ଘସିଏନ ପ୍ରାଥମିକ ବିଦ୍ୟାଳୟରେ ଲହଡି ମାରୁଛି ବର୍ଷା ଜଳ : ଅବ୍ୟବସ୍ଥାରେ ଅନ୍ୟ ସ୍କୁଲରେ ପିଲାଙ୍କ ପାଠପଢା ଚାଲିଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହ।) : ପାଟଣାଗଡ଼ ବ୍ଲକ ଘସିଏନ ପଞ୍ଚାୟତ ଘସିଏନ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବର୍ଷା ଜଳ ଲହଡୀ ମାରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଯାହାଫଳରେ ସ୍କୁଲରେ ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଶ୍ରେଣୀ କୋଠରୀରେ ଆଣ୍ଠୁଏ ଲେଖାଏଁ ପାଣି ଜମା ହୋଇଛି । ଘସିଏନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୧ରୁ ୫ ଶ୍ରେଣୀରେ ୬୭ ଜଣ ଛାତ୍ର ଅଧ୍ୟୟନ କରୁଥିବା ବେଳେ ସ୍କୁଲ ମିଶ୍ରଣ ସ୍ଵରାଜ ଉଚ୍ଚ ବିଦ୍ୟାଳୟରେ ୬୭ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦିଆଯାଉଥିବା ଗୋଟିଏ ଶ୍ରେଣୀ କୋଠରୀରେ ୧ରୁ ୩ ଶ୍ରେଣୀର ଛାତ୍ରଛାତ୍ରୀ ଓ ଗୋଟିଏ ଶ୍ରେଣୀ କୋଠରୀରେ ୪ରୁ୫ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଥିବା ଯୋଗୁଁ ଘୋର ଅସୁବିଧାର ସମ୍ମୁଖିନ ହେଉଥିବା ନେଇ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ଭାରତୀ ନନ୍ଦ ପ୍ରକାଶ କରିଛନ୍ତି । ବର୍ଷାଋତୁ ଆରମ୍ଭରୁ ସରକାରୀ ବିଦ୍ୟାଳୟରେ ପାଣି ଜମା ହେଉଥିବା ନେଇ ବିଡିଓଙ୍କୁ ମଧ୍ୟ ଜଣାଇଥିବା ସ୍ଥାନୀୟ ସରପଞ୍ଚ ମଣ୍ଟୁ ଗଡତ୍ୟା କହିଛନ୍ତି । ଗାଁ ଡ୍ରେନ ପାଣି ବିଦ୍ୟାଳୟରେ ପଶିଯାଇଥିବା ଯୋଗୁଁ ସ୍କୁଲଟି ପାଣି ଘେରରେ ରହିଯାଇଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସ୍କୁଲ ପରିଚାଳନା କମିଟିର ସଦସ୍ୟ ରମେଶ ପଶାୟତଙ୍କ ସହ ଅଭିଭାବକ ମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.