jayashree

ଛତ୍ରପୁର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ନେତ୍ର ଉତ୍ସବ ଓ ସ୍ମରଣିକା ଉନ୍ମୋଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ମଧ୍ୟ ଚଳିତ ବର୍ଷ ଘୋଷଯାତ୍ରା ଅନୁଷ୍ଠିତ ହେବାପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି । ପୁରୀ ଜଗନ୍ନାଥ-ଧାମ ନୀତିପଦ୍ଧତି ସ୍ୱରୂପ ପ୍ରଚଳିତ ହୋଇଆସୁଥିବା ଛତ୍ରପୁର ତାଡେପଲ୍ଲୀ ସାହିସ୍ଥ ରାଜାଘର ଜଗନ୍ନାଥ ମନ୍ଦିରରେ ବୁଧବାର ସନ୍ଧ୍ୟାରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ବୁଧବାର ସନ୍ଧ୍ୟାରେ ଶ୍ରୀଜୀଉଙ୍କ ପାରମ୍ପରିକ ନେତ୍ର ଉତ୍ସବ ତଥା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା, ସୁଦର୍ଶନ ଠାକୁର ଚତୁର୍ଦ୍ଧା ଦିଅଁଙ୍କ ନବଯୌବନ ଦର୍ଶନ କରି ଭକ୍ତମାନେ ଆତ୍ମବିଭୋର ହୋଇ ଉଠିଥିଲେ । ମହାପ୍ରଭୁଙ୍କ ଦର୍ଶନ କରିବା ସାଂଗକୁ ଭକ୍ତଜନ ଅତ୍ୟନ୍ତ ଖୁସିବ୍ୟକ୍ତ କରି ବିଭୂକୃପା ଲାଭ କରି ସଭିଏଁ ନିଜକୁ ଧନ୍ୟମନେ କରିଛନ୍ତି । ଏହି ଅବସରରେ ଏକ ସାଂସ୍କୃତିକ ସାମାରୋହ ସହ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିୟମିତ ପ୍ରକାଶିତ ତଥା ରଥଯାତ୍ରା ବିଶେଷାଙ୍କ ସ୍ମରଣିକାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ କରକମଳରେ “ପତିତପାବନ-୨୦୨୨” ଉନ୍ମୋଚିତ ହୋଇଛି । ଜଗନ୍ନାଥ ସଂସ୍କୃତିର ଅଵଲୋକନ ସ୍ୱରୂପ ଏହି ଆଧ୍ୟାତ୍ମିକ ସାହିତ୍ୟ ପତ୍ରିକା “ପତିତପାବନ” ବେଶ୍ ହୃଦୟସ୍ପର୍ଶୀ ହୋଇଛି । ମୁଖ୍ୟ ଉପଦେଷ୍ଟା ଇଂ.ରାମଚନ୍ଦ୍ର ପଟ୍ଟନାୟକ, ପତିତପାବନ ପରିଚାଳନା ସମିତିର ସମ୍ପାଦକ କବିଶ୍ରୀ ନିରଞ୍ଜନ ତ୍ରିପାଠୀ, ସର୍ବଶ୍ରୀ ଆଦିକନ୍ଦ ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ଚୌଧୁରୀ, ସୁଧୀର କାନ୍ତ ରଥ, ଅସୀତ କୁମାର ପଟ୍ଟନାୟକ ଏବଂ ଜ୍ୟୋତିର୍ବିଦ ବଟକୃଷ୍ଣ ତ୍ରିପାଠୀ ପ୍ରମୁଖ ସମ୍ପାଦନା ମଣ୍ଡଳୀ ଏଥିରେ ଲେଖନୀ ପରିଚାଳନାରେ ସକ୍ରିୟ ସହଯୋଗ ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ପବିତ୍ର ନେତ୍ର ଉତ୍ସବ ଅବସରରେ ଛତ୍ରପୁର ସରସ୍ୱତୀ ଶିଶୁ ମନ୍ଦିରର ବିଦ୍ୟାର୍ଥୀମାନେ ଓଡ଼ିଶୀ, ସମ୍ବଲପୁରୀ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ଭଜନ କୀର୍ତ୍ତନ, ଜଣାଣରେ ସଙ୍ଗୀତଭୂଷଣ ପ୍ରଫୁଲ୍ଲ ମହାପାତ୍ର ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.