙ୍କୁ ସତର୍କ କରିବା ସହ ଦୁର୍ବଳ ପୋଲଗୁଡ଼ିକ ନିକଟରେ ଜଳସମ୍ପଦ ବିଭାଗର କର୍ମଚାରୀ ମୁତୟନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପୋଲଗୁଡ଼ିକର ତାଲିକା ସମସ୍ତ ଅଧୀକ୍ଷଣ ଯନ୍ତ୍ରୀ ଆସନ୍ତାକାଲି ସୁଦ୍ଧା ପ୍ରଦାନ କରିବେ । ଆବଶ୍ୟକ ସ୍ଥାନରେ ଜେସିବି, ଟ୍ରାକ୍ଟର ଭଳି ଯନ୍ତ୍ରପାତି ଓ ଯାନବାହନ ମହଜୁଦ ରଖିବା ସହ ଜଳ ନିଷ୍କାସନ ପାଇଁ ଚାଷୀମାନଙ୍କ ସହଯୋଗ ନେବାକୁ କୁହାଯାଇଥିଲା । ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କିତ ଫଟୋ ଓ ଭିଡିଓ ନିୟମିତ ଭାବେ ପ୍ରଦାନ କରିବେ । ବନ୍ୟା ପରବର୍ତ୍ତୀ ସହାୟତା ବଣ୍ଟନ ସମ୍ପର୍କରେ ଜିଲ୍ଲାପାଳ ବ୍ଲକୱାରୀ ଜିଆର୍‌ ଓ ଚାଉଳ ବଣ୍ଟନର ସମୀକ୍ଷା କରିଥିଲେ । ରାସନ କାର୍ଡ ନଥିବା ଯୋଗ୍ୟ ପରିବାରଙ୍କୁ ମଧ୍ୟ ଶୀଘ୍ର ସହାୟତା ପହଞ୍ଚାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଅଧିକ କର୍ମଚାରୀ ଥିବା ସ୍ଥାନରୁ କମ୍‌ କର୍ମଚାରୀ ଥିବା ସ୍ଥାନକୁ ମାନବ ସମ୍ବଳ ପଠାଇ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଅନୁମୋଦିତ ହୋଇସାରିଥିବା କ୍ଷୟକ୍ଷତି ମାମଲାରେ ସହାୟତା ବଣ୍ଟନ ଶୀଘ୍ର ଶେଷ କରିବାକୁ କୁହାଯାଇଥିଲା । ବ୍ରହ୍ମପୁର ସହରରେ ଜଳ ନିଷ୍କାସନ ଓ ଜଳବନ୍ଦୀ ସମସ୍ୟାର ମୁକାବିଲା ନେଇ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ବିଭିନ୍ନ ସ୍ଥାନର ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନେବାକୁ ବିଇଏମ୍‌ସି କମିଶନର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଆବଶ୍ୟକ ଯନ୍ତ୍ରପାତି ନିୟୋଜିତ କରି ଜଳ ନିଷ୍କାସନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ନିର୍ଦ୍ଦେଶ ରହିଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗର୍ଭବତୀ ମହିଳାଙ୍କ ସୁରକ୍ଷା ପାଇଁ ଅଦ୍ୟାବଧି ୧୦୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସାପ କାମୁଡ଼ାର ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ଆସନ୍ତାକାଲି ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ଏବଂ ଆସିକା ଅଞ୍ଚଳର ଗୁରୁତର ରୋଗୀଙ୍କୁ ହିଞ୍ଜିଳିକାଟୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆସନ୍ତାକାଲି ଜିଲ୍ଲାପାଳ ଆସିକା ଅଞ୍ଚଳ ପରିଦର୍ଶନ କରି ବାତ୍ୟା ମୁକାବିଲା ପ୍ରସ୍ତୁତିର ସ୍ଥିତି ଅନୁଧ୍ୟାନ କରିବେ । ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ ଯେ, ଜନସାଧାରଣଙ୍କ ଜୀବନ ଓ ସୁରକ୍ଷା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ କୌଣସି ପ୍ରକାର ତ୍ରୁଟି ବା ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରଖି ଦାୟିତ୍ୱର ସହ କାର୍ଯ୍ୟ କରିବା ସହ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ଦିଗରେ ସର୍ବାଧିକ ପ୍ରାଥମିକତା ଦେବେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ସଚ୍ଚିଦାନନ୍ଦ ନାୟକ, ସୁନୀଲ କେର୍କେଟା, ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଅନ୍ୟ ଜିଲ୍ଲାର ବରିଷ୍ଠ ଅଧିକାରୀ, ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଏବଂ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.