
- ସତ୍ୟ ଓ ନିରପେକ୍ଷ ସାମ୍ବାଦିକତା ହିଁ ଗଣତନ୍ତ୍ରର ମୂଳ ଆଧାର : ଅତିରିକ୍ତ ଜିଲ୍ଲାପାଳ
ବାରିପଦା, (ଦେବସ୍ମିତ ଚୌଧୁରୀ) : ସମାଜର ବାସ୍ତବ ଚିତ୍ରକୁ ଲୋକଲୋଚନକୁ ଆଣିବା ସହ ଜନସାଧାରଣଙ୍କ ସ୍ୱରକୁ ଶାସନ ଓ ପ୍ରଶାସନ ନିକଟରେ ପହଞ୍ଚାଇବା ସାମ୍ବାଦିକତାର ପ୍ରମୁଖ ଦାୟିତ୍ୱ । ଲୋକପ୍ରିୟତା ଅପେକ୍ଷା ସତ୍ୟନିଷ୍ଠା, ନିରପେକ୍ଷତା ଓ ନୈତିକତାକୁ ଅଧିକ ଗୁରୁତ୍ୱ ଦେଲେ ଗଣମାଧ୍ୟମ ନିଜର ବିଶ୍ୱସନୀୟତା ବଜାୟ ରଖିପାରିବ ବୋଲି ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ସମାରୋହରେ ମତପ୍ରକାଶ ପାଇଛି । ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଚଳିତ ବର୍ଷର ବିଷୟବସ୍ତୁ ‘ସାମ୍ବାଦିକତା : ଲୋକପ୍ରିୟତା ନା ଦାୟିତ୍ୱବୋଧ’ ଉପରେ ଆଲୋଚନା ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦୀପକ ଗୋଚ୍ଛାୟତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକତାର ଆଦର୍ଶ, ନୈତିକତା ଓ ସାମାଜିକ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ ନିଜ ବକ୍ତବ୍ୟରେ କହିଥିଲେ ଯେ, ଗଣମାଧ୍ୟମ ସମାଜର ଦର୍ପଣ ସଦୃଶ । ଏହା ସାଧାରଣ ଲୋକଙ୍କ ସମସ୍ୟା, ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ କରିବା ସହ ପ୍ରଶାସନକୁ ଅଧିକ ସ୍ୱଚ୍ଛ ଓ ଉତ୍ତରଦାୟୀ କରିବାରେ ସହାୟକ ହୋଇଥାଏ । ଖବରର ଲୋକପ୍ରିୟତା ପଛରେ ନ ଗୋଡ଼ାଇ ସତ୍ୟ ଓ ଜନସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ସାମ୍ବାଦିକମାନଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ସେ ମତ ଦେଇଥିଲେ । ସେହିପରି ଅତିଥି ଶ୍ରୀ ଗୋଚ୍ଛାୟତ ସମ୍ବାଦ ପରିବେଷଣରେ ତଥ୍ୟର ସଠିକତା ଓ ସତ୍ୟତା ଯାଞ୍ଚକୁ ସର୍ବାଧିକ ଗୁରୁତ୍ୱ ଦେବାକୁ କହିଥିଲେ । ଅପ୍ରମାଣିତ ଖବର ପରିବେଷଣରୁ ଦୂରେଇ ରହିବା ସହ ନିରପେକ୍ଷ ଓ ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତା ମାଧ୍ୟମରେ ସମାଜରେ ସକାରାତ୍ମକ ଚିନ୍ତାଧାରା ଓ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ବିଭିନ୍ନ ପ୍ରେସ୍ ସଂଘର କର୍ମକର୍ତ୍ତା ଓ ସାମ୍ବାଦିକମାନେ ସାମ୍ବାଦିକତାର ଆହ୍ୱାନ, ଗଣମାଧ୍ୟମର ସ୍ୱାଧୀନତା, ନୈତିକ ମୂଲ୍ୟବୋଧ ଏବଂ ତଥ୍ୟଭିତ୍ତିକ ଖବର ପ୍ରକାଶନ ଆଦି ବିଷୟରେ ନିଜ ନିଜର ମତାମତ ରଖିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ଜିଲ୍ଲାର ବହୁ ସାମ୍ବାଦିକ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ ।