ଗଞ୍ଜାମ ଜିଲ୍ଲାରେ ଚିକିତ୍ସାକ୍ଷେତ୍ରରେ ସୁଧାର ଆଣିବା ଦିଗରେ ଜିଲ୍ଲାପାଳଙ୍କ ବ୍ୟାପକ ପଦକ୍ଷେପ

ଗଞ୍ଜାମ ଜିଲ୍ଲାର ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ଡାଟାବେସ୍ ପ୍ରସ୍ତୁତ ହେବ : ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସମସ୍ତ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିବାରର ପ୍ରତିଟି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ସଂଗ୍ରହ କରାଯାଇ ଡିଜିଟାଲ ଡାଟାବେସ୍ ପ୍ରସ୍ତୁତ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଉକ୍ତ ଡାଟାବେସ୍ ତଥ୍ୟକୁ ଆଧାର କରି ଚିକିତ୍ସା ପଦ୍ଧତିର ମାର୍ଗ ନିରୂପଣ ହେବ । ଏହାରି ଫଳରେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଡାକ୍ତର ନିଯୁକ୍ତ, ରୋଗ ନିରୂପଣ ପରୀକ୍ଷା, ଔଷଧ ବିତରଣ ଇତ୍ୟାଦି କ୍ଷେତ୍ରରେ ସୁଧାର ଅଣାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏ ଦିଗରେ ସ୍ୱାସ୍ଥ୍ୟ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ନେଇ ଜିଲ୍ଲାପାଳ ଶ୍ରୀ ପରିଡା କହିଛନ୍ତି ।

ଶନିବାର ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଛନ୍ତି ଯେ, ଜିଲ୍ଲାର ଗୋଟିଏ ଗୋଟିଏ ଅଞ୍ଚଳ ଗୁଡିକରେ କେଉଁ ରୋଗୀ କେତେ ପରିମାଣରେ ଅଛନ୍ତି ସେହି ତଥ୍ୟ ମଧ୍ୟ ଏକ ମାସ ମଧ୍ୟରେ ଆଦାୟ କରିବାକୁ ହେବ । ସେହି ତଥ୍ୟକୁ ଆଧାର କରି ଡାକ୍ତରଗଣ ନିୟୋଜିତ ହେବେ ଏବଂ ରୋଗୀଙ୍କ ଚିକିତ୍ସାଗତ ସମସ୍ୟାର ସମାଧାନ ହୋଇ ପାରିବ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗ ନିରୂପଣ ନିମନ୍ତେ ବ୍ୟବହୃତ ହେଉଥିବା ଯନ୍ତ୍ର ଗୁଡିକ ଆଧୁନିକୀକରଣ କରାଯିବ ଏବଂ ପ୍ରତିଟି ରୋଗୀଙ୍କ ରୋଗ ନିରୂପଣ ଯେପରି ସଠିକ୍ ହେବ ସେଥି ନିମନ୍ତେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ । କୋଭିଡ୍, ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଯକ୍ଷ୍ମା, କୁଷ୍ଠରୋଗ ଏବଂ ଫ୍ୟାଲେରିଆ ଆଦି ସଂକ୍ରାମକ ରୋଗର ଲକ୍ଷଣ ଥିବା ବ୍ୟକ୍ତି ସହଜରେ ଚିହ୍ନଟ ନ ହୋଇପାରି ବିନା ଚିକିତ୍ସାରେ ରହି ଯାଆନ୍ତି । ଏହା ଫଳରେ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦିଏ । ସେମାନଙ୍କୁ ଖୋଜି ବାହାର କରି ତୁରନ୍ତ ଚିକିତ୍ସା ଦେବା ପାଇଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଚାଲୁଅଛି । ସକ୍ରିୟ ସର୍ବେକ୍ଷଣରେ ଆଶାଦିଦିଙ୍କୁ ସହଯୋଗ କରିବା ନିମନ୍ତେ ଜିଲ୍ଲାପାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏହି ସଂକ୍ରାମକ ରୋଗର ସଅଳ ଚିହ୍ନଟ ହୋଇ ପାରିଲେ ଏହାର ଆଶୁ ଚିକିତ୍ସାର ସୁଫଳ ମନାଳିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆଶା ପ୍ରକଟ କରିଛି । ରୋଗ ନିରୂପଣ କ୍ଷେତ୍ରରେ ଅବହେଳା ନକରି ଠିକ୍ ରୂପେ ଯାଂଚ୍ କରନ୍ତୁ ଏବଂ ସଠିକ ରିପୋର୍ଟ ଆସିଲେ ରୋଗୀଙ୍କ ଚିକିତ୍ସା ପ୍ରଦାନର ଆଶୁ ସମାଧାନ ହୋଇପାରିବ । ଆବଶ୍ୟକ ସ୍ଥଳେ ରୋଗ ନିରୂପଣ ସକାଶେ ବ୍ୟବହୃତ ହେଉଥିବା ନୂତନ ଯନ୍ତ୍ରପାତି କିଣାଯାଇ ଲୋକଙ୍କ ସେବାରେ ବିନିଯୋଗ କରାଯିବ । ଗ୍ରାମାଞ୍ଚଳରେ ୬୦ବର୍ଷରୁ ଅଧବକ ବୟସ୍କ ବ୍ୟକ୍ତିଙ୍କ ସକାଶେ ସେମାନଙ୍କ ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରାଯାଇ ଟୀକାକରଣ କରାଯିବ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଗଣ ସେମାନଙ୍କ ଅଞ୍ଚଳରେ ଥିବା ଚିକିତ୍ସାଳୟ ଗୁଡିକୁ ପରିଦର୍ଶନ କରି ଚିକିତ୍ସା ସୁବିଧାର ସମସ୍ତ ଦିଗପ୍ରତି ଧ୍ୟାନ ଦେବେ ।

ଜିଲ୍ଲାର ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁଧାର ଆଣିବା ନେଇ ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଜଗଦୀଶ ରାଓ ପଟ୍ଟନାୟକ, ପରିବାର କଲ୍ୟାଣ ନିୟୋଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଭି.ସରୋଜିନୀ ଦେବୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଭେକ୍ଟର ବାହିତ ରୋଗ ପରାମର୍ଶଦାତା ରଜତ୍ କୁମାର କାର୍ଯ୍ୟୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.