ଜାତିସଂଘ ଜଳବାୟୁ ପରିବର୍ତ୍ତନ ଚୁକ୍ତିର କାର୍ଯ୍ୟକାରିତା ସଂକ୍ରାନ୍ତ ଭାରତର ନୂଆ ଜାତୀୟ କାର୍ଯ୍ୟସୂଚୀ ଓ ଉପଲବ୍ଧି (ଏନଡିସି)କୁ କ୍ୟାବିନେଟର ଅନୁମୋଦନ

• ଏହାକୁ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସମ୍ମିଳନୀକୁ ପ୍ରଦାନ କରାଯିବ
• କୋପ୍‌-୨୬ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ “ପଞ୍ଚାମୃତ” ଏହି ସଦ୍ୟତମ ଏନଡିସିରେ ପ୍ରତିଫଳିତ ହୋଇଛି, ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନର ଧାରାକୁ ରୋକିବା ପାଇଁ ଭାରତର ସଂକଳ୍ପ କୋପ୍‌-୨୬ରେ ଘୋଷଣା କରିଥିଲେ
• ୨୦୩୦ ସୁଦ୍ଧା ଭାରତ ତାହାର ଜିଡିପିର ୪୫% ଅଙ୍ଗାରକାମ୍ଳ ନିର୍ଗମନ ମାତ୍ରା ହ୍ରାସ କରିବାକୁ ସଂକଳ୍ପବଦ୍ଧ
• ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ସୂତ୍ର “ଲାଇଫ”କୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାକୁ ଗୁରୁତ୍ୱ
• “ଲାଇଫ” ବା “ଲାଇଫ ଷ୍ଟାଇଲ ଫର ଏନ୍‌ଭିରୋନମେଣ୍ଟ’ର ଅର୍ଥ ପରିବେଶର ସୁରକ୍ଷା ପାଇଁ ଜୀବନ ଶୈଳୀରେ ପରିବର୍ତ୍ତନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗତକାଲି ଏଠାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସମ୍ମିଳନୀ(ୟୁଏନ୍‌ଏଫସିସିସି)କୁ ଅବଗତ କରାଇବା ପାଇଁ ଉଦ୍ଦିଷ୍ଟ ଭାରତର ନୂଆ କାର୍ଯ୍ୟସୂଚୀ ଓ ଉପଲବ୍ଧି (ଏନ୍‌ଡିସି)କୁ ଅନୁମୋଦନ କରାଯାଇଛି ।

ଏହି ଅଦ୍ୟତନ(ଅପଡେଟେଡ୍‌) ଏନ୍‌ଡିସିରେ ପ୍ୟାରିସ୍ ଚୁକ୍ତି ଅନୁସାରେ ଜଳବାୟୁ ପରିବର୍ତ୍ତନ ରୋକିବାକୁ କି ପ୍ରକାର ସବିଶେଷ ଜାତୀୟ ପଦକ୍ଷେପ ଓ ଯୋଜନାମାନ ପ୍ରସ୍ତୁତ କରାଯାଇଛି ତାହା ସ୍ଥାନ ପାଇଛି । ଭାରତର ଏହି କାର୍ଯ୍ୟାନୁଷ୍ଠାନ ଦେଶର ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାରେ ସହାୟକ ହେବ । ଏଥିରେ ଅଭିବୃଦ୍ଧି ଧାରାକୁ ଅବ୍ୟାହତ ରଖିବା ସହିତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଗୁରୁତ୍ୱ ପାଇଛି । ୟୁଏନ୍‌ଏଫ୍‌ସିସିସିର ସର୍ତ୍ତ ଅନୁସାରେ ନିଜର ଜରୁରୀ ଆବଶ୍ୟକତା ପୂରଣ ନୀତିରେ ଭାରତ ଜୈବିକ ଇନ୍ଧନ ବ୍ୟବହାର କରିବ; ତେବେ ଏ କ୍ଷେତ୍ରରେ ଅଙ୍ଗାରକାମ୍ଳ ନିର୍ଗମନ କିପରି କମିବ ସେ ଦିଗରେ ଧ୍ୟାନ ଦେବ ।
ଜାତିସଂଘ ମାର୍ଫତରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ପ୍ରଭାବ ରୋକିବାକୁ ବିଭିନ୍ନ ରାଷ୍ଟ୍ରମାନଙ୍କ ସମ୍ମିଳନୀ (କୋପ୍‌)ନିୟମିତ ଭାବେ ଆୟୋଜିତ ହେଉଛି । ବ୍ରିଟେନର ଗ୍ଲାସ୍‌ଗୋରେ ଅନୁଷ୍ଠିତ କୋପ୍‌-୨୬ରେ ଭାରତ ବିଶ୍ୱ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସମଗ୍ର ପୃଥିବୀକୁ ଏକ ପଞ୍ଚସୂତ୍ରୀ ଯୋଜନା ଦେଇଥିଲା ଯାହା “ପଞ୍ଚାମୃତ” ନାମରେ ପରିଚିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୂତ୍ର ପ୍ରଦାନ କରିଥିଲେ । ଭାରତ ସେହି ପଞ୍ଚାମୃତ ସୂତ୍ରରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ କାର୍ଯ୍ୟ କରୁଛି । ଏବେ ଭାରତ ତାହାର ଏହି କାର୍ଯ୍ୟକ୍ରମ/ଯୋଜନାକୁ ଅଦ୍ୟତନ (ଅପଡେଟ୍‌) କରି ସେଥିରେ ୨୦୭୦ ସୁଦ୍ଧା ତାହାର ଅଙ୍ଗାରକାମ୍ଳ (କାର୍ବନ)ନିର୍ଗମନ ହାରକୁ ଶୂନରେ ପହଞ୍ଚାଇବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି ।

ପୂର୍ବରୁ ଭାରତ ୨୦୧୫ ଅକ୍ଟୋବର ୨ରେ ୟୁଏନ୍‌ଏଫ୍‌ସିସିସିକୁ ଏହାର ଏନ୍‌ଡିସି ପ୍ରଦାନ କରିଥିଲା । ଏଥିରେ ଆଠଟି ଲକ୍ଷ୍ୟ ଥିଲା । ସେଥିରୁ ତିନୋଟି ଯଥା ଅକ୍ଷୟଶକ୍ତି ଉତ୍ପାଦନ ମାଧ୍ୟମରେ ନିଜର ବିଜୁଳି ଆବଶ୍ୟକତାର ୪୦% ପୂରଣ କରିବାକୁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ, ୨୦୦୫ ସ୍ତର ଅନୁସାରେ ନିଜ ଜିଡିପିର ୩୩ରୁ ୩୫ଭାଗ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ, ତଥା ନୂତନ ଜଙ୍ଗଲ ଓ ସବୁଜିମା ସୃଷ୍ଟି ମାଧ୍ୟମରେ ଆଉ ଅତିରିକ୍ତ ୨.୫ରୁ ୩ ବିଲିୟନ ଟନ୍‌ର କାର୍ବନ ସିଙ୍କ୍ ସୃଷ୍ଟି ଗୁରୁତ୍ୱ ପାଇଥିଲା ।

ନୂଆ ଏନ୍‌ଡିସି ଅନୁସାରେ ୨୦୦୫ ବର୍ଷ ତୁଳନାରେ ୨୦୩୦ ସୁଦ୍ଧା ଭାରତ ତାହାର ଜିଡିିପିର ୪୫ ଶତାଂଶ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାକୁ ସଂକଳ୍ପବଦ୍ଧ । ସେହିଭଳି ୨୦୩୦ ସୁଦ୍ଧା ଭାରତ ମଧ୍ୟ ଅଣ ପାରମ୍ପରିକ ଉତ୍ସରୁ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ତାହାର ବିଜୁଳି ଉତ୍ପାଦନ କ୍ଷମତାକୁ ୫୦% ବୃଦ୍ଧି କରିବ । ଗତକାଲି କ୍ୟାବିନେଟରେ ଅନୁମୋଦିତ ଏନ୍‌ଡିସିରେ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ପ୍ରତିଫଳିତ ହୋଇଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଗରିବ ଓ ବିପଦାପନ୍ନ ଲୋକଙ୍କୁ ସୁରକ୍ଷିତ ରଖିବା ସହିତ ଜୀବନ ଶୈଳୀ ପରିବର୍ତ୍ତନ, ନିରନ୍ତର ବିକାଶ ଏବଂ ସମସ୍ତଙ୍କୁ ଜଳବାୟୁ ନ୍ୟାୟ ପ୍ରଦାନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।
ଅପ୍‌ଡେଟେଡ୍ ଏନ୍‌ଡିସିରେ କୁହାଯାଇଛି ଯେ “ ପରମ୍ପରା ଭିତ୍ତିରେ, ସଂରକ୍ଷଣ ମୂଲ୍ୟବୋଧ ଅନୁସାରେ, ସର୍ବନିମ୍ନ ଆବଶ୍ୟକତା ପୂରଣ ଲକ୍ଷ୍ୟରେ ସୁସ୍ଥ ଓ ନିରନ୍ତର ଜୀବନ ଯାପନ ପ୍ରଚାର ନିମନ୍ତେ ଏହା ଉପସ୍ଥାପିତ ହେଉଛି ଏବଂ ‘ଲାଇଫ’କୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାକୁ ପ୍ରସ୍ତାବ ରଖିଛି । ‘ଲାଇଫ୍‌’ର ଅର୍ଥ ଲାଇଫ ଷ୍ଟାଇଲ ଫର ଏନ୍‌ଭିରୋନ୍‌ମେଣ୍ଟ (ପରିବେଶ ପାଇଁ ଜୀବନ ଶୈଳୀ) ଯାହା ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ।

ଏହି ନୂତନ ଏନ୍‌ଡିସି ଭାରତର ସ୍ୱାର୍ଥ, ପରିବେଶ ଓ ଜଳବାୟୁ ପରିବର୍ତ୍ତନରେ ଜରୁରୀ ଆବଶ୍ୟକତାଗୁଡିକୁ ବିଚାରକୁ ନେଇ ଅତ୍ୟନ୍ତ ସତର୍କତାର ସହ ପ୍ରସ୍ତୁତି ହୋଇଛି । ତେବେ ଦାୟିତ୍ୱବୋଧ ସହିତ ଦେଶର ସାମର୍ଥ୍ୟକୁ ଏଥିରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଦେଶର ନିରନ୍ତର ବିକାଶଧାରାକୁ ଅବ୍ୟାହତ ରଖି ଯଥାସମ୍ଭବ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରିବା ଦିଗରେ ଆମେ ଯେଉଁ ଅଙ୍ଗୀକାର ପ୍ରକାଶ କରିଥିଲୁ ସେ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

କୋପ୍‌-୨୬ରେ ପ୍ରଧାନମନ୍ତ୍ରୀ ବିଶ୍ୱ ସବୁଦାୟକୁ ଏକ ଏକକ ଶବ୍ଦ ବିଶିଷ୍ଟ ଆନ୍ଦୋଳନ (ୱାନ ୱାର୍ଡ ମୁମେଣ୍ଟ) ପାଇଁ ଆହ୍ୱାନ ଦେଇଥିଲେ । ସେହି ଶବ୍ଦଟି ଥିଲା ‘ଲାଇଫ’(L, I, F, E,)ବା ଲାଇଫ ଷ୍ଟାଇଲ ଫର ଏନ୍‌ଭିରୋନମେଣ୍ଟ। ସରଳ ଭାଷାରେ ପରିବେଶ ପାଇଁ ଜୀବନ ଶୈଳୀ । ଆମ ପୃଥିବୀର ସ୍ୱାର୍ଥ ଅନୁକୂଳ ଜୀବନ ଶୈଳୀ ଆମେ ଆପଣାଇଲେ ଆମର ଆବଶ୍ୟକତା ପୂରଣ ହେବ ଏବଂ ବସୁଧାର କୌଣସି କ୍ଷତି ହେବ ନାହିଁ । ଏନ୍‌ଡିସିରେ ନାଗରିକ କେନ୍ଦ୍ରୀୟ ଆଭିମୁଖ୍ୟ ନେଇ ଜଳବାୟୁ ପରିବର୍ତ୍ତନର ମୁକାବିଲାକୁ ଗୁରୁତ୍ୱ ଦିଆଯାଇଛି ।

୨୦୨୧ରୁ ୨୦୩୦ ମଧ୍ୟରେ ଭାରତ କିପରି ସ୍ୱଚ୍ଛ ଇନ୍ଧନ ବ୍ୟବହାର ପର୍ଯ୍ୟାୟକୁ ଯିବ ତାହା ଉଲ୍ଲେଖ କରାଯାଇଛି । ସ୍ୱଚ୍ଛ ଇନ୍ଧନ ଉତ୍ପାଦନ ପାଇଁ ସରକାର ଟିକସ ରିହାତି ସହିତ ଯୋଗାଇ ଦେଉଥିବା ଅନ୍ୟାନ୍ୟ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ ଅଛି । ଜଳ, କୃଷି, ଜଙ୍ଗଲ, ଉର୍ଜା, ଆବାସ, ବର୍ଜ୍ୟବସ୍ତୁ ପରିଚାଳନା, ସର୍କୁଲାର ଇକ୍‌ନମି ଆଦି ବିଭିନ୍ନ କ୍ଷେତ୍ରରେ ସରକାର ଗ୍ରହଣ କରୁଥିବା ପରିବେଶ ଅନୁକୂଳ ପଦକ୍ଷେପ ସମ୍ପର୍କରେ ମଧ୍ୟ ଏନ୍‌ଡିସି ତଥ୍ୟ ରଖିଛି । ଭାରତ କିପରି ପ୍ରଦୂଷଣକାରୀ ଅର୍ଥନୀତିରୁ ନିଜକୁ କ୍ରମଶଃ ଦୂରେଇ ସ୍ୱଚ୍ଛ ଇନ୍ଧନର ବ୍ୟବହାର ପୂର୍ବକ ନିଜର ଅଭିବୃଦ୍ଧି ବଢାଇବା ଦିଗରେ କାମ କରୁଛି ତାହାର ଅନେକ ଉଦାହରଣ ଏନ୍‌ଡିସିରେ ଉଲ୍ଲେଖ କରାଯାଇଛି ।

୨୦୩୦ସୁଦ୍ଧା ଭାରତୀୟ ରେଳବାଇ ସମ୍ପୂର୍ଣ୍ଣ ସ୍ୱଚ୍ଛ ଇନ୍ଧନ ବ୍ୟବହାର କରିବା ଫଳରେ ବାର୍ଷିକ ଅଙ୍ଗାରକାମ୍ଳ ନିର୍ଗମନ ୬୦ ନିୟୁତ ଟନ୍ ହ୍ରାସ ପାଇବ । ସେହିଭଳି ଏଲ୍‌ଇଡି ବଲ୍‌ବ ଅଭିଯାନ ଫଳରେ ଅଙ୍ଗାରକାମ୍ଳ ନିର୍ଗମନ ବାର୍ଷିକ ୪୦ ନିୟୁତ ଟନ୍ କମିଥିବା ରିପୋର୍ଟରେ ଦର୍ଶାଯାଇଛି ।
ଭାରତରେ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟ ପାଇଁ ମୁଖ୍ୟତଃ ଘରୋଇ ସମ୍ବଳ ବିନିଯୋଗ କରାଯାଉଛି । ତେବେ ଏ କ୍ଷେତ୍ରରେ ଅଧିକ କିଛି କରିବା ପାଇଁ ଅତିରିକ୍ତ ସମ୍ବଳ ଓ ଅତ୍ୟାଧୁନିକ ଟେକ୍‌ନୋଲୋଜିର ଆବଶ୍ୟକତା ରହିଛି । ୟୁଏନ୍‌ଏଫସିସିସି ଏବଂ ପ୍ୟାରିସ ଚୁକ୍ତିର ସର୍ତ୍ତ ଅନୁସାରେ ଏହି ଅର୍ଥ ଓ ଟେକ୍‌ନୋଲୋଜି ବିକାଶଶୀଳ ରାଷ୍ଟ୍ରଙ୍କୁ ଯୋଗାଇ ଦେବା ବିକଶିତ ରାଷ୍ଟ୍ରମାନଙ୍କର ଦାୟିତ୍ୱ । ଭାରତ ମଧ୍ୟ ଏଭଳି ବାହ୍ୟ ଆର୍ଥିକ ସହାୟତା ଓ ଟେକ୍‌ନୋଲୋଜି ଆବଶ୍ୟକ କରୁଛି ।

ଭାରତର ଏନ୍‌ଡିସି କୌଣସି ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନର ପ୍ରଭାବର ମୁକାବିଲା କରିବାକୁ ବାଧ୍ୟତାମୂଳକ ନୁହେଁ । ଏହାର ମୂଳ ଲକ୍ଷ୍ୟ ହେଲା ସାମଗ୍ରିକ ଅଙ୍ଗାରକାମ୍ଳ ନିର୍ଗମନ ମାତ୍ରା ହ୍ରାସ ଓ ସମୟ କ୍ରମେ ଏହାର ଅର୍ଥନୀତିର ଊର୍ଜା ଦକ୍ଷତା ବୃଦ୍ଧି । ଏହା ମଧ୍ୟ ଦେଶର ଦୁର୍ବଳ ବର୍ଗ ଅର୍ଥନୀତିର ଦୁର୍ବଳ କ୍ଷେତ୍ରକୁ ସୁରକ୍ଷିତ ରଖିବାକୁ ଚାହେଁ ।

Leave A Reply

Your email address will not be published.

5 × three =